ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଶିକ୍ଷା ଓ କ୍ରୀଡା ଇତିହାସରେ ଆଉ ଏକ ଗର୍ବର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଗ କରି , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କଲେଜ ଆଥଲେଟିକ୍ ମିଟ୍–୨୦୨୫–୨୬ ମହାବିଦ୍ୟାଳୟର କ୍ରୀଡା ପରିସରରେ ଭବ୍ୟ , ଶୃଙ୍ଖଳିତ ଓ ଉତ୍ସବମୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ଦୁଇଦିନିଆ କ୍ରୀଡା ମହୋତ୍ସବ ୮ ଓ ୯ ଜାନୁଆରୀ ୨୦୨୬ ଧରି ଆୟୋଜିତ ହେଉଅଛି।
ପ୍ରାତଃ ସମୟରେ କ୍ରୀଡା ପରିଷଦର ଉପସଭାପତି ଡକ୍ଟର ସୁମନ୍ତ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ କ୍ରୀଡାପ୍ରେମୀ ଛାତ୍ରଛାତ୍ରୀମାନେ ମା ନୀଳମଣି ଦୁର୍ଗା ଠାକୁରାଣୀଙ୍କ ମନ୍ଦିରରୁ ମହାବିଦ୍ୟାଳୟ ଖେଳ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ କ୍ରୀଡାଜ୍ୟୋତି ଆଣିଥିଲେ। ଧାର୍ମିକ ଆସ୍ଥା ଓ କ୍ରୀଡାଚେତନାର ସମନ୍ୱୟରେ ଏହି ଶୋଭାଯାତ୍ରା ସମଗ୍ର ପରିବେଶକୁ ଉତ୍ସାହରେ ଭରିଦେଇଥିଲା।
ସକାଳ ୮ଟାରୁ ଆରମ୍ଭ ହୋଇଥିବା ଉଦ୍ଘାଟନୀ ସମାରୋହରେ ପ୍ରଥମେ କଲେଜର ଐତିହ୍ୟ ଓ ପରମ୍ପରାକୁ ସ୍ମରଣ କରି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇଥିଲା। ପରେ ଆମନ୍ତ୍ରିତ ଅତିଥିମାନଙ୍କ ଭବ୍ୟ ଆଗମନ ସହ ପ୍ରଦୀପ ପ୍ରଜ୍ୱଳନ ଓ ଭଗବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ସମାରୋହକୁ ଆଧ୍ୟାତ୍ମିକ ମର୍ଯ୍ୟାଦା ଦିଆଯାଇଥିଲା।
ଅତିଥିମାନଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ ପରେ ବିଭିନ୍ନ ହାଉସର ଖେଳାଳିମାନଙ୍କ ଶୃଙ୍ଖଳିତ , ଉତ୍ସାହଭରା ଓ ଶାନ୍ତିମୟ ମାର୍ଚ୍ଚ ପାଷ୍ଟ ସମସ୍ତ ଉପସ୍ଥିତଙ୍କ ମନକୁ ମୋହିତ କରିଥିଲା। ଏହି ଦୃଶ୍ୟ କ୍ରୀଡାରେ ଶିଷ୍ଟାଚାର , ଶୃଙ୍ଖଳା ଓ ଦଳୀୟ ସମନ୍ୱୟର ଜୀବନ୍ତ ଦୃଷ୍ଟାନ୍ତ ରୂପେ ପ୍ରତିଫଳିତ ହୋଇଥିଲା।
ସମାରୋହରେ ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ଥିବାବେଳେ , ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆନ୍ତର୍ଜାତୀୟ ଦୌଡ଼ାଳି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜ ଅନୁଭବ ଭାଗକରି ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେଇଥିଲେ।
ସମାରୋହର ସ୍ୱାଗତ ଭାଷଣ କ୍ରୀଡା ପରିଷଦର ଉପସଭାପତି ଡକ୍ଟର ସୁମନ୍ତ କୁମାର ବେହେରା ପ୍ରଦାନ କରି କଲେଜର ଗର୍ବଜନକ କ୍ରୀଡା ପରମ୍ପରା , ଛାତ୍ରଛାତ୍ରୀଙ୍କ ସଫଳତା ଓ କ୍ରୀଡାର ଶିକ୍ଷାମୂଳକ ମୂଲ୍ୟ ଉପରେ ସୁସ୍ପଷ୍ଟ ଆଲୋକପାତ କରିଥିଲେ। ସଭାପତି ଓ ମୁଖ୍ୟ ଅତିଥି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, କ୍ରୀଡା ଛାତ୍ରଜୀବନକୁ କେବଳ ଶାରୀରିକ ଭାବେ ନୁହେଁ , ମାନସିକ , ନୈତିକ ଓ ସାମାଜିକ ଭାବେ ମଧ୍ୟ ସୁଦୃଢ଼ କରେ। ଶୃଙ୍ଖଳା , ନିଷ୍ଠା , ସହଭାବନା ଓ କ୍ରୀଡାସ୍ପୃହା ହେଉଛି ସଫଳ ଜୀବନର ମୂଳମନ୍ତ୍ର ବୋଲି ସେମାନେ ଉଲ୍ଲେଖ କରିଥିଲେ।
ଏହା ପରେ ବିଭିନ୍ନ ହାଉସର କ୍ୟାପ୍ଟେନମାନେ ନିଜ ନିଜ ପତାକା ସହ ଶପଥ ଗ୍ରହଣ କରି ସତ୍ୟନିଷ୍ଠା , ସମାନତା ଓ କ୍ରୀଡାସ୍ପୃହାର ମୂଲ୍ୟବୋଧକୁ ଅଟୁଟ ରଖି ପ୍ରତିଯୋଗିତା କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ପରେ ମୁଖ୍ୟ ଅତିଥି ଔପଚାରିକ ଭାବେ “୬୧ତମ ବାର୍ଷିକ କଲେଜ ଆଥଲେଟିକ୍ ମିଟ୍–୨୦୨୫–୨୬” ଉଦ୍ଘାଟିତ ବୋଲି ଘୋଷଣା କରିଥିଲେ।
ଉଚ୍ଚ ମାଧ୍ୟମିକ କ୍ରୀଡା ପରିଷଦର ଉପସଭାପତି ପ୍ରଫେସର ପି. ନୀରଜା ମହୋଦୟା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି , ଅଧ୍ୟାପକ , କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ନିରଞ୍ଜନ ବେହେରା ସମଗ୍ର କ୍ରୀଡା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସମାରୋହର ସମଗ୍ର ସଂଯୋଜନା ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଏହି ମହତ୍ତ୍ୱପୂର୍ଣ୍ଣ କ୍ରୀଡା ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।
ପ୍ରଥମ ଦିନର କ୍ରୀଡା ପ୍ରତିଯୋଗିତାରେ ୧୫୦୦ ମିଟର , ୧୦୦ ମିଟର , ୨୦୦ ଓ ୪୦୦ ମିଟର ଦୌଡ଼ , ଲଙ୍ଗ୍ ଜମ୍ପ , ହାଇ ଜମ୍ପ , ସଟ୍ ପୁଟ୍ ଓ ଡିସ୍କସ୍ ଥ୍ରୋ ଭଳି ବିଭିନ୍ନ ଇଭେଣ୍ଟରେ ପୁରୁଷ , ମହିଳା , ବାଳକ ଓ ବାଳିକା ଖେଳାଳିମାନେ ଅପାର ଉତ୍ସାହ , ଆତ୍ମବିଶ୍ୱାସ ଓ କ୍ରୀଡାସ୍ପୃହା ସହ ଅଂଶଗ୍ରହଣ କରିଥିଲେ। ସମଗ୍ର କଲେଜ ପରିସର ଦିନଭରି ଉଲ୍ଲାସ , ଉତ୍ସାହ ଓ କ୍ରୀଡାଚେତନାରେ ଗୁଞ୍ଜିଉଠିଥିଲା।
ରାଜ୍ୟ
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
- Hits: 30











