ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଚଳିତ ଫେବୃଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଅନୁଷ୍ଠିତ ହେବ ଜିଲ୍ଲା ମହୋତ୍ସବ ଯତରା -୨୦୨୬। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯତରା ଆୟୋଜନ ଉପରେ ଆଲୋଚନା କରିଥିଲେ। ଯତରା ଅବସରରେ ସହର ମଧ୍ୟରେ ସୁନ୍ଦର ଆଲୋକିକରଣ ବ୍ୟବସ୍ଥା ମଧ୍ୟ କରାଯିବ। ଏକ ସ୍ବତନ୍ତ୍ର ମିନା ବଜାର ମଧ୍ୟ ଆୟୋଜିତ ହେବ। ସେହିଭଳି ସୁଭଦ୍ରା ଶକ୍ତି ମେଳା ମଧ୍ୟ ଆୟୋଜିତ ହେବ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳ ମାନଙ୍କ ରୁ ସ୍ଵଂୟ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ଉତ୍ପାଦକ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକ ମଧ୍ୟ ଉପଲବ୍ଧ ହେବ। ସେହିପରି ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଗୁଡ଼ିକ ମଧ୍ୟ ରହିବ , ଯେଉଁ ଥିରେ କି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଗୁଡ଼ିକ ଉପଲବ୍ଧ ହେବ।
ସେହିଭଳି ଜିଲ୍ଲାପାଳ ଡ଼ା ମହାପାତ୍ର ଏହି ପାଞ୍ଚ ଦିନିଆ ଜିଲ୍ଲା ମହୋତ୍ସବ ରେ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ।
ଯତରାର ପ୍ରଥମ ଦିନରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ,ଓଡ଼ିଶୀ ଓ ଆସାମ ରୁ ବିହୁ ନୃତ୍ୟ ରହିଛି ଏବଂ ତାରକା ରାତ୍ରି ରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ରୁକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ ଓ ବର୍ଣାଳି ହୋତା ଙ୍କ କାର୍ଯ୍ୟକ୍ରମ ରହିଛି। ସେହିଭଳି ଦ୍ୱିତୀୟ ଦିବସରେ ମଧ୍ୟ ଆଦିବାସୀ ନୃତ୍ୟ, ଦୁରୁଆ ନୃତ୍ୟ, ସମ୍ବଲପୁରୀ, ସ୍ଥାନୀୟ ସାର୍ଥକ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜସ୍ଥାନ ଦଳ ଦ୍ଵାରା ଘୁମର ଓ କାଲବେଲିଆ ନୃତ୍ୟ ରହିଛି ଏବଂ ତାରକା ରାତ୍ରି କାର୍ଯ୍ୟକ୍ରମରେ କଣ୍ଠ ଶିଳ୍ପୀ ଏମ ଡି ଦାନିସଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। । ତୃତୀୟ ଦିବସରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ, ବାଘ ନାଚ ଏବଂ ପଶ୍ଚିମ ବଙ୍ଗରୁ ପୁରୁଲିଆ ଛଉ ନୃତ୍ୟ ରହିଛି ଏବଂ ତାରକା ରାତ୍ରିରେ ପ୍ରଖ୍ୟାତ ବଲିଉଡ୍ କଣ୍ଠ ଶିଳ୍ପୀ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ରହିଛି। ଚତୁର୍ଥ ଦିନରେ କୋୟା ନୃତ୍ୟ, ଘୁଡୁକା ନୃତ୍ୟ, ସମ୍ବଲପୁରୀ ଓ ପଞ୍ଜାବ ର ଦଳ ଦ୍ଵାରା ଭାଙ୍ଗଡା ନୃତ୍ୟ ରହିଛି ଏବଂ ବଲିଉଡ୍ କଣ୍ଠ ଶିଳ୍ପୀ ପଲକ୍ ମୁଛଲ୍ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପଞ୍ଚମ ଦିନରେ ଓଡ଼ିଶୀ, କଥକ,ଘୁମୁରା ଏବଂ ମହାରାଷ୍ଟ୍ର ରୁ ଲାବନୀ ନୃତ୍ୟ ରହିଛି ଏବଂ କଣ୍ଠ ଶିଳ୍ପୀ ମଣ୍ଟ୍ଟ ଛୁରିଆ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ କାର୍ଯ୍ୟକ୍ରମ ରେ ଓଲିଉଡ ଅଭିନେତା ସୈଲେନ୍ଦ୍ର ଏବଂ ଭୂମିକା, ସ୍ବରାଜ, ସୂର୍ଯ୍ୟମୟୀ, ଦିବ୍ୟା, କୁକିଜ୍ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିବେ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସେହିଭଳି ପ୍ରତ୍ୟେକ ସନ୍ଧ୍ୟାରେ ବ୍ଲକ ସ୍ତର ଯତରା କାର୍ଯ୍ୟକ୍ରମର ଗୋଟିଏ ଲେଖାଏଁ ଦଳ ମଧ୍ୟ ଅଂଶ ଗ୍ରହଣ କରିବେ। ଏହା ସହିତ ଡ୍ରନ ସୋ, ସ୍ୟାଣ୍ଡ ଆନିମେସନ ଆଦି ମଧ୍ୟ ଆୟୋଜିତ ହେବାର ଯୋଜନା ରହିଛି।
ସେହିଭଳି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ।
ଏହି ସବୁ କାର୍ଯ୍ୟକ୍ରମ ଗୁଡିକୁ ଶାନ୍ତି ଶୃଙ୍ଖଳାର ସହ ସରସ ସୁନ୍ଦର ଭାବେ ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳ ଡ଼ା ମହାପାତ୍ର ସମସ୍ତ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ୍ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ୍ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପି ଏ ଆଇ ଟି ଡି ଏ ଶ୍ରୀ ଧୀରେନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା
ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।








