ଓଡ଼ଗାଁ, ୨୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକସାନ୍ତପ୍ତ କରିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ବାପା–ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ସ୍ଥାନୀୟ ମଶାବାରି ଗାଁର ଛଇଳ ବିଶୋଇ (୭୦) ଓ ତାଙ୍କ ପୁଅ ଲକ୍ଷ୍ମୀଧର ବିଶୋଇ (୪୫)। ଗୁରୁତର ଆହତ ଜଣକ ହେଲେ ଓଡ଼ଗାଁ ଏନଏସି ଅନ୍ତର୍ଗତ ଖଜୁରିଆ ଗ୍ରାମର ମୁନା ବାରିକ (୨୦)। ଘଟଣା ସୂଚନା ଅନୁସାରେ, ଲକ୍ଷ୍ମୀଧର ବିଶୋଇ ତାଙ୍କ ବାପା ଛଇଳ ବିଶୋଇଙ୍କୁ ବାଇକରେ ବସାଇ ମଶାବାରି ରୋଡ଼ସାହିରୁ ବାହାଡ଼ାଝୋଲା ଦିଗକୁ ଯାଉଥିବା ସମୟରେ ଘରଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା କୈବଲ୍ୟପୁର ଛକ ନିକଟରେ ପୂର୍ବଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଭୟଙ୍କର ଧକ୍କାରେ ଦୁଇଟି ବାଇକରେ ଥିବା ସମସ୍ତ ୪ଜଣ ଲୋକ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ସ୍ଥଳରୁ କେବଳ ୧୫୦ ମିଟର ଦୂରରେ ଥିବା ବିଶୋଇ ପରିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ନେଇଯିବାର ବ୍ୟବସ୍ଥା କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସକ ଲକ୍ଷ୍ମୀଧର ବିଶୋଇ ଓ ତାଙ୍କ ବାପା ଛଇଳ ବିଶୋଇଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ମୁନା ବାରିକଙ୍କ ଅବସ୍ଥା ଚିନ୍ତାଜନକ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ଆହତମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଉଭୟ ପକ୍ଷର ଶହ ଶହ ଲୋକ ଆସି ଓଡ଼ଗାଁ ଡାକ୍ତରଖାନାରେ ଊଣ୍ଡ ହେବା ସହିତ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ହୃଦୟବିଦାରକ ଦୁର୍ଘଟଣା ପରେ ମଶାବାରି ଓ ଆସପାସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କ ନିକଟରେ ଏହି ରାସ୍ତାରେ ଯାତାୟାତ ସୁରକ୍ଷା ବ୍ୟବସ୍ଥା, ସ୍ପିଡ୍ନିୟନ୍ତ୍ରଣ ଓ ସଚେତନତା ବଢ଼ାଇବା ପାଇଁ ଦାବି କରିଛନ୍ତି।
ରାଜ୍ୟ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା–ପୁଅ ମୃତ, ଜଣେ ଗୁରୁତର,
- Hits: 8








