ପ୍ରଶାସନ ନିଜ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
କେନ୍ଦୁଝର,ତା୨/୨- କେନ୍ଦୁଝର ସହରରେ ଜନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏପରି ବେଳେ ସହର ମଧ୍ୟସ୍ଥଳ ଗାନ୍ଧୀ ଛକ ତଥା ଗାନ୍ଧୀ ମାର୍କେଟ ଚାରିପଟେ ଜବରଦଖଲ ବଢିଥିବା ଅଭିଯୋଗ ବହୁତ ଦିନରୁ ହେଇ ଆସୁଛି। ଏହି ଛକରେ ଦୁର୍ଘଟଣା ଘଟି ପୂର୍ବରୁ ବହୁ ଧନଜୀବନ ହାନୀ ହୋଇଥିବାର ନଜିର ରହିଛି। ସୂଚନା ଯୋଗ୍ୟ କି ଅତୀତରେ ଅଶୀ ଦଶକରେ କେନ୍ଦୁଝରଗଡ଼ ନଗରପାଳିକା ଏକ ପୋଖରୀକୁ ବେଆଇନ ଭାବେ ପୋତି ଏକ ମାର୍କେଟ କମ୍ପ୍ଲେକ୍ସ କରିଥିଲା। ଏହି ବଜାର ନିର୍ମାଣ ଓ ଡିଜାଇନରେ ତ୍ରୁଟି ଥିବାରୁ ଦୋକାନ ଭଲ ନଚାଲିବାରୁ ଏଠାରେ କୁକୁଡ଼ା, ଛେଳି ଖାସି କଟା ଅବାଧ ଭାବେ ଚାଲିଥିଲା। ତେଣୁ ସେହି ପାଖରେ ଖଣ୍ଡମଣ୍ଡଳ ପଚା ଦୁର୍ଗନ୍ଧ ହେଉଥିଲା। ଏପରି ପରିସ୍ଥିତିରେ ଲଜ୍ଜାରେ ପ୍ରଶାସନ ସେଠାରୁ ଗାନ୍ଧୀ ମୂର୍ତ୍ତି ଅପସାରଣ କରିନେଇଥିଲା। ସେଠାରେ ଜୁଆ ଖେଳ ମଦୁଆ ନାଟ ହେଉଥିବାର ଅଭିଯୋଗ ଆସୁଥିଲା। ତେବେ ୨୦୧୬ରେ ପୂର୍ତ୍ତ ବିଭାଗ ଏଠାରେ ଥିବା ଘର ଗୁଡିକୁ ବିପଦପୂର୍ଣ୍ଣ ଘୋଷଣା କରି ଭାଙ୍ଗିବାକୁ ସୁପାରିଶ କରିଥିଲା। ତେବେ ତଥାପି ଅନସେଫ ଦୋକାନ ଘରୁ ଦଶ ବର୍ଷ ଧରି ନଗରପାଳିକା ଭଡ଼ା ଆଦାୟ କରୁଥିଲା। ଏବେ କିନ୍ତୁ ବହୁ ଦିନର ପ୍ରତୀକ୍ଷା ପରେ ଏହି ଅସ୍ୱାସ୍ଥ୍ୟକର ବଜାରକୁ ଭଙ୍ଗା ଯାଇଛି। କିନ୍ତୁ ଏଠାରେ ଥିବା ପ୍ରଭାବଶାଳୀ ଜବରଦଖଲକାରୀଙ୍କ ଘର ଆଉ ଦୋକାନ ସବୁକୁ ଭଙ୍ଗା ଯାଇନି। ଅତୀତରେ ଜିଲ୍ଲାପାଳ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରାଇ ଜବରଦଖଲ ଥିବାରୁ ନଗରପାଳିକାକୁ ଭତ୍ସନା କରି ରିପୋର୍ଟ ଦେଇଥିଲେ। ପୁଣି ପୌର ନିର୍ବାହୀ ଅଧିକାରୀ ଏଠାରେ ଜବରଦଖଲ ଥିବା ସ୍ୱୀକାର କରି ସେସବୁ ହଟା ଯିବ ବୋଲି ଲିଖିତ ସୂଚନା ଦେଇଥିଲେ। ତେଣୁ ଏବେ ସେଠାରେ ପ୍ରକୃତ ମୂଲ୍ୟବାନ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ସମାଜସେବୀ ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ସାହୁ ସବୁ ତଥ୍ୟ କାଗଜପତ୍ର ସହ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରଶାସନ ନିଜ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦରଖାସ୍ତ ପୁଣି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ଗ୍ରହଣ କରି କେନ୍ଦୁଝରଗଡ଼ ପୌର ନିର୍ବାହୀ ଲଳିତ ନାୟକ ମଧ୍ୟ କୌଣସି ଜବରଦଖଲକାରୀଙ୍କୁ ଛଡା ଯିବନି ନିଶ୍ଚିତ ସେଠାରେ ଅଭିଯାନ ଆରମ୍ଭ ହେବ କହିଛନ୍ତି। ତେବେ ଏଵେ ଦେଖିବାକୁ ବାକି ରହିଲା ରାଜନୈତିକ ପ୍ରଭାବ ଦ୍ୱାରା ବଜାର ମଝିରେ ଜବରଦଖଲ ରହୁଛି ନା ବୁଲଡୋଜର ମାଡ଼ରେ ମାଟିରେ ମିଶୁଛି।








