ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସାମାଜିକ ଦାୟିତ୍ୱ ଏବଂ ସମୁଦାୟର କଲ୍ୟାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଇ ବ୍ରହ୍ମପୁରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି । ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକରେ ନିରାପଦ ରକ୍ତର ଜରୁରୀ ଆବଶ୍ୟକତା ପୂରଣ କରିବା ଏବଂ ଜରୁରୀକାଳୀନ ସମୟରେ ରକ୍ତ ସଞ୍ଚାରଣ ସହାୟତା ପ୍ରଦାନ କରିବା ଏହି ଉଦ୍ୟମ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି ।
ଆୟୋଜିତ ରକ୍ତଦାନ ଶିବିର ଶିକ୍ଷାବିଦ୍ ତଥା ସମାଜସେବୀ ମଞ୍ଜୁ ଗର୍ଗଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ସେ ଏହି ଉଦ୍ୟମର ପ୍ରଶଂସା କରିବା ସହିତ ଏଭଳି ଜୀବନ ରକ୍ଷାକାରୀ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ।
ଏଥିରେ ଟିପିଏସ୍ଓଡିଏଲର କର୍ମଚାରୀମାନେ ଉତ୍ସାହର ସହିତ ସାମିଲ ହୋଇଥିଲେ । ଆୟୋଜିତ ଶିବିରରୁ ମୋଟ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଉଦ୍ୟମ ଜନସ୍ୱାସ୍ଥ୍ୟ ଏବଂ ସମୁଦାୟର କଲ୍ୟାଣ ପ୍ରତି ଟିପିଏସ୍ଓଡିଏଲର ଥିବା ଅର୍ଥପୂର୍ଣ୍ଣ ଯୋଗଦାନକୁ ଦର୍ଶାଉଛି ।
ଉଲ୍ଲେଖଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷରେ ଏହା ବ୍ରହ୍ମପୁର ସର୍କଲର ପ୍ରଥମ ରକ୍ତଦାନ ଶିବିର ଅଟେ । ଯେଉଁଥିରେ କର୍ମଚାରୀମାନେ ସ୍ୱେଚ୍ଛାରେ ସାମିଲ ହୋଇ ନିଜର ନାଗରିକ ଦାୟିତ୍ୱ ଏବଂ ସାମୂହିକ ଉଦ୍ଦେଶ୍ୟ ପ୍ରତି ଥିବା ଦୃଢ଼ ଭାବନାକୁ ପ୍ରଦର୍ଶିତ କରିଥିଲେ ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ହେଉଛି ସମାଜ ପ୍ରତି ଏକ ଶକ୍ତିଶାଳୀ ଅବଦାନ ଏଥିସହିତ ଜୀବନ ରକ୍ଷା କରିବାର ମାର୍ଗ । ଆମ କର୍ମଚାରୀମାନଙ୍କର ଏଥିରେ ଯୋଗଦାନ ଦେଖି ବହୁତ ଉତ୍ସାହିତ ହେଉଛୁ । ଟିପିଏସ୍ଓଡିଏଲରେ ଆମେ ସମୁଦାୟର ସେବାକୁ ଏକ ସମନ୍ୱିତ ଦାୟିତ୍ୱ ଭାବରେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧ ରହିଛୁ ।”
ଟିପିଏସ୍ଓଡିଏଲ୍ ତାର କର୍ମଚାରୀଙ୍କଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ନିରନ୍ତର ସାମାଜିକ ଉଦ୍ୟମ ମାଧ୍ୟମରେ ସୁସ୍ଥ ଏବଂ ସ୍ଥିର ସମୁଦାୟର ଗଠନ ଦିଗରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛି ।








