ହେଡଲାଇନସ୍:

ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ବୃହତ୍ ଉଦଘାଟନ ଓ ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ ଜିଲ୍ଲାର ବୁଣାକାର ଓ ଚାଷୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ ସାବ୍ୟସ୍ତ ହୋଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେହେରା–ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ଆୟୋଜିତ ବୃହତ୍ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବରେ ରାଜ୍ୟର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରାୟ ୬୭.୮୦ କୋଟି ଟଙ୍କା ବ୍ୟୟର ସମୁଦାୟ ୬୫ଟି ଜନକଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ।ଏହି ବୃହତ୍ ପ୍ରକଳ୍ପ ଅନ୍ତର୍ଗତ ବେହେରା–ବାଲିଜୁରୀ ବୁଣାକାର ହାଟର ଉନ୍ନତିକରଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାକୁ ଏକ ଆଧୁନିକ ଓ ବିଶ୍ୱସ୍ତରୀୟ ବିପଣନ କେନ୍ଦ୍ରରେ ପରିଣତ କରିବାକୁ ଯୋଜନା ରହିଛି। ସେପରି ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘରର ଆଧୁନିକୀକରଣ, ହ୍ୟାଣ୍ଡଲୁମ୍ ସଂଗ୍ରହାଳୟ ପ୍ରତିଷ୍ଠା, ନୂତନ ବିକ୍ରୟ କେନ୍ଦ୍ର ଖୋଲା ଓ ବାଉଁଶ ହସ୍ତଶିଳ୍ପ ପାଇଁ ସାଧାରଣ ସୁବିଧା କେନ୍ଦ୍ର ସ୍ଥାପନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି।କାର୍ଯ୍ୟକ୍ରମ ପୂର୍ବରୁ ବରଗଡ଼ ସହରରୁ ବେହେରା ପର୍ଯ୍ୟନ୍ତ ବିଶାଳ ବାଇକ୍ ରାଲୀ ମାଧ୍ୟମରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ଲୋକମାନେ। ପରେ ବଜାର ପ୍ରାଙ୍ଗଣରେ ବୁଣାକାରମାନଙ୍କ ପାଇଁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଉଦଘାଟନ କରାଯାଇଥିଲା। ଏହି ଅବସରରେ ୬୨ ଜଣ ହସ୍ତଶିଳ୍ପ କାରିଗର ଓ ୨ ଜଣ ବୁଣାକାରଙ୍କୁ ଟୁଲ୍ କିଟ୍ ଓ ପିଟ୍ ଲୁମ୍ ବଣ୍ଟନ କରାଯାଇଥିଲା।ସେପରି ଦୁଇଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିବା ସହ ଜମି ଦାନ କରିଥିବା ସମଲେଇପଦର ଗ୍ରାମର ୫ ଜଣ ଚାଷୀଙ୍କୁ ମଧ୍ୟ ବିଶେଷ ସମ୍ମାନ ଦିଆଯାଇଥିଲା।ସଭାରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, “ଲୋକଙ୍କ ସରକାର ବୁଣାକାର ଓ ଚାଷୀଙ୍କ ଜୀବନ-ଜୀବିକାର ସମୃଦ୍ଧି ପାଇଁ ସଦା ପ୍ରୟାସରତ। ବେହେରା–ବାଲିଜୁରୀ ବୁଣାକାର ହାଟକୁ ବିଶ୍ୱସ୍ତରୀୟ ବିପଣନ କେନ୍ଦ୍ରରେ ପରିଣତ କରାଯିବ।” ସେ ଆହୁରି କହିଥିଲେ ଯେ, ଏହି ପ୍ରକଳ୍ପମାନେ ବୁଣାକାରମାନଙ୍କୁ ସମ୍ମାନଜନକ ପରିବେଶରେ ବ୍ୟବସାୟ କରିବାର ସୁଯୋଗ ଦେବ ଓ ଗ୍ରାମୀଣ ଅର୍ଥନୀତିକୁ ଗତିଶୀଳ କରିବ।ସେ ଆହୁରି ଘୋଷଣା କରିଥିଲେ ଯେ, ବେହେରା–ବାଲିଜୁରୀ ବଜାର ସମ୍ମୁଖରେ ପ୍ରାୟ ୪.୬୫ କୋଟି ଟଙ୍କା ବ୍ୟୟରେ ଏକ ଆପାରେଲ୍ ଇନ୍କ୍ୟୁବେସନ୍ ସେଣ୍ଟର ସ୍ଥାପନ କରାଯିବ, ଯାହା ମାଧ୍ୟମରେ ୨୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
କୃଷି କ୍ଷେତ୍ରରେ ମଧ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆରଏମସି ଓ ପ୍ୟାକ୍ସ ମାଧ୍ୟମରେ ୬୦ଟି କୃଷିଭିତ୍ତିକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ସହ ବରଗଡ଼ରେ ବୃହତ୍ ଧାନ ସଂରକ୍ଷଣ ଗୋଦାମ ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟର ୩୮ ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଫସଲ ବୀମା ଯୋଜନା ଓ ସମବାୟ ମାଧ୍ୟମରେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛି।
ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ ସହିତ ଅନେକ ଜନପ୍ରତିନିଧି, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ lବୁଣାକାର ଓ ଚାଷୀଙ୍କ ଉନ୍ନତିକୁ କେନ୍ଦ୍ର କରି ଗ୍ରହଣ କରାଯାଇଥିବା ଏହି ବୃହତ୍ ପ୍ରକଳ୍ପମାନେ ବରଗଡ଼ ଜିଲ୍ଲାର ଅର୍ଥନୈତିକ ଓ ଶିଳ୍ପ ଉନ୍ନତିକୁ ନୂଆ ଗତି ଦେବା ସହ ରାଜ୍ୟରେ ଏକ ନୂଆ ମଡେଲ୍ ଭାବେ ପରିଚିତ ହେବ ବୋଲି ମତ ପ୍ରକାଶ ପାଉଛି।

0
0
0
s2sdefault