ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ), ୦୪/୦୧:- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଧୁବଳପଡ଼ା ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜଣେ କ୍ଵାକର ବେଆଇନ୍ କ୍ଲିନିକ୍ରେ ଭୁଲ ଚିକିତ୍ସା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ତିନି ମାସର ଗର୍ଭ ନଷ୍ଟ ହୋଇଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ହୃଦୟବିଦାରକ ଘଟଣାକୁ କେନ୍ଦ୍ର କରି ପୀଡିତାଙ୍କ ପରିବାରରେ ଭାରି ଉତ୍ତେଜନା ଓ ଆକ୍ରୋଶ ଦେଖାଦେଇଛି।
ଲୋକଙ୍କ କହିବା ଅନୁଯାୟୀ, ଧୁବଳପଡ଼ା ଗାଁରେ “ମେହେର ଡାକ୍ତର” ନାମରେ ପରିଚିତ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ବେଆଇନ୍ ଭାବରେ ଏକ କ୍ଲିନିକ୍ ଚଲାଇ ଆସୁଥିଲେ। ଅଭିଯୋଗ ଅନୁଯାୟୀ, ସେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଇଞ୍ଜେକ୍ସନ୍ ଓ ଔଷଧ ଦେଇ ଚିକିତ୍ସା କରୁଥିଲେ, ଯାହା ସର୍ବଥା ବେଆଇନ୍ ଓ ଜୀବନଘାତୀ।
ଗତ ଶୁକ୍ରବାର ଦିନ ପୀଡ଼ିତା ଚର୍ମରୋଗ ର ଚିକିତ୍ସା ପାଇଁ ପରିବାର ଲୋକଙ୍କ ସହିତ ଏହି କ୍ଵାକ ଡାକ୍ତରଙ୍କ କ୍ଲିନିକ୍କୁ ଆସିଥିଲେ । ସେଠାରେ ଡାକ୍ତରୀ ଯୋଗ୍ୟତା ନଥିବା ସତ୍ତ୍ୱେ କୁଆକ୍ ଡାକ୍ତର ମହିଳାଙ୍କୁ କିଛି ଇଞ୍ଜେକ୍ସନ୍ ଓ ଔଷଧ ଦେଇଥିଲେ। ମହିଳା ଜଣକ କ୍ୱାକର ଦେଇଥିବା ଔଷଧ ଖାଇବା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଥିଲ ଏବଂ ତାଙ୍କ ତିନି ମାସର ଗର୍ଭ ନଷ୍ଟ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗର୍ଭରେ ଥିବା ଭ୍ରୁଣ ନଷ୍ଟ ହୋଇଯାଇଥିବା ଖବର ଜାଣି ପୀଡ଼ିତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ପୀଡିତା ଙ୍କ ସ୍ୱାମୀ କହିଛନ୍ତି— ଏହା କେବଳ ଏକ ଭୁଲ ଚିକିତ୍ସା ନୁହେଁ, ବରଂ ଏକ ଗୁରୁତର ଅପରାଧ।
ଗ୍ରାମାଞ୍ଚଳରେ ସରକାରୀ ସ୍ୱାସ୍ଥ୍ୟ ସୁବିଧାର ଅଭାବ, ଦୂରତା ଓ ଅଶିକ୍ଷା କାରଣରୁ ଅନେକ ଗରିବ ଲୋକ ଏଭଳି କ୍ଵାକ ଡାକ୍ତରଙ୍କ ଉପରେ ନିର୍ଭର କରୁଥିବା ସତ୍ୟ ମଧ୍ୟ ଏହି ଘଟଣାରେ ସ୍ପଷ୍ଟ ହୋଇଛି।
ଏହି ମାମଲାରେ ପୀଡ଼ିତାଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପାଇଁ ପ୍ରସ୍ତୁତି ନେଉଥିବା ବେଳେ, ଅଭିଯୁକ୍ତ କ୍ଵାକ ଡାକ୍ତରଙ୍କ ବିରୋଧରେ Bharatiya Nyaya Sanhita (BNS) ଅନୁଯାୟୀ “ଭ୍ରୁଣ ହତ୍ୟା”, “ଗର୍ଭନଷ୍ଟ” ଓ ଅନଧିକୃତ ଭାବେ ଚିକିତ୍ସା ବ୍ୟବସାୟ ଚଲାଇବା ଦଫାରେ ମାମଲା ରୁଜୁ କରିବାକୁ ଦୃଢ଼ ଦାବି ହେଉଛି। ତା ସହିତ, ସଂପୃକ୍ତ ବେଆଇନ୍ କ୍ଲିନିକ୍କୁ ତୁରନ୍ତ ସିଲ୍ କରିବା, ଏବଂ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା ସମସ୍ତ କ୍ଵାକ କ୍ଲିନିକ୍ର ଉପରେ କଡ଼ା ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ନିଷ୍ପକ୍ଷ, ସ୍ୱଚ୍ଛ ଓ ଦୃଢ଼ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସମସ୍ତ ମହଲରୁ ଦାବି ଜୋରଦାର ହେଉଛି।
ରାଜ୍ୟ
କ୍ଵାକ ର ଭୁଲ ଚିକିତ୍ସା ଦ୍ଵାରା ମହିଳାଙ୍କ ଗର୍ଭନଷ୍ଟ
- Hits: 35











