କେନ୍ଦୁଝର,ତା୨୦/୨-ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଓ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅନାଥ ଏବଂ ବାପା ମା' ଛେଉଣ୍ଡ ପିଲାମାନଙ୍କୁ ଗତକାଲି (ଗୁରୁବାର) ଉଦ୍ଧାର କରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ।ସୂଚନାଯୋଗ୍ୟ ଯେ, କାନପୁର ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ତ ହୋଇ ଉକ୍ତ ପରିବାର ମାନେ ଅତି ଦୟନୀୟ ଭାବେ ବସବାସ କରି ରହୁଛନ୍ତି । ଜଗନ୍ନାଥପୁର ଗ୍ରାମର ବାପା ମା' ଛେଉଣ୍ଡ ଗୋପାଳ ମୁଣ୍ଡା (୧୧) ଓ ସାଧୁ ମୁଣ୍ଡା (୯) ବର୍ତ୍ତମାନ ଜେଜେବାପା ରତ୍ନାକର ମୁଣ୍ଡାଙ୍କ ସହ ରହୁଥିବା ବେଳେ ରବି ମୁଣ୍ଡା (୧୧) ଏବଂ ଜିତେନ୍ ମୁଣ୍ଡା (୧୪) ବାପା ଛେଉଣ୍ଡ ହୋଇ ନିଜ ମା' ଶ୍ରୀମତୀ ମୁଣ୍ଡାଙ୍କ ସହ ରହୁଥିଲେ । ଅନ୍ୟପଟେ ବାସୁଦେବପୁର ଗ୍ରାମର ମା' ଛେଉଣ୍ଡ ଅଜୟ ନାଏକ (୯) ଓ ଆଦିତ୍ୟ ନାଏକ (୭) ବାପା ଗିଡୁ ନାଏକଙ୍କ ସହ ରହୁଥିଲେ । ଖବର ପାଇ ମାନବ ପ୍ରେମୀ ସେବା ଟ୍ରଷ୍ଟର ସଦସ୍ୟ ବୃନ୍ଦ ଉକ୍ତ ଅସହାୟ ପରିବାର ଗୁଡିକ ନିକଟରେ ପହଞ୍ଚି ସବୁ ତଥ୍ୟ ସଂଗ୍ରହ କରି ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତାକରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ସହ ଯୋଗାଯୋଗ କରିଥିଲେ । ସୂଚନା ପାଇବା ମାତ୍ରେ ଆଦିବାସୀ ବିକାଶ ସମିତିର ସଦସ୍ୟା ଦମୟନ୍ତୀ ଖଟୁଆଙ୍କ ସହ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଟ୍ରଷ୍ଟ୍ ସଦସ୍ୟଙ୍କ ସହ ମିଶି ପିଲାଙ୍କୁ ଉଦ୍ଧାର କରି ପରିବାର ସଦସ୍ୟଙ୍କ ସହମତିରେ ସେଠାକୁ ନେଇଯାଇଛନ୍ତି । ଏହି ଅବସରରେ ମାନବ ପ୍ରେମୀ ସେବା ଟ୍ରଷ୍ଟର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ ଓ ସମ୍ପାଦକ ପିଣ୍ଟୁନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଅସହାୟ ପିଲାଙ୍କୁ ଉଦ୍ଧାର କରି ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ
- Hits: 8








