ହେଡଲାଇନସ୍:

ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ୍ ଶାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମାର୍ଚ୍ଚ ୬ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

  • ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଭୁବନେଶ୍ୱର, ତା. ୨୬.୦୨.୨୦୨୬ : ଆସନ୍ତା ୫ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Imageବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ( ସିଏଫଏସଏଲ), ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସ , ଭୁବନେଶ୍ୱରର ଶୁଭ ଉଦ୍ଘାଟନ କରିବେ ।

Imageସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭିନ୍ନ ବିଭାଗ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମାନ୍ୟବର କେଦ୍ରମନ୍ତ୍ରୀଙ୍କ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦାନ ଗସ୍ତକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ୍ ଟପିଂ ସହିତ ଆଲୋକୀକରଣ, ପରିସ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ କଟକ ଜିଲ୍ଲାପାଳ ଯୋଗଦେଇଥିଲେ ।
ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟର ବିଶଦ୍ କାର୍ଯ୍ୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଓ ରୁଟ୍ ପ୍ଲାନ, କାର୍ଯ୍ୟକ୍ରମ ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସୁଚାରୁ ଓ ସଫଳ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି ନିଶ୍ଚିତ କରାଯିବାକୁ ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହି ପରିପ୍ରେକ୍ଷୀରେ ବିଭନ୍ନ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ଓ ପୁଲିସ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ, କଟକ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

0
0
0
s2sdefault