ହେଡଲାଇନସ୍:

ମହା ଆଡମ୍ବର ସହିତ ଉଦଯାପିତ ବରମୁଣ୍ଡା ମକର ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ବରମୁଣ୍ଡା ଗ୍ରାମସ୍ଥିତ ପ୍ରସିଦ୍ଧ ଯୋଗେଶ୍ୱର ମଠରେ ତିନିଦିନିଆ ମକର ସଂକ୍ରାନ୍ତି ସଫଳତାର ସହିତ ଉଦଯାପିତ ହୋଇଯାଇଛି। ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏହି ମେଳାରେ ଗ୍ରାମ ସହିତ ସହ ଆଖପାଖ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିଲା।ସୋମବାର ଦିନ, ବରମୁଣ୍ଡା ଗ୍ରାମ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମର ଶ୍ରଦ୍ଧାଳୁମାନେ ପାରମ୍ପରିକ କଳସ ଯାତ୍ରାରେ ସାମିଲ ହୋଇଥିଲେ। ସଂକୀର୍ତନ ମଣ୍ଡଳୀର ମୃଦଙ୍ଗ ଓ ତାଳର ନାଦରେ ସମଗ୍ର ଗ୍ରାମ ଭକ୍ତିରସାମୃତ ହୋଇଉଠିଥିଲା। ବିଧିବିଧାନ ସହିତ ଯୋଗେଶ୍ୱର ମଠରେ କଳସ ସ୍ଥାପନ କରାଯାଇ ମେଳାର ଶୁଭାରମ୍ଭ ହୋଇଥିଲା। ଏହାପରେ ପ୍ରତିଦିନ ଗୀତା ପାଠ ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପ୍ରବଚକ ଉମାକାନ୍ତ ସାହୁ (ସୁକଲ ତେରେମା)ଙ୍କ ଦ୍ୱାରା ଦିଆଯାଇଥିବା ଭାଗବତ ଗୀତା ପ୍ରବଚନ ଶ୍ରଦ୍ଧାଳୁମାନଙ୍କୁ ଧାର୍ମିକ ଚେତନାରେ ଅନୁପ୍ରାଣିତ କରିଥିଲା।ଦ୍ୱିତୀୟ ଦିନ ମଙ୍ଗଳବାର, ଭୁବନେଶ୍ୱରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ସୁଭଦ୍ରା ଭଜନଧାରା’ ପକ୍ଷରୁ ଆୟୋଜିତ ଭଜନ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶରତଚନ୍ଦ୍ର ବାରିକ, ସୁନୀତା ମହାରଣା, ଜୀବନ ଦାଶ ଓ ସୁବର୍ଣ୍ଣ କୁମାରଙ୍କ ଭଜନ ପରିବେଶନ ଶ୍ରଦ୍ଧାଳୁଙ୍କୁ ଭକ୍ତିରସରେ ବିଭୋର କରିଥିଲା। ସେହି ଦିନ ପ୍ରଖ୍ୟାତ ପ୍ରବଚକ ଜିତେନ୍ଦ୍ର ଦାଶଙ୍କ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ତୃତୀୟ ଦିନ ବୁଧବାର, ପ୍ରବଚକ ଜିତେନ୍ଦ୍ର ଦାଶ ଓରଫ ଜିତୁ ଦାଶଙ୍କ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଥିଲା। ସନ୍ଧ୍ୟାରେ କେନ୍ଦୁଝରରୁ ଆସିଥିବା ‘ଅଲେଖ ମହିମା ଖଞ୍ଜଣି ଦଳ’ ଦ୍ୱାରା ଆୟୋଜିତ ଭଜନ ସନ୍ଧ୍ୟାରେ ଅଗଣିତ ଭକ୍ତ ଓ ଭକ୍ତାମାନଙ୍କର ସମାଗମ ହୋଇଥିଲା।ଏହି ଅବସରରେ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ମେଳାରେ ଯୋଗଦେଇ ଯୋଗେଶ୍ୱର ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଓ ଭକ୍ତମାନଙ୍କ ସହ ମକର ପ୍ରସାଦ ସେବନ କରିଥିଲେ। ସେ ଆୟୋଜକ କମିଟି ଓ ଗ୍ରାମବାସୀଙ୍କୁ ସାଧୁବାଦ ଜଣାଇ ଏପରି ପାରମ୍ପରିକ ଧାର୍ମିକ ଉତ୍ସବ ଆମ ସଂସ୍କୃତିକୁ ସଜୀବ ରଖୁଥିବା କଥା କହିଥିଲେ।ବରମୁଣ୍ଡା ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ମକର ମେଳା ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

0
0
0
s2sdefault