ହେଡଲାଇନସ୍:

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ତିନି ସ୍ନାତକ ଶେଷ ବର୍ଷର ଫଳାଫଳରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ପୁଣିଥରେ ଗୌରବାନ୍ୱିତ ହୋଇଛି। ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ଗୀତା ସା ୯.୬୭ ସିଜିପିଏ ସହିତ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ବେଷ୍ଟ ଗ୍ରାଜୁଏଟ ହେବାର ଗୌରବ ଅର୍ଜନ କରିଛନ୍ତି।

ଲଖନପୁର ବ୍ଲକ ଅନ୍ତର୍ଗତ ଗୁଡ଼ମ ଗ୍ରାମର ସାଧାରଣ ଚାଷୀ ହିମାଞ୍ଚଳ ସା ଓ ଶୈଳ ସାଙ୍କ କନିଷ୍ଠ କନ୍ୟା ଗୀତାଙ୍କ ଏହି ବିରଳ ସଫଳତାରେ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ସେ ନିଜ ସଫଳତା ପାଇଁ ନିଜ ବାପା-ମା, ପରିବାରବର୍ଗ, ବିଭାଗୀୟ ମୁଖ୍ୟ ଅଧ୍ୟାପିକା ନୀମା ପାଣିଗ୍ରାହୀ, ଅଧ୍ୟାପିକା ସୋନମ ଗେନେରୀୱାଳ ଓ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହାସହିତ, ଏହି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ପୂଜା ସଉରା ୯.୦୮ ସିଜିପିଏ ସହିତ ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନ ଅଧିକାର କରି କଲେଜ ପାଇଁ ଗୌରବ ଆଣିଦେଇଛନ୍ତି। କୋଲାବିରା ବ୍ଲକ୍ ଅନ୍ତର୍ଗତ ରଘୁନାଥପାଳି ଗ୍ରାମରେ ଜନ୍ମିତ ପୂଜା କୃଷି ଶ୍ରମିକ ମାଆ ସାବିତ୍ରୀ ସଉରାଙ୍କ ଦ୍ୱାରା ଏକାକୀ ପାଳିତ ହୋଇ ଅତ୍ୟନ୍ତ କଷ୍ଟରେ ପାଠ ପଢ଼ି ଏହି ସଫଳତା ଅର୍ଜନ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ମାଆ, ପୂର୍ବତନ ପ୍ରାଧ୍ୟାପକ ବିଜ୍ଞାନ ଭୂଷଣ ଭଞ୍ଜ, ବିଭାଗୀୟ ମୁଖ୍ୟ ବ୍ରଜେଶ ସାହୁ ଓ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଦେଇଛନ୍ତି।

ଦୁଇ ଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ମହାବିଦ୍ୟାଳୟ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

0
0
0
s2sdefault