ହେଡଲାଇନସ୍:

ଏମ୍‌ଭି–୨୬ ଘଟଣା: କ୍ଷତିପୂରଣ ଘୋଷଣାକୁ ନେଇ ମାଲକାନଗିରି ବଙ୍ଗାଳୀ ସମାଜର ତୀବ୍ର ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି/ସୁରେନ୍ଦ୍ର ବେମାଳ : ରାଖେଲଗୁଡ଼ା ଓ ଏମ୍‌ଭି–୨୬ ଗ୍ରାମକୁ କେନ୍ଦ୍ର କରି ଘଟିଥିବା ଅପ୍ରିତିକର ଘଟଣା ଏବଂ ଏହା ସମ୍ପର୍କରେ ସରକାରୀ କ୍ଷତିପୂରଣ ଘୋଷଣାକୁ ନେଇ ମାଲକାନଗିରି ବଙ୍ଗାଳୀ ସମାଜ ଗଭୀର ଅସନ୍ତୋଷ ପ୍ରକାଶ କରିଛି।
ବଙ୍ଗାଳୀ ସମାଜ କହିଛି ଯେ, ସେମାନେ ଅବିଭାଜିତ ଭାରତ (ବର୍ତ୍ତମାନର ବାଂଲାଦେଶ)ରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କ ବଂଶଧର ଏବଂ ୧୯୫୮ ମସିହାରେ ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନରେ ଏମ୍‌, ଏମ୍‌ପିଭି ଗ୍ରାମଗୁଡ଼ିକରେ ପୁନର୍ବାସନ ପାଇଥିଲେ। ଦଶନ୍ଧି ଧରି ସେମାନେ ଆଦିବାସୀ ସମୁଦାୟ ସହିତ ଭାଇଚାରାରେ ବସୋବାସ କରୁଥିବା କଥା ସେମାନେ ଉଲ୍ଲେଖ କରିଛନ୍ତି।
ପ୍ରେସ୍ ବିଜ୍ଞପ୍ତିରେ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ନିର୍ମମ ହତ୍ୟାକୁ ଘୋର ନିନ୍ଦା କରାଯାଇଛି ଏବଂ ଦୋଷୀଙ୍କ ପାଇଁ କଠୋରତମ ଶାସନ, ଫାଶୀ ଦଣ୍ଡ ଦାବି କରାଯାଇଛି। ସେହିପରି, ପୀଡ଼ିତ ପରିବାର ପାଇଁ ଘୋଷିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରକୃତ କ୍ଷତି ସହ ସମନୁପାତିକ ନୁହେଁ ବୋଲି କହି ଏହା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।ଏମ୍‌ଭି–୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ପଛରେ କିଛି ଅସାମାଜିକ, ସମାଜବିରୋଧୀ ଓ ଭାରତବିରୋଧୀ ଏଜେନ୍ସି ସହ ଜଡିତ ବ୍ୟକ୍ତି ଓ ସ୍ଵାର୍ଥନ୍ନ୍ୟାସୀ ନେତାଙ୍କ ଭୂମିକା ଥିବା ଅଭିଯୋଗ ମଧ୍ୟ ହୋଇଛି। ସରକାର ଓ ପ୍ରଶାସନ ଏମାନଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ଦେବାକୁ ବଙ୍ଗାଳୀ ସମାଜ ଦାବି କରିଛି।
ସେହିପରି, ୩୦ ଡିସେମ୍ବର ୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ଏମ୍‌ଭି–୨୬ର ସନାତନୀ ହିନ୍ଦୁ ବଙ୍ଗାଳୀଙ୍କ ପ୍ରତି ବୈମାତ୍ମକ ଭେଦଭାବ ଦେଖାଯାଇଥିବା ଅଭିଯୋଗ କରାଯାଇଛି। ଘର ପାଇଁ ୭୫ ହଜାର ଓ ଦୋକାନ ପାଇଁ ୨୦ ହଜାର ଟଙ୍କା କ୍ଷତିପୂରଣକୁ ଘୋର ନିନ୍ଦା କରି ଏହାର ପୁନର୍ବିଚାର ଓ ରାଶି ବୃଦ୍ଧି ଦାବି କରାଯାଇଛି।
ବଙ୍ଗାଳୀ ସମାଜ ପକ୍ଷରୁ ପୀଡ଼ିତ ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଗୃହ ଯୋଜନା ଅଧୀନରେ ପକ୍କା ଘର ଯୋଗାଇବା, ବଙ୍ଗାଳୀ ଭାଷାରେ ମଲ୍ଟି-ଲିଙ୍ଗୁଆଲ୍ ଏଡ୍ୟୁକେସନ୍ କାର୍ଯ୍ୟକ୍ରମ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷକ ପଦବୀ ପୂରଣ କରିବା ଦାବି ମଧ୍ୟ ରଖାଯାଇଛି।ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ନିରବ ପ୍ରତିବାଦ କରାଯିବ ବୋଲି ବଙ୍ଗାଳୀ ସମାଜ ସଚେତନ କରାଇଛି। ଏହି ପ୍ରତିବାଦ ଆଦିବାସୀ ସମୁଦାୟ ବିରୋଧରେ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ସମସ୍ତ ଦାବି ତୁରନ୍ତ ବିଚାର କରି କାର୍ଯ୍ୟାନ୍ୱୟନ କଲେ ଜିଲ୍ଲାରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରହିବ ବୋଲି ସମାଜ ପକ୍ଷରୁ କୁହାଯାଇଛି।

0
0
0
s2sdefault