କେନ୍ଦୁଝର,ତା୨/୨- କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ପ୍ରତିବର୍ଷ ଆସୁଥିବା ବନ୍ୟା ଓ ଏଥିରୁ ସୃଷ୍ଟ ହେଉଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ସୋମବାର ଦିନ ଉଠାଇ ବ୍ୟାରେଜ ନିର୍ମାଣ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି । ସେ ନିୟମ ୩୭୭ ଅନୁଯାୟୀ ଲୋକସଭାରେ ଉଠାଇଛନ୍ତି।
ସାଂସଦ ନାୟକ କହିଛନ୍ତି ଯେ, ହାଟଡିହି ବ୍ଲକରେ ବୈତରଣୀ ନଦୀର ବାମ କୂଳରେ ସ୍ଥାୟୀ ବନ୍ଧ ନଥିବାରୁ ୧୯୭୨, ୧୯୯୯, ୨୦୦୯, ୨୦୧୧, ୨୦୧୨, ୨୦୧୩, ୨୦୧୪ ଏବଂ ୨୦୨୧ ମସିହାରେ ଅଞ୍ଚଳଟି ଭୟାବହ ବନ୍ୟାର ସମ୍ମୁଖୀନ ହୋଇଥିଲା।
ସେ କହିଛନ୍ତି ଯେ ବନ୍ୟା କାରଣରୁ ରାଧାପୁରରୁ ବାଲିପୁର ଦେଇ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ଏବଂ ସମଣାରୁ ଆମ୍ବୋ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ଅଞ୍ଚଳ ପ୍ରଭାବିତ ହୁଏ। ଏଥିରେ ପ୍ରାୟ ୨୫,୦୦୦ ଲୋକ ପ୍ରଭାବିତ ହେଉଥିବା ବେଳେ ୧,୦୦୦ ଏକରରୁ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୁଏ। ସେ କହିଛନ୍ତି ଯେ ପଞ୍ଚୁଗୋଛିଆ, ଆମ୍ବୋ, ବଞ୍ଚୋ ଓ ସୁଲଣ ଗ୍ରାମ ପଞ୍ଚାୟତ ମଧ୍ୟରେ ବୈତରଣୀର ଉପନଦୀ ‘ଢେଙ୍କା ’ ପ୍ରବାହିତ ହୋଇ ତରଭା ନିକଟରେ ବୈତରଣୀ ନଦୀରେ ମିଶିଛି। ଆଡ଼ିବନ୍ଧ ଦୁର୍ବଳ ଥିବାରୁ ବନ୍ୟା ସମୟରେ ଆମ୍ବୋ ଓ ରମ୍ପାସ ଗ୍ରାମ ପଞ୍ଚାୟତ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ସାଂସଦ ଅନନ୍ତ ନାୟକ ଦାବି କରିଛନ୍ତି ଯେ ଯଦି ଆମ୍ବୋ ତଟବର୍ତ୍ତୀ ଢେଙ୍କା ଉପନଦୀରେ ଏକ ବ୍ୟାରେଜ୍ ନିର୍ମାଣ କରାଯାଏ ଏବଂ ବୈତରଣୀ ନଦୀର ବାମ କୂଳରେ ସ୍ଥାୟୀ ବନ୍ଧ ତିଆରି ହୁଏ, ତେବେ ଚାଷ ଜମିକୁ ବନ୍ୟା ଜଳରୁ ରକ୍ଷା କରାଯିବା ସହ ଉପରୋକ୍ତ ପଞ୍ଚାୟତମାନଙ୍କ ମଧ୍ୟରେ ଯାତାୟାତ ସୁବିଧା ସୁନିଶ୍ଚିତ ହୋଇପାରିବ।ସେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ରାଜ୍ୟ
ଲୋକସଭାରେ ବୈତରଣୀ ବନ୍ୟା ସମସ୍ୟା ଉଠିଲା, ସାଂସଦ ଅନନ୍ତ ନାୟକଙ୍କ ବ୍ୟାରେଜ ନିର୍ମାଣ କରିବାକୁ ଦାବି
- Hits: 54








