ବରଗଡ଼ ଜିଲ୍ଲାର ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିସିନ ବିଭାଗରେ ଡାକ୍ତର ମିସ୍ ଅପର୍ଣ୍ଣା ଜୋସି ନୂତନଭାବେ ଯୋଗଦାନ କରିଛନ୍ତି। ଦୀର୍ଘଦିନ ଧରି ଏହି ବିଭାଗରେ ଡାକ୍ତରଙ୍କ ଅଭାବ ଥିବାରୁ ସ୍ଥାନୀୟ ଅଞ୍ଚଳର ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି କାରଣରୁ ଛୋଟ ଛୋଟ ରୋଗ ପାଇଁ ମଧ୍ୟ ରୋଗୀମାନେ ବରଗଡ଼ କିମ୍ବା ଅନ୍ୟ ଶହରକୁ ଯାଇ ଚିକିତ୍ସା ନେବାକୁ ବାଧ୍ୟ ହେଉଥିଲେ। ଏବେ ଡାକ୍ତର ଅପର୍ଣ୍ଣା ଜୋସିଙ୍କ ଯୋଗଦାନ ଖବର ପ୍ରଚାର ହେବା ପରେ ସମଗ୍ର ସୋହେଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ମେଡିସିନ ବିଭାଗରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ପ୍ରୟାପ୍ତ ସେବା ପାଉନଥିଲେ। ବିଶେଷକରି ବୃଦ୍ଧ ଓ ଗରିବ ଲୋକମାନଙ୍କ ପାଇଁ ଦୂର ସ୍ଥାନକୁ ଯାଇ ଚିକିତ୍ସା କରାଇବା ଅତ୍ୟନ୍ତ କଷ୍ଟକର ହେଉଥିଲା। ଏହି ପରିସ୍ଥିତିରେ ନୂତନ ଡାକ୍ତରଙ୍କ ଯୋଗଦାନ ଅଞ୍ଚଳବାସୀଙ୍କ ପାଇଁ ଏକ ବଡ଼ ଆଶାର କିରଣ ହୋଇ ଆସିଛି।ଡାକ୍ତର ଅପର୍ଣ୍ଣା ଜୋସିଙ୍କ ଯୋଗଦାନ ଅବସରରେ ସୋହେଲା ଅଞ୍ଚଳର ସମାଜସେବୀ ରମେଶ କୁମାର, ବିଜେପି ଯୁବ ସଂଗଠକ ଚନ୍ଦ୍ରମଣି ଭଞ୍ଜ ସହ ସମାଜସେବୀ ସଂଗଠନର ଅନେକ ସଦସ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ଭେଟି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ସେମାନେ ଡାକ୍ତରଙ୍କୁ ଫୁଲ ଦେଇ ସମ୍ମାନିତ କରିଥିଲେ ଓ ସୋହେଲା ଅଞ୍ଚଳର ଲୋକମାନଙ୍କୁ ଭଲ ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ।ଏହି ସମୟରେ ସମାଜସେବୀମାନେ କହିଥିଲେ ଯେ, ସୋହେଲା ଅଞ୍ଚଳରେ ଲୋକସଂଖ୍ୟା ଅଧିକ ଥିବା ସତ୍ତ୍ୱେ ମଧ୍ୟ ଚିକିତ୍ସା ସୁବିଧା ସବୁବେଳେ ପ୍ରୟାପ୍ତ ମିଳୁନାହିଁ। ତେଣୁ ନୂତନ ଡାକ୍ତରଙ୍କ ଯୋଗଦାନ ଏଠାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ। ଏହା ମଧ୍ୟ କହିଥିଲେ ଯେ, ଯଦି ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଭାଗରେ ପ୍ରୟାପ୍ତ ଡାକ୍ତର ଓ ସୁବିଧା ଉପଲବ୍ଧ ହୋଇପାରେ, ତେବେ ଅଞ୍ଚଳବାସୀମାନେ ବଡ଼ ସହରକୁ ଯାଇ ଚିକିତ୍ସା କରାଇବାର ଆବଶ୍ୟକତା କମିଯିବ।ଡାକ୍ତର ଅପର୍ଣ୍ଣା ଜୋସି ମଧ୍ୟ ସମସ୍ତଙ୍କ ଭଲପାଇବା ଓ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ସୋହେଲା ଅଞ୍ଚଳର ଲୋକମାନଙ୍କୁ ସମ୍ଭବ ମାତ୍ର ଭଲ ଚିକିତ୍ସା ସେବା ଦେବା ପାଇଁ ସେ ସଦା ପ୍ରୟାସ କରିବେ ଓ ରୋଗୀମାନଙ୍କ ସୁସ୍ଥତା ପାଇଁ ନିଷ୍ଠାର ସହିତ କାମ କରିବେ।ଅଞ୍ଚଳବାସୀମାନେ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ଯେ, ଡାକ୍ତରଙ୍କ ଯୋଗଦାନରେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା ଆହୁରି ସୁଧାର ହେବ ଓ ରୋଗୀମାନେ ଉପକୃତ ହେବେ।
ରାଜ୍ୟ
ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତରଙ୍କ ଯୋଗଦାନ
- Hits: 696








