ହେଡଲାଇନସ୍:

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା: ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର ମହାରଥା ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଉପରେ ଆଲୋଚନା କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଦେବପ୍ରସାଦ ମିଶ୍ରଙ୍କ ପରଲୋକକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ରାଜ୍ୟ ସଂଘ ଆହ୍ୱାନ କ୍ରମେ ଗତ ୨୯ ତାରିଖ ରାଜ୍ୟର ସମସ୍ତ ଜିଲ୍ଲାରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ନୟାଗଡ଼ ଜିଲ୍ଲାର ସଦରମହକୁମା ଏବଂ ସମସ୍ତ ବ୍ଲକରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶ୍ରମ ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସାମ୍ବାଦିକମାନେ କଳାବ୍ୟାଜ ପରିଧାନ କରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥିତ ରହିଥିବା ଶତାଧିକ ସାମ୍ବାଦିକମାନେ କଳାବ୍ଯାଚ୍ ପରିଧାନ କରିଥିଲେ । ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କର ତାଙ୍କ ବକ୍ତବ୍ୟରେ ଗତ ସରକାର ସମୟରେ ରାଜ୍ୟ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗ ଦେଇ ତତ୍କାଳିନ ବିରୋଧି ଦଳ ମୁଖ୍ୟ ଛାଟିଆ ତଥା ଏବେକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷମତାକୁ ଆସିବା ପରେ ସାମ୍ବାଦିକଙ୍କ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । ସରକାର କ୍ଷମତାକୁ ଆସିବାକୁ ୨ ବର୍ଷ ବିତିଥିଲେ ସୁଦ୍ଧା ସାମ୍ବାଦିକଙ୍କ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି କହିଥିଲେ । ଗତ ବିଧାନସଭା ଅଧିବେଶନରେ ସାମ୍ବାଦିକଙ୍କ କୈାଣସି ଦାବି ସରକାରଙ୍କ ପାଖରେ ଅଟକି ନଥିବା ତଥା ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୈାଣସି ଯୋଜନା ନଥିବା ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି ସମସ୍ତଙ୍କୁ ବିସ୍ମିତ କରିଛି । ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯାଉଥିବା ନେଇ ସରକାରଙ୍କୁ ଅବଗତ କରାଯାଇଥିବା ବେଳେ ଓଡ଼ିଶା ସରକାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ କୈାଣସି ପଦକ୍ଷେପ ନନେବା ପରିତାପର ବିଷୟ ବୋଲି କହିଥିଲେ । ଉତ୍କଳ ସାମ୍ବାଦିକ ସଂଘ ୧୦ ଦଫା ଦାବି ନେଇ ଲଢ଼େଇ ଜାରି ରଖିବ ବୋଲି ସୂଚନା ଦେଇଥିଲେ । ଅଧିସ୍ୱୀକୃତି କମିଟି ପୁର୍ନଗଠନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ ଏକାଡେମୀ ଗଠନ, ରାଜଧାନୀରେ ଭବନ ନିର୍ମାଣ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତା ମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନୁଙ୍କୁ ସାମିଲ କରିବା, ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ସେହିଭଳି ଭାବେ ଉପଦେଷ୍ଟା ଶ୍ରୀଯୁକ୍ତ ମହାରଥା ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ଉପରେ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକମାନେ ଏକାଠି ହୋଇ ହାତମୁଠାକୁ ଟାଣ କଲେ ସରକାର ଦାବି ପୁରଣ କରିବାକୁ ବାଧ୍ଯ ହେବେ ବୋଲି ସେ କହିଥିଲେ । ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ଏକମତ ପ୍ରକାଶ ପାଇଥିଲା । ସମାନ ଭାବେ ଓଡ଼ଗାଁର ଅଶୋକ ମହାପାତ୍ର, ଦଶପଲ୍ଲା ପ୍ରେସ କ୍ଲବ ସଭାପତି ସୁରେଶ ଚନ୍ଦ୍ର ବେହେରା , ବରିଷ୍ଠ ସାମ୍ବାଦିକ ଫ୍ରଫୁଲ୍ଲ ଦାଶ , ଗଣିଆର ଦେବୀ ପ୍ରସାଦ ଦାଶ, ଖଣ୍ଡପଡ଼ାର ଚିତ୍ତରଞ୍ଜନ ମିଶ୍ର, ଭାପୁରର ଶୁଭେନ୍ଦ୍ର ପଟ୍ଟନାୟକ, ରଣପୁରର ପ୍ରସନ୍ନ ସାମନ୍ତରାୟ, ନୂଆଗାଁର ସୁକେନ୍ଦୁ ଦାସ , ନୟାଗଡ଼ର ରଜତ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୂଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏଥିରେ ବିଶ୍ୱଜିତ ନାୟକ, ବିଭୂତିଭୂଷଣ ସ୍ବାଇଁ ନିହାର ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଅନୀଲ କୁମାର ପଣ୍ଡା, ସନ୍ତୋଷ ନାୟକ, ଅମିତ ପଟ୍ଟନାୟକ , ଧୀରେନ୍ଦ୍ର ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault