ଜଗତସିଂହପୁର,ତା-୦୨.୦୨.୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ର ମେଳା ସୁଭଦ୍ରା ଶକ୍ତି ମେଳା ଉଦଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପାଇଁ ନୂତନ ବଜାର ଓ ବ୍ୟବସାୟ ସୃଷ୍ଟି କରି ଅର୍ଥନୀତିକୁ ନୂତନ ଗତି ଦେବା ଲକ୍ଷ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ୩୦ ଜିଲ୍ଲାର ପ୍ରତିନିଧିତ୍ବ ରହିଛି।
ମେଳାକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଆମେ ସମସ୍ତେ ସ୍ଵଦେଶୀ ଦ୍ରବ୍ଯ ବ୍ୟବହାର କରିବା ପାଇଁ ସେ ଗୁରୁତ୍ବ ଦେଇଥିଲେ ଯାହାଦ୍ବାରା ଦେଶ ଆତ୍ମ ନିର୍ଭର ହେବା ସହ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ। ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଗ୍ରାମୀଣ ଉତ୍ପାଦର ବିପଣନକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ନୂତନ ବଜାର ଏବଂ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ଉତ୍ପାଦର ବିକ୍ରୟ ବୃଦ୍ଧି କରିବା, ମହିଳା ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଗୁଣର ବିକାଶ, ବାଜରା ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଜନସଚେତନତା, ଗ୍ରାମୀଣ ଅର୍ଥନୀତିକୁ ନୂତନ ଦିଗ ଏବଂ ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ସାମାଜିକ ସ୍ୱୀକୃତି ପ୍ରଦାନ କରିବା। ଲକ୍ଷପତି ଦିଦି ସୃଷ୍ଟି ରେ ଜିଲ୍ଲା ସମଗ୍ର ରାଜ୍ୟ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ମାତ୍ର ବାଣୀ କ୍ଷେତ୍ର ସର୍ବଦା ପ୍ରଥମ ସ୍ଥାନ ରେ ରହିଥାଏ ତେଣୁ ସେହି ସ୍ଥାନ ରେ ପହଞ୍ଚିବାକୁ ସର୍ବଦା ଚେଷ୍ଟା ଜାରୀ ରହିବ ବୋଲି ସେ କହିଥିଲେ। ଜିଲ୍ଲା ରେ ଅନ୍ୟାୟ ଅନୀତି ଠାରୁ ଦୂରରେ ରହି ସୁଦୃଢ଼ ଜିଲ୍ଲା ଗଠନ ଦିଗରେ ବ୍ରତୀ ହେବାପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ।
ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମହିଳା ମାନେ ଆତ୍ମନିର୍ଭର ହୋଇପାରିଲେ ବିକଶିତ ଓଡ଼ିଶା ଗଠନ ହୋଇପାରିବ।
ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ରହି ଓଡ଼ିଶା ତଥା ଜିଲ୍ଲା ର ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ମେଳା ପୃଷ୍ଠଭୂମି ଯୋଗାଇବ ବୋଲି କହିଥିଲେ।
ସଭାରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ନାରୀ ଶକ୍ତି ର ଉନ୍ନତି ରେ ଦେଶର ଉନ୍ନତି ସମ୍ଭବ ବୋଲି କହିଥିଲେ। ଶେଷ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ନବକୃଷ ଚୋଧୁରୀ ଷ୍ଟାଡିୟମ୍ ପରିସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ୩୦ ଜିଲ୍ଲାର ୧୫୦ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଛନ୍ତି ।୨୦ ଟି ପାରମ୍ପରିକ ଖାଦ୍ଯ ଷ୍ଟଲ ମୁଖ୍ୟ ଆକର୍ଷଣ ରହିଛି। ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓରମାସ ସହଯୋଗ ରେ ଆୟୋଜିତ ଏହି ମେଳା ଆଗାମୀ ୮ ତାରିଖ ପର୍ଯ୍ଯନ୍ତ ଚାଲିବ। ଆଜିର ଉଦଘାଟନୀ ଉତ୍ସବରେ ବିଭିନ୍ନ ବ୍ଲକ୍ ରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ, ସମସ୍ତ ପ୍ରଶାସନିକ ଅଧିକାରୀ, ସହର ର ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।








