ହେଡଲାଇନସ୍:

୧୦ ଜାନୁଆରୀରୁ ଆରମ୍ଭ ହେବ ମେଗା ଶିଶିର ସରସ ମେଳା -୨୦୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • * ଯୋଗଦେବେ ୩୦ ଜିଲ୍ଲା, ୨୦ ରାଜ୍ୟରୁ କାରିଗର

  • * ସୁବର୍ଣ୍ଣପୁରର ହସ୍ତତନ୍ତ ଠାରୁ ଝାଡଖଣ୍ଡର ଟସର ସିଲ୍କ: ପଡିବ ୩୪୦ ଷ୍ଟଲ

  • * ୩୦ କୋଟି ଟଙ୍କାର ବିକ୍ରି ଲକ୍ଷ

  • * ହ୍ୟୁମାନ ସାଗରଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା

ଭୁବନେଶ୍ଵର,୦୬/୦୧/୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ଵାରା ଆସନ୍ତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଶିଶିର ସରସ-୨୦୨୬’। ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମିଶନ ଶକ୍ତିର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଉତ୍ପାଦକ, କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସିଧାସଳଖ ବିକ୍ରୟ ସୁଯୋଗ ପ୍ରଦାନ କରିବା। ଏଥିରେ ଓଡ଼ିଶା ଏବଂ ଅନ୍ୟ ୨୦ଟି ରାଜ୍ୟରୁ ଶିଳ୍ପୀମାନେ ଅଂଶଗ୍ରହଣ କରିବେ।

ମେଳା ପରିସରରେ ସମୁଦାୟ ୩୪୦ଟି ବିକ୍ରୟ ଷ୍ଟଲ୍ ଓ ୩୫ଟି ଖାଦ୍ୟ ଷ୍ଟଲ୍ ସ୍ଥାପନ କରାଯିବ, ଯାହା ପରିଦର୍ଶକମାନଙ୍କୁ ଏକ ମିନି ଇଣ୍ଡିଆ ବଜାରର ଅନୁଭୂତି ଦେବ।

ଏଠାରେ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ହସ୍ତତନ୍ତ, ବାଲେଶ୍ୱରର ଲାଖ ସାମଗ୍ରୀ, କେନ୍ଦୁଝରର ପେପର ମାଶେ, କନ୍ଧମାଳ ଓ କଳାହାଣ୍ଡିର କାଠ କାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କାଇଁଚ, ବଲାଙ୍ଗୀରର ଟେରାକୋଟା, କୋରାପୁଟର ଲେମନଗ୍ରାସ ଓ କଳାଜିରା ଚାଉଳ, ସୁନ୍ଦରଗଡ଼ର ମିଲେଟ ଉତ୍ପାଦ ମେଳାରେ ଉପଲବ୍ଧ ହେବ। ସେହିପରି ଆନ୍ଧ୍ରପ୍ରଦେଶର କଲମକରୀ ହସ୍ତତନ୍ତ, ଛତିଶଗଡ଼ର କୋସା ସିଲ୍କ, ଝାଡଖଣ୍ଡର ଟସର ସିଲ୍କ, ଉତ୍ତରପ୍ରଦେଶର ଚିକନକାରୀ, ଜାମ୍ମୁ–କଶ୍ମୀରର ଉଲେନ୍ ପୋଷାକ, ପଞ୍ଜାବର ଫୁଲକରୀ, ମଧ୍ୟପ୍ରଦେଶର ବ୍ଲକ୍ ପ୍ରିଣ୍ଟ, କର୍ଣ୍ଣାଟକର କୃତ୍ରିମ ଗହଣା ସହ ଦେଶର ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ଓ ଗ୍ରାମୀଣ ଉତ୍ପାଦ ମେଳାର ପ୍ରମୁଖ ଆକର୍ଷଣ ସାଜିବ।

ମେଳା ଅବସରରେ ୬ଟି କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ପ୍ରାୟ ୮୫୦ ଜଣ ସିବିଓ ଏବଂ ଏସଏଚଜିର ସଦସ୍ୟମାନେ ଅଂଶଗ୍ରହଣ କରିବେ। ଏଥିରେ ମୂଲ୍ୟ ସଂଯୋଜନ, ଉଦ୍ୟମ ସୃଷ୍ଟି, ବ୍ରାଣ୍ଡିଂ, ଉତ୍ପାଦର ଶେଲ୍ଫ ଲାଇଫ ବୃଦ୍ଧି ସହ ବଜାରରେ ଭଲଭାବେ ବିକ୍ରୟ କରିପାରିବା କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।

ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ଏକ ପ୍ରମୁଖ ଆକର୍ଷଣ ସାଜିବ। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଏକ ବିଶେଷ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିସହ କାଇଟ୍ ଶୋ, ଡ୍ରୋନ୍ ଶୋ ଓ ଫ୍ୟାସନ୍ ଶୋ ମେଳା ପରିସରକୁ ଆହୁରି ଆକର୍ଷଣୀୟ କରିବ।

ଚଳିତବର୍ଷ ମେଳା ପରିସରକୁ ସୁସଜ୍ଜିତ, ପରିଷ୍କାର ଓ ପ୍ଲାଷ୍ଟିକ–ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯିବ। ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ହେବାର ଲକ୍ଷ୍ୟ ରଖାଯାଇଛି।

ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଓଡିଶା ଗଠନ ଦିଗରେ ଏହି ସରସ ମେଳାର ଉଚିତ୍ ଅବଦାନ ରହିବ ବୋଲି ଆଶା ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମେଳାର ସର୍ବାଙ୍ଗୀନ ସଫଳତା କାମନା କରିଛନ୍ତି ।

0
0
0
s2sdefault