କଟକ, ତା ୨୬.୦୨.୨୦୨୬ ରିଖ – ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି କହିଲେ ଦୀର୍ଘ ଦଶନ୍ଧି ପରେ ହେଉଥିବା ଏହି ଜନଗଣନା କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏହି ତାଲିମ ମାଧ୍ୟମରେ ଜନଗଣନା କାର୍ଯ୍ୟ ଶତ ପ୍ରତିଶତ ସଠିକ୍ ଓ ସୂଚାରୁ ରୂପେ ସମ୍ପାଦନ କରିପାରିବେ । ୨୦୨୭ ଜନ ଗଣନା କାର୍ଯ୍ୟ ନିମନ୍ତେ ସ୍ଵଚ୍ଛତା ର ସହ ସଠିକ ଭାବେ ତଥ୍ୟ ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରିବା ପାଇଁ
ଉପସ୍ଥିତ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସର ଭାବେ ନିୟୋଜିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ ,କ୍ଷେତ୍ରସ୍ତରରେ ନିୟୋଜିତ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସର ଦାୟିତ୍ଵ ନିର୍ବାହ ସମ୍ପର୍କରେ ଆଲୋଚନା କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରଖି କାମ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉ କି ଆସନ୍ତା ଏପ୍ରିଲ୍ ୧୬ ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ଏହି ଜନଗଣନା ଦ୍ୱାରା ଜିଲ୍ଲାର ବାସ୍ତବ ଜନସଂଖ୍ୟା ଜଣାପଡିବ। ଦେଶର ଗୌରବ ବୃଦ୍ଧି କରିବାରେ ଏହି ମହତ୍ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ ଆମେ ସମସ୍ତେ କାର୍ଯ୍ୟ ସମ୍ପାଦନ କରିବା ଉପରେ ଆଜିର ଶିବିର ବୈଠକରେ ଆଲୋଚନା ହୋଇଥିଲା ।
ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ସଂଶୋଧନ ବ୍ୟକ୍ତି ବିଶେଷ(ରିସୋର୍ସ ପର୍ସନ) ଭାବେ ସହକାରୀ ନିର୍ଦ୍ଦେଶକ ( ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର ) ଶ୍ରୀମତୀ ମିଲିତା ଦତ୍ତ ଓ ଜିଲ୍ଲା ଜନଗଣନା ନୋଡାଲ ଅଫିସର ଶ୍ରୀ ଦେବେନ୍ଦ୍ର କୁମାର ମହାପାତ୍ର ଜିଲ୍ଲାର ସମସ୍ତ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସର ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଗୃହ କିମ୍ବା ଜନସଂଖ୍ୟା କୁ କିପରି ଆବଣ୍ଟନ କରାଯିବ, ସିଏମଏମଏସ ପୋର୍ଟାଲ ର ବ୍ୟବହାର ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା । ପ୍ରଥମଥର ପାଇଁ ଏହି ଜନଗଣନା ସଂପୂର୍ଣ୍ଣ ଭାବେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ସହ ଜାତିଭିତ୍ତିକ ଜନଗଣନା କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଆଠଗଡ, ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଲାପାଳ କଟକସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲ୍ଲାପାଳ ବାଙ୍କୀ ପ୍ରଣବ କୁମାର ବେହେରାଙ୍କ ସମେତ ତହସିଲଦାର ,ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ସଂମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।








