କେନ୍ଦୁଝର ହେବ ଓଡ଼ିଶାର ଆଦର୍ଶ ଜିଲ୍ଲା -ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କେନ୍ଦୁଝର,ତା୨୬/୧-୭୭ତମ ସାଧାରଣତନ୍ତ୍ର ଦିବସ ଚଳିତ ଜାନୁଆରୀ ୨୬ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ପାତ୍ର ବିକଶିତ ଭାରତ ଓ ବିକଶିତ ଓଡିଶା ଆମର ସ୍ୱପ୍ନ ଓ ସଂକଳ୍ପ ହେଉ ବୋଲି ଆହ୍ୱାନ ଜଣାଇଥିଲେ । ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବା ସହ ଦେଶ ପ୍ରତି ନିଜର କର୍ତବ୍ୟ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ । ଉଦ୍ବୋଧନ ଛଳରେ ମନ୍ତ୍ରୀ ଶ୍ରୀ ପାତ୍ର ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ କରିଥିବା ଏବଂ ବଳିଦାନ ଦେଇଥିବା ସଂଗ୍ରାମୀ ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଜଣାଇଥିଲେ। କେନ୍ଦୁଝର ଜିଲ୍ଲାକୁ ବୀର ମାଟି ଭାବେ ଅଭିହିତ କରି ସ୍ୱାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କର ଉଚ୍ଚ ଆଦର୍ଶ ଆମ ପାଇଁ ପ୍ରେରଣା ସାଜିଛି ବୋଲି କହିଥିଲେ । ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବର୍ଣ୍ଣବୈଷମ୍ୟ ତଥା ତାରତମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଭାରତୀୟ ସମ୍ବିଧାନର ବିଶେଷତ୍ୱ । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିଶ୍ୱାସ ରଖି ନିଜଠାରେ ଆତ୍ମବିଶ୍ୱାସ ଆଣିବା ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉଦ୍ୟମ ଜାରି ରହିଛି ବୋଲି କହିବା ସହିତ ସରକାରଙ୍କ ଦ୍ୱାରା ପ୍ରବର୍ତିତ ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରିଥିଲେ । ସମସ୍ତେ ମିଳିମିଶି କେନ୍ଦୁଝର ଜିଲ୍ଲା ତଥା ଓଡିଶାର ପ୍ରଗତିକୁ ତ୍ୱରାନ୍ୱତ କରିବା ସହ ଏହାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଯୋଜନାର ସଠିକ ପରିଚାଳନା ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ଆୟୋଜିତ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ରେ ୫୩ଟି ଦଳ ଅଂଶଗ୍ରହଣ କରି ଚିତାକର୍ଷକ ମାର୍ଚ୍ଚପାଷ୍ଟ୍ କରିଥିଲେ ଏବଂ ମୁଖ୍ୟ ଅତିଥି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮ଟି ବିଭାଗ ତରଫରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ଏବଂ ୪ଟି ଶିକ୍ଷାନୁଷ୍ଠାନ ତରଫରୁ ଦୋଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କେନ୍ଦୁଝର ଜିଲ୍ଲା ଆମେଚର୍ ତାଇକୋଣ୍ଡ ଆସୋସିଏସନ୍ ତରଫରୁ ତାଇକୋଣ୍ଡ ପ୍ରଦର୍ଶନ କରାଯାଇଥିଲା ।
ଚିତାକର୍ଷକ ପ୍ୟାରେଡ୍ ପାଇଁ ଶ୍ରେଷ୍ଠ ଦଳ ଭାବେ ଏନ୍.ସି.ସି. / ସ୍କାଉଟ୍/ ଗାଇଡ୍/ ରେଡ୍କ୍ରସ୍ ବାଳିକା ବର୍ଗରେ ସିନିୟର ଡିଭିଜନ୍ ଏନ୍.ସି.ସି. ଡି.ଡି. କଲେଜ୍ କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳ ଭାବେ ଏନ୍.ସି.ସି. ଡି.ଏନ୍. ହାଇସ୍କୁଲ କେନ୍ଦୁଝର, ସିଭିଲିଆନ୍ ସିନିୟର୍ ବର୍ଗରେ ଶ୍ରେଷ୍ଠ ବାଳିକା ଦଳ ଭାବେ ଏକଲବ୍ୟ ଆଦର୍ଶ ଆବଶ୍ୟକ ବିଦ୍ୟାଳୟ,କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳ ଭାବେ ଏନ୍.ଏସ୍. ପୋଲିସ୍ ହାଇସ୍କୁଲ କେନ୍ଦୁଝର ଏବଂ ସିଭିଲିଆନ୍ ଜୁନିୟର ବର୍ଗର ଶ୍ରେଷ୍ଠ ବାଳିକା ଦଳଭାବେ ସିଭିଲିଆନ ଡି. ଏ. ଭି ପବ୍ଲିକ୍ ସ୍କୁଲ, କେନ୍ଦୁଝର, ଏବଂ ଶ୍ରେଷ୍ଠ ବାଳକ ଦଳ ଭାବେ, ରବିନ୍ଦ୍ର ବିଦ୍ୟାନିକେତନ କେନ୍ଦୁଝରକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ପ୍ରଜ୍ଞାପନ ମେଢ ପ୍ରଦର୍ଶନ କ୍ଷେତ୍ରରେ ପ୍ରକଳ୍ପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, କେନ୍ଦୁଝର, ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ଉଦ୍ୟାନ କୃଷି ବିଭାଗ କେନ୍ଦୁଝର ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, କେନ୍ଦୁଝରକୁ ପୁରସ୍କୃତ କରାଯାଇଥିଲା । ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କିଡ୍ସ ପବ୍ଲିକ୍ ସ୍କୁଲ୍ କେନ୍ଦୁଝର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଣିଆପାଟ୍, ଏସବି ଇଣ୍ଟରନେସନାଲ ସ୍କୁଲ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର ଦଳକୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାପାଳ ବିଶାଲ ସିଂହ ଏବଂ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତତ୍ୱାବଧାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ସମାରୋହର ପରିଚାଳନା କରିଥିଲା ବେଳେ ଆର୍.ଆଇ.ଅଫ୍ ପୋଲିସ୍ ଶ୍ରୀ ମାନସ କୁମାର ବେହେରା ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡର ନେତୃତ୍ୱ ନେଇଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବନଖଂଡ ଅଧିକାରୀ ଶ୍ରୀ ଧନରାଜ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, କେନ୍ଦୁଝର ଉପ-ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ବିନୋଦ ବିହାରୀ ମିଶ୍ର, କେନ୍ଦୁଝର ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ କୁମାର ନାୟକ, କ୍ରୀଡା ପ୍ରଶିକ୍ଷକ ଶ୍ରୀ ଜିତେନ୍ଦ୍ର ମହାକୁଡଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ । ମଧ୍ୟାହ୍ନରେ କେନ୍ଦୁଝର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚରେ ଜିଲ୍ଲାପାଳ ଏକାଦଶ, ନାଗରିକ ଏକାଦଶକୁ ହରାଇ ବିଜୟୀ ହୋଇଥିଲା । ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍ଠାରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରେ ସହରରେ ରାମଧୂନ ପ୍ରଚାର କରାଯିବା ସହିତ ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଅଗ୍ରଣୀ କୃଷକ ଭାବେ କେନ୍ଦୁଝର ଉପଖଣ୍ଡର ବଂଶୀଧର ମହାନ୍ତ, ଆନନ୍ଦପୁର ଉପଖଣ୍ଡର କାହ୍ନୁ ଚରଣ ପରିଡା, ଚମ୍ପୁଆ ଉପଖଣ୍ଡର ସୁରେଶ ଚନ୍ଦ୍ର କୁଦାଦାଃ, ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସୁଶ୍ରୀ ସଂଯୁକ୍ତା ଦାସ, ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ଭାବେ ସୁଶ୍ରୀ ସୁବର୍ଣ୍ଣିକା ଚାମ୍ପିଆ, ଆଦର୍ଶ ଆଶାକର୍ମୀ ଭାବେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କୁନ୍ତୀ ସ୍ବାଇଁ, ଅଗ୍ରଣୀ ମାଣ୍ଡିଆ ଚାଷୀ ଭାବେ ସତ୍ୟବ୍ରତ ମହାନ୍ତ, ଶ୍ରେଷ୍ଠ ବ୍ଲକ ଭାବେ କେନ୍ଦୁଝର ସଦର ବ୍ଳକ୍, ଶ୍ରେଷ୍ଠ ତହସିଲ ଭାବେ ହରିଚାନ୍ଦନପୁର ତହସିଲ, ଶ୍ରେଷ୍ଠ ଥାନା ଭାବେ ଟାଉନ ଥାନା କେନ୍ଦୁଝରକୁ ପୁରସ୍କୃତ କରାଯାଇଥିଲା।








