-
ପୋଲିସ ବାହିନୀର ପ୍ରଚଣ୍ଡ ପ୍ରହାରରେ ସାମ୍ବାଦିକ ଦଳ ଧରାଶାୟୀ।
-
ଜିଲ୍ଲାପାଳ ଏକାଦଶ ବିପକ୍ଷରେ ଖୁବ ଲଢ଼ି ନାଗରିକ ଏକାଦଶ ହାରିଲା।
କେନ୍ଦୁଝର,ତା୨୬/୧- ୭୭ତମ ଗଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଷ୍ଟାଡିୟମ ଠାରେ ଦୁଇଟି ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ କେନ୍ଦୁଝର ପୋଲିସ ଦଳ ସହ ସାମ୍ବାଦିକଙ୍କ ମାନଙ୍କ ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ସାମ୍ୱାଦିକ ବାହିନୀ ପୋଲିସ ଦଳର ମୁକାବିଲା କରିନପାରି ନିର୍ଦ୍ଧାରିତ ୫ ଓଭରରେ ମାତ୍ର ୨୭ ରନ କରି ପାରିବାକୁ ସକ୍ଷମ ହୋଇଥିଲେ। ଗୋଟେ ପଟେ ସୁଦର୍ଶନ ସ୍ୱାଇଁ ପ୍ରାଚୀର ଭଳି ଖେଳିଥିବା ବେଳେ ବାକିମାନେ ସହଳ ଆଉଟ ହୋଇଥିଲେ। ଏହାପରେ ପୋଲିସ ବାହିନୀ ମୁଖ୍ୟତଃ ରିଜର୍ଭ ପୋଲିସ ଖେଳାଳୀମାନେ ସାମ୍ବାଦିକ ମାନଙ୍କ ବଲକୁ ବାରଣ୍ଡାରୀ ବାହାରକୁ ପଠାଇ ମ୍ୟାଚକୁ ମାତ୍ର ୩ଓଭରରେ ଜିତି ଯାଇଥିଲେ। ତେବେ ଏହାପରେ ଦ୍ୱିତୀୟ ମ୍ୟାଚ ଖୁବ ଉପଭୋଗ୍ୟ ହୋଇଥିଲା, ଜିଲ୍ଲପାଳ ଏକାଦଶ ସହ ନାଗରିକ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ଡିଏଫଓ ଧନରାଜ ଏଚଡି ଓ ସିଟିଜେନ କମିଟିର ଦିଲୀପ କୁମାର ସାହୁ ନିଜ ଦଳର ନେତୃତ୍ୱ ନେଇଥିଲେ। ଜିଲ୍ଲାପାଳ ଏକାଦଶରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ନାଗଭୂଷଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ, କ୍ୟାପଟେନ ବିଜୟ କୁମାର ବେହେରା ଆଦି ବରିଷ୍ଠ ଅଧିକାରୀ ଖେଳିଥିଲେ। ସେହିପରି ନାଗରିକ ଦଳରୁ କ୍ରୀଡ଼ାବିତ ସୁଧା ନାୟକ,ଡକ୍ଟର ସନ୍ଦୀପ ପଟ୍ଟନାୟକ,ରବି ନାରାୟଣ ପାଢ଼ୀ, ସମାଜସେବୀ ସତ୍ୟନାରାୟଣ ବାରିକ, ସତ୍ୟଜିତ ସାମନ୍ତରାୟ,ଦୁର୍ଯ୍ୟୋଧନ ସାହୁ ଆଦି ଖେଳିଥିଲେ। ଜିଲ୍ଲାପାଳ ଦଳ ୬୦ ରନ କରିଥିବା ବେଳେ ନାଗରିକ ଦଳ ୪୭ ରନ କରି ପରାଜିତ ହୋଇଥିଲା। ମ୍ୟାଚରେ ଅମ୍ପେୟାର ଭାବେ ଡାକ୍ତର ସଂଜୀବ କୁମାର ହୋତା ଓ ବରିଷ୍ଠ ଓକିଲ ଅଶ୍ୱନୀ ପଟ୍ଟନାୟକ ଦାୟିତ୍ୱ ନିଭାଇଥିଲା ବେଳେ ସାମ୍ବାଦିକ ସଂଗ୍ରାମ କେଶରୀ ମିଶ୍ର ସ୍କୋରର ଦାୟିତ୍ୱ ତୁଲାଇ ଥିଲେ।








