ହେଡଲାଇନସ୍:

ଓଡ଼ିଆ ପକ୍ଷ ପାଳନ ଅବସରରେ "ଆମ ରୁଚି ଆମ ଖାଦ୍ୟ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ନବରଙ୍ଗପୁର ତା ୧୩.୪.୨୦୨୬: ଅଶୋକ ସାହୁ,ଜିଲ୍ଲା ପ୍ରଶାସନ ତରଫରୁ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ଆମ ରୁଚି ଆମ ଖାଦ୍ୟ" ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ପକ୍ଷର ୧୩ତମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ହାତରେ ପ୍ରସ୍ତୁତ ପାରମ୍ପରିକ ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରଦର୍ଶିତ କରିଥିଲେ। ବିଶେଷ କରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ଆମଟ, ଗୁଡ଼ ପିଠା, ମାଣ୍ଡିଆ ପିଠା, ଅଟା କାକରା, ପୋଡ଼ ପିଠା, ସୁଆଁ ଖିରି, କୋଳଥ ଡାଲି, ଶୁଖିଲା ମାଛ ଭଜା, ମାଣ୍ଡିଆ ପେଜ, ଶାଗ ରୁଟି, ମାଣ୍ଡିଆ ତମ୍ପା, ପକୋଡ଼ି, ରଖା ପିଠା, ସୁଜି ପିଠା, ଆରିସା ପିଠା, ବିରି ପିଠା, ମାଣ୍ଡିଆ ଇଡଲି, ମାଣ୍ଡିଆ ଚହ୍ଲା, ଗୋଟା ମୁଗ ପକୋଡି, କୁନ୍ଦୁରି ଆଳୁ ଭଜା, ଆମ୍ବ ଚଟନି, କାଇ ଜନ୍ଦା ତରକାରୀ, କୋଳଥ ସିଝା ତରକାରୀ, ମାଣ୍ଡିଆ ପେଜ, ଦହିବରା, ସୁଜି କାକରା, ମାଣ୍ଡିଆ କେକ୍, ମୁଗଚନ୍ଦ୍ର କାନ୍ତି, ମଟର ଚଣା ତରକାରୀ, କଦଳୀ ମଜା ରାଇ, ଲାଉ ସନ୍ତୁଳା, ଦହି ପଖାଳ, ପୋଇ ଚିଙ୍ଗୁଡ଼ି ରାଇ, ମାଟି ହାଣ୍ଡି ଦେଶୀ ଚିକେନ, ରାଗି ସୂପ, ରାଗି ହାଲୁଆ, ରାଗି ପାଳୁଅ ଓ ମାଣ୍ଡିଆ ଲଡୁ ଭଳି ଲୋଭନୀୟ ଖାଦ୍ୟ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିଲା।
ଏହି ଅବସରରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁରର ଖାଦ୍ୟ ସଂସ୍କୃତି ଓ ପରମ୍ପରା ଉପରେ ଅତିଥିମାନେ ସେମାନଙ୍କର ଅଭିଭାଷଣ ରଖିବା ସହ ପ୍ରତ୍ୟେକ ରାନ୍ଧଣାଶିଳ୍ପୀଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିକେଏସଏସ ନବରଙ୍ଗପୁର ଦ୍ୱାରା ପରିବେଷିତ ପଥପ୍ରାନ୍ତ ନାଟକ ସମସ୍ତଙ୍କ ମନ ଜିଣିଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା, ଯେଉଁଥିରେ ତେନ୍ତୁଳିଖୁଣ୍ଟି ମା' ମାଣିକେଶ୍ୱରୀ SHG ର ଏଲ୍. ବିଜୟା ପ୍ରଥମ, ନବରଙ୍ଗପୁର ସୁକନ୍ୟା SHG ର ରୀତାରାଣୀ ଭିଟ୍ଟୋ ଦ୍ୱିତୀୟ ଏବଂ ପାପଡାହାଣ୍ଡି ସେମଳା SHG ର ଭାଗ୍ୟବତୀ ବାହୁକା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଆସନ୍ତାକାଲି ଓଡ଼ିଆ ନବବର୍ଷ ତଥା ଓଡ଼ିଆ ଭାଷା ପକ୍ଷର ଶେଷ ଦିବସରେ ଜିଲ୍ଲା ସ୍ତରୀୟ ପିଠା ପଣା, ହୁଳହୁଳି ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସଂସ୍କୃତି ସହାୟକ ଆତ୍ମ ପ୍ରକାଶ ସାହୁ ଓ ଏ ସନ୍ତୋଷ କୁମାରଙ୍କ ସହଯୋଗରେ ଏହି ସଫଳ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault