କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆଙ୍କ ଅନ୍ୟ ଦଳର ବୈଠକରେ ଯୋଗଦାନ
ବାରବାଟୀ-କଟକର ବିଧାୟିକା ସୋଫିଆ ଫିରଦୋସଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ଗତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ବାପା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେଇ କିଛି ଭୁଲ କରିନାହାନ୍ତି ବୋଲି ପୂର୍ବରୁ କହି ସୋଫିଆ ଦଳୀୟ ଅନୁଶାସନ ଭଙ୍ଗ କରିଥିଲେ। ତେବେ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବାପା ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବା ପରେ ସୋଫିଆ ଏକାଧିକ ଥର ନିଜ ଉଚ୍ଚାରଣ ଓ ଆଚରଣ ବଳରେ ଦଳରୁ ଦୂରେଇଯାଉଥିବା ଦେଖାଯାଉଥିଲା। ଗତ ରାଜ୍ୟସଭା ନିର୍ବାଚନ ବେଳେ ଓ ପରେ ସେ ଦଳର ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତିକୁ ବିରୋଧ କରି ଖୋଲାଖୋଲି ବିଭିନ୍ନ ମତମନ୍ତବ୍ୟ ଦେବାଦ୍ବାରା ସେ ଦଳରୁ ଦୂରେଇଯାଉଥିବା ଅଧିକ ସ୍ପଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏଥିସହ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ତାଙ୍କ ସଦସ୍ୟପଦ ରଦ୍ଦ ହେବା ନେଇ କଂଗ୍ରେସ ପକ୍ଷରୁ ବିଧାନସଭାର ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ୧୫ ଏପ୍ରିଲ ବୁଧବାର ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆାରେ ଆୟୋଜିତ ନିଜ ବାପାଙ୍କ ନବଗଠିତ ଓଡ଼ିଶା ଜନତା କଂଗ୍ରେସ ଦଳର ସମାବେଶରେ ଯୋଗଦେଇ ଭାଷଣ ଦେବା ଫଳରେ ସ୍ବଷ୍ଟ ପ୍ରତୀୟମାନ ହେଉଛି, ସେ ଦଳର ସଦସ୍ୟତାରୁ ନିଜକୁ ସ୍ବତଃସ୍ଫୂର୍ତ୍ତ ଭାବେ ଦୂରେଇନେବାକୁ ଚାହିଛନ୍ତି। ତେଣୁ ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିବା ଏକରକମ ନିଶ୍ଚିତ। ଏ ନେଇ ସାମ୍ବିଧାନିକ ବ୍ୟବସ୍ଥା ଉଦ୍ଧୃତ କରି ଉଲ୍ଲେଖ କରାଯାଇଛି:-
"deliberately attempting to act contrary to the decision and direction of the party, Such conduct may also be construed as voluntarily giving up the membership of the Indian National Congress, attracting disqualification under Paragraph 2(1)(a) and 2(1)(b) of the Tenth Schedule of the Constitution of India. In this regard, it may be recalled that the Hon’ble Chairman of the Rajya Sabha disqualified Shri Sharad Yadav under the provisions of the Tenth Schedule, a decision which was subsequently not interfered with by the Hon’ble Supreme Court of India in Sharad Yadav v. Union of India.
ଶ୍ରୀ ଦାସ ଆହୁରି କହିଛନ୍ତି, ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ମହମ୍ମଦ ମୋକିମ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପାଞ୍ଚବର୍ଷ କାଳ ବିଧାନସଭା ସଦସ୍ୟ ପଦ ରଖିପାରିଲେ ନାହିଁ କି ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ନ ହୋଇ ଶେଷରେ ନିଜ ଝିଅକୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଥିଲେ। ସେପରି ଜଣେ ନେତାଙ୍କ ଦ୍ବାରା ଗଠିତ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ଜଳ ନୁହେଁ ବୋଲି ସେ କହିଛନ୍ତି।








