ହେଡଲାଇନସ୍:

କେନ୍ଦ୍ରୀୟ ବଜେଟକୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ୨୦୨୬-୨୭ ଆର୍ଥିକ ବର୍ଷକୁ ନେଇ ଫେବୃଆରୀ ୧ ତାରିଖ ଦିନ ଭାରତୀୟ ପାର୍ଲିଆମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଥିଲେ। ବଜେଟରେ ଥିବା ବିଶେଷ ଦୃଷ୍ଟିକୋଣକୁ ନେଇ ଆଜି ରାଉରକେଲା ପାନ୍ଥନିବାସ ସମ୍ମିଳନୀ କକ୍ଷରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ବଜେଟ୍ ବିଷୟରେ ଆଲୋଚନା କରିବା ସହିତ ଓଡିଶା ସେଥିରୁ କିପରି ଉପକୃତ ହୋଇପାରିବ, ସେ ବିଷୟରେ ସୂଚନା ଦେଇଥିଲେ।
ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି। ସେଥିମଧ୍ୟରେ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ବତନ୍ତ୍ର ବିରଳ ମୃତ୍ତିକା ଖଣିଜ କରିଡର ପ୍ରତିଷ୍ଠା କରାଯିବ।
ଓଡ଼ିଶାରେ ଜାତୀୟ ଜଳ ମାର୍ଗ-୫ ନିର୍ମାଣ କରାଯିବା ସହ ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ାଯିବା ପାଇଁ ବଜେଟରେ ପ୍ରସ୍ତାବ ରହିଛି।
ଓଡ଼ିଶା ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ୍ ଟ୍ରେଲ୍ ବା କଇଁଛ ସୁରକ୍ଷାସ୍ଥଳୀ ବିକଶିତ କରାଯିବା ପାଇଁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।
ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଭଳି ଖଣିଜ ସମୃଦ୍ଧ ରାଜ୍ୟରେ ସ୍ବତନ୍ତ୍ର ବିରଳ ମୃର୍ତ୍ତିକା କରିଡର ପ୍ରତିଷ୍ଠା କରାଯିବ। ଏହା ବିରଳ ମୃର୍ତ୍ତିକା ଖନନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବ।
ଦେଶରେ ୨୦ଟି ନୂଆ ଜାତୀୟ ଜଳମାର୍ଗ ବିକଶିତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ଓଡ଼ିଶାରେ ଜାତୀୟ ଜଳ ମାର୍ଗ-୫ ନିର୍ମାଣ କରାଯିବ । ଏହି ଜଳମାର୍ଗ ତାଳଚେର ଏବଂ ଅନୁଗୁଳର ଖଣି ସମୃଦ୍ଧ କ୍ଷେତ୍ରକୁ କଳିଙ୍ଗ ନଗର ସହିତ ପାରାଦୀପ ଓ ଧାମରା ବନ୍ଦରକୁ ଯୋଡ଼ିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ବିକାଶ ଲାଗି ତାଲିମ ଅନୁଷ୍ଠାନଗୁଡ଼ିକୁ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ରୂପେ ବିକଶିତ କରାଯିବ । ଏହାବ୍ୟତୀତ ବାରଣାସୀ ଏବଂ ପାଟନାରେ ଅନ୍ତର୍ଦେଶୀୟ ଜଳ ମାର୍ଗ ନିମନ୍ତେ ଜାହାଜ ମରାମତି ଶିଳ୍ପ କେନ୍ଦ୍ର ନିର୍ମାଣ କରାଯିବ । ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଦ୍ବାରା ମଧ୍ଯ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଲାଭାନ୍ବିତ ହେବେ । ଏହା ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଉପକୂଳ ଜାହାଜ ଚଳାଚଳକୁ ବଢ଼ାଇବ।
ସମଗ୍ର ଦେଶରେ ସାତଟି ହାଇସ୍ପିଡ୍ ରେଳ କରିଡର ପ୍ରତିଷ୍ଠା କରାଯିବ । ଘରୋଇ କ୍ଷେତ୍ରରେ ଭାଗିଦାରୀରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନାରେ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ। ଦେଶରେ ତିନୋଟି ନୂଆ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା ନିମନ୍ତେ ବଜେଟରେ ଘୋଷଣା କରାଯାଇଛି। ପୂର୍ବ ଭାରତରେ ଡିଜାଇନ୍ ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହନ ଲାଗି ନୂଆ ଜାତୀୟ ଡିଜାଇନ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ସେହିପରି ଦେଶର ୧୫ହଜାର ସ୍କୁଲ୍ ଏବଂ ୫୦୦ କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର ପ୍ରୟୋଗଶାଳା ପ୍ରତିଷ୍ଠା ଲାଗି ମୁମ୍ବାଇର ଆଇଆଇସିଟିକୁ ସହାୟତା ଯୋଗାଇ ଦିଆଯିବ I ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ କରିଡର ପାଖରେ ପାଞ୍ଚଟି ବିଶ୍ବବିଦ୍ୟାଳୟ ସହର ବିକଶିତ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।
ଓଡ଼ିଶା ସମେତ କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ କ୍ଷେତ୍ରରେ ଟର୍ଟଲ୍ ଟ୍ରେଲ୍ ବା କଇଁଛ ସୁରକ୍ଷା ସ୍ଥଳୀ ବିକଶିତ କରାଯିବ। ଏହା ମାଧ୍ୟମରେ କଇଁଚ୍ଛଙ୍କ ଅଣ୍ଡାଦାନ ଏବଂ ଛୁଆ ଫୁଟାଇବା ପ୍ରକ୍ରିୟା ନିମନ୍ତେ ସୁରକ୍ଷିତ ଆବାସସ୍ଥଳୀ ଯୋଗାଇ ଦିଆଯାଇପାରିବ। ଦେଶରେ ୧୫ଟି ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ବିକଶିତ କରାଯିବ। ବିକାଶ ଏବଂ ନିଯୁକ୍ତି ସୁଯୋଗକୁ ତ୍ବରାନ୍ବିତ କରିବା ପାଇଁ ପୂର୍ବୋଦୟ ରାଜ୍ୟ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ଦୁର୍ଗାପୁରରେ ଏକ ସୁସଂଯୁକ୍ତ ନୋଡ୍ ସହିତ ସମନ୍ବିତ ପୂର୍ବତଟ ଶିଳ୍ପ କରିଡର, ୫ଟି ପୂର୍ବୋଦୟ ରାଜ୍ୟରେ ୫ଟି ପର୍ଯ୍ୟଟନ ସ୍ଥଳ ସୃଷ୍ଟି ଏବଂ ୧୦୦୦ ଇ-ବସ୍ ବ୍ୟବସ୍ଥା କରାଯିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ଅଧିକ ନଡ଼ିଆ ଉତ୍ପାଦିତ ରାଜ୍ୟରେ ନଡ଼ିଆ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯିବ । ଏହାବ୍ୟତୀତ ଉପକୂଳବର୍ତ୍ତୀ ରାଜ୍ୟରେ ନଡ଼ିଆ, ଚନ୍ଦନ, କୋକୋଆ ଏବଂ କାଜୁ ଭଳି ଚାଷକୁ ପ୍ରୋତ୍ସାହନ ମିଳିବ। ସରକାର ଷୋଡ଼ଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ରାଜ୍ୟମାନଙ୍କୁ ୧.୪ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ । ଏଥିରେ ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନ ଲାଗି ଅନୁଦାନ ଏବଂ ବିପର୍ଯ୍ୟୟ ପରିଚାଳନା ଅନୁଦାନ ସାମିଲ ରହିଛି ବୋଲି ବଜେଟରେ ବ୍ୟବସ୍ଥା ରହିଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଥିଲେ।
କେନ୍ଦ୍ରୀୟ ବଜେଟକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ବିଜେପି ପ୍ରବକ୍ତା ଧିରେନ ସେନାପତି, ରାଉରକେଲା ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ବିଜେପିର ବରିଷ୍ଠ ନେତା ଜଗବନ୍ଧୁ ବେହେରା, ଅଭିରାମ ମହାକୁଲ, ଅମରେନ୍ଦ୍ର ଶରଣ, ସତ୍ଯ ଶର୍ମା, ରାଉରକେଲା ଜିଲ୍ଲା ବିଜେପି ପ୍ରବକ୍ତା ଗଙ୍ଗାଧର ଦାଶ, ରଂଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault