ହେଡଲାଇନସ୍:

ଆଇନଜୀବୀଙ୍କ ଏକତା ଓ ନ୍ୟାୟିକ ଅଙ୍ଗିକାରବଦ୍ଧତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭୁପ୍ରସାଦ ତ୍ରିପାଠୀ


୧୯୪୮ମସିହାରେ କଟକ ସହରରେ ଆରମ୍ଭ ହୋଇଥିଲା ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ।୧୯୬୦ ମସିହା ପର୍ଯ୍ୟନ୍ତ ଏହି ସଂଘ ନିଜର ବାର୍ଷିକସମ୍ମିଳନୀରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜନ କରି ଆସୁଥିଲା। ୧୯୬୧ ମସିହାରେ ଆଡଭୋକେଟ୍ ଆକ୍ଟ ପ୍ରଣୟନ ହେଲା। ଆଇନଜୀବୀ ମାନଙ୍କ କ୍ଷମତା,ଅଧିକାର ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ବିଷୟ ସେହି ଆଇନରେ ଉଲ୍ଲେଖ କରାଯାଇଥିଲା।୧୯୬୦ ମସିହାରେ ଢ଼େଙ୍କାନାଳ ସମ୍ମିଳନୀ ପରେ ଆଇନଜୀବୀ ମାନଙ୍କ ମଧ୍ୟରେ ସେହି ଆଇନକୁ ନେଇ ବିଶେଷ ତର୍ଜମା ହୋଇ ପାରିଲାନାହିଁ। ଏହି ଆଇନ ଭାରତୀୟ ବାର୍ କାଉନସିଲ୍ ଆଇନ୍-୧୯୨୬କୁ ରଦ୍ଦ କରି ଆଇନ ପେଷା ପାଇଁ ଗୋଟିଏ ସମନ୍ୱୀତ ଆଇନ ଭାବରେ କାର୍ଯ୍ୟ କଲା। କୋଡ଼ିଏ ବର୍ଷ ପରେ ୧୯୮୦ ମସିହାରେ ପୁଣି କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତି ନଥିବା ଆଇନଜୀବୀ ବସନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ସଙ୍ଘର ପଞ୍ଜୀକରଣ ସମ୍ଭବ ହୋଇଥିଲା।ବ୍ରହ୍ମପୁରରେ ଏହି ଆଇନଜୀବୀ ସମାବେଶରେ ସଭାପତି ଭାବେ ସ୍ୱର୍ଗତଃ ବସନ୍ତ ପାଣିଗ୍ରାହୀ ଓ ସମ୍ପାଦକ ଭାବେ ତତ୍କାଳୀନ ଆଇନଜୀବୀ ଶ୍ରୀ ଅରଜିତ ପଶାୟତ(ପରବର୍ତ୍ତୀ ସମୟରେ ନ୍ୟାୟମୂର୍ତ୍ତି) ନିର୍ବାଚିତ ହୋଇଥିଲେ।
୧୯୮୧ ମସିହାରେ ପୁରୀରେ ବାର୍ଷିକ ସମ୍ମିଳନୀ,୧୯୮୨ ମସିହାରେ ତୃତୀୟ ଆଇନଜୀବୀ ସମ୍ମିଳନୀ ସମ୍ବଲପୁର ସହରରେ ଅନୁଷ୍ଠିତ ହୋଇଥିଲା। ତତ୍କାଳୀନ ସମ୍ବଲପୁର ବାର୍ ଆସୋସିଏସନର ଆଇନଜୀବୀ ସ୍ୱର୍ଗତଃ କିଶୋରୀ ମୋହନ ପଣ୍ଡା, ଜଗନ୍ନାଥ ହୋତା, ବିପିନ ବିହାରୀ ନାୟକ ଓ ହରପ୍ରସାଦ ନାୟକଙ୍କ ଉଦ୍ୟମରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତଃ ଶ୍ରଦ୍ଧାକର ସୂପକାର ଓ ସ୍ୱର୍ଗୀୟ ମାନଭଞ୍ଜନ ବହିଦାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା। ଫଳରେ ସେହି ସମ୍ମିଳନୀରେ ବହୁ ସଂଖ୍ୟାରେ ଆଇନଜୀବୀ ମାନେ ଯୋଗ ଦେଇଥିଲେ। ତତ୍କାଳୀନ ହାଇକୋର୍ଟର ମୁଖ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଦ୍ୱାରା ଉଦଘାଟନ ଅଭିଭାଷଣରେ ଆଇନଜୀବୀର ନୈତିକତା ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଥିଲା।ଆଇନର ତତ୍ତ୍ଵ ଓ ବିଧିଶାସ୍ତ୍ରରେ ପରିବର୍ତ୍ତନ ସମ୍ପର୍କରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସ୍ୱର୍ଗତଃ ଗତିକୃଷ୍ଣ ମିଶ୍ର ଓ ବିଚାରପତି ନ୍ୟାୟମୂର୍ତ୍ତି ଲିଙ୍ଗରାଜ ରଥ ନିଜ ନିଜର ବକ୍ତବ୍ୟ ରଖିଥିଲେ।
୨୦୦୪ମସିହାରେ ସମ୍ବଲପୁରରେ ପୁଣି ଥରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୩୩ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶ୍ରୀଯୁକ୍ତ ସତ୍ୟନାରାୟଣ ପଣ୍ଡା ସମ୍ବଲପୁର ବାର୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇ ୨ବର୍ଷ ପାଇଁ ସଂଘର ଦାୟିତ୍ୱ ନେଇଥିଲେ। ଦୀର୍ଘ ୨୧ ବର୍ଷ ପରେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ଏହି ସଂଗଠନର ୫୪ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି।
୯ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ କାରଣରୁ ଡିସେମ୍ବର ୨୯ଓ ୩୦ତାରିଖରେ ଦୁଇଟି ସମାନ୍ତରାଳଆଇନବୀବୀ ସଂଘର ଅଧିବେଶନ ଅନୁଷ୍ଠିତ ହୋଇ ଆସୁଥିଲା।ରାଜ୍ୟ ବାର୍ କାଉନସିଲର ତତ୍କାଳୀନ ନେତୃବୃନ୍ଦଙ୍କ ବିବାଦର ପ୍ରତିଫଳନ ସ୍ୱରୂପ ଏହି ସଂଘ ୨ଭାଗରେ ବିଭକ୍ତ ହୋଇଯାଇଥିଲା। ଏହାର ସୁଦୂରପ୍ରସାରୀ ପ୍ରଭାବ ଆଇନଜୀବୀ ସମାଜ ଉପରେ ପଡିଥିଲା। ଆଇନଜୀବୀ ମାନଙ୍କର ନ୍ୟାୟୋଚିତ ଦାବି ସଂପର୍କରେ ପ୍ରଶ୍ନ ଉଠାଇ ଆସିଥିବା ରାଜ୍ୟର ଆଇନଜୀବୀ ମାନଙ୍କର ଏହି ସର୍ବବୃହତ୍ ସର୍ବପୁରାତନ ସଂଘର ଉଦ୍ୟମର ଫଳ ସ୍ୱରୂପଆଇନଜୀବୀ ମାନଙ୍କର କଲ୍ୟାଣ ପାଣ୍ଠି ଗଠନ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ମ୍ୟାଚିଂ ଅନୁଦାନର ରାଶି୧କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି ପାଇଲା।ସେଥିପାଇଁ ଏହି ସଂଘର ନେତୃବୃନ୍ଦ ମାନଙ୍କର ଉତ୍ସର୍ଗୀକୃତ ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ।
୨୫ ଅଗଷ୍ଟ୧୯୮୪ମସିହାରେ ପୋଲିସ ଅତ୍ୟାଚାରର ଶୀକାର ହୋଇଥିଲେ ଗୁଣୁପୁରର ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପାଢ଼ୀ । ଶ୍ରୀଯୁକ୍ତ ପାଢ଼ୀଙ୍କ ପାଇଁ ୨୬ଅଗଷ୍ଟରେ ଗୁଣୁପୁର ବଜାରରେ ଓକିଲ ମାନଙ୍କ ଶୋଭାଯାତ୍ରା ଆଜି ମଧ୍ୟ ଆମ ସମସ୍ତଙ୍କୁ ବିସ୍ମିତ କରେ। ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ତଥ୍ୟ ଅନୁସନ୍ଧାନକାରୀ ସଦସ୍ୟ ଦଳଗୁଣୁପୁରରେ ପହଞ୍ଚିବା ଏବଂ ତଥ୍ୟ ସଂଗ୍ରହ କରିବାରବିରଳ ଇତିହାସନିଖିଳ ଓଡ଼ିଶା ଆଇନଜୀବୀ ସଂଘକୁ ବଞ୍ଚାଇ ରଖିଛି। ୧୯୮୭ ମସିହାରେ ବରଗଡ଼ର ତତ୍କାଳୀନ ସବଡିଭିଜିନାଲ୍ ଅଫିସର ଏବଂ ଓକିଲଙ୍କ ମଧ୍ୟରେ ବିବାଦ ଯୋଗୁ ୯ ଜଣ ଆଇନଜୀବୀ ଗିରଫ ହେବା ଘଟଣାରେ ବ୍ୟଥିତ ହୋଇଥିଲା ନିଖିଳ ଓଡ଼ିଶା ଆଇନଜୀବୀ ସଂଘ। ଏହାର ପ୍ରତିବାଦରେ୮ ଡିସେମ୍ବର ୧୯୮୭ ମସିହାରେମସିହାରେ ‘ବରଗଡ଼ ଚାଲ’ ଡାକରା ଆମ ସମସ୍ତ ଆଇନଜୀବୀଙ୍କ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ । ଠିକ୍ ସେହିପରିକେନ୍ଦ୍ରାପଡ଼ାର ଆଇନଜୀବୀଙ୍କ ଉପରେ ଆକ୍ରମଣ ପାଇଁ ତତ୍କାଳୀନ ଏସପି ସତୀଷ ଗଜଭୟେଙ୍କ ଉପରେ କାର୍ଯ୍ୟାନୁଷ୍ଠାନଦାବି କରି ଆଇନଜୀବୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓକିଲ ସଂଘର ଅସ୍ତିତ୍ୱ ଓ ଅସ୍ମିତାକୁ ପ୍ରମାଣ କରିଥିଲା। ମନାନ୍ତର ଓ ମତାନ୍ତର ସତ୍ତ୍ୱେ ଆଇନଜୀବୀ ମାନେ ରାଜନୈତିକ ମତାଦର୍ଶ ଠାରୁ ଦୂରରେ ରହି ନିଜର ସ୍ୱତନ୍ତ୍ରତାକୁ ପଛରେ ରଖି ସଂଘର ନିଷ୍ପତ୍ତିକୁ ମାନି ନେଇଥିଲେ।
ବିଗତ କିଛି ବର୍ଷ ତଳେ ସମ୍ବଲପୁର ବାରର ୨୯ଜଣ ଆଇନଜୀବୀ ଦୀର୍ଘ ଦିନ ଜେଲରେ ରହିବା ଘଟଣାରେ ଆଇନଜୀବୀ ମାନଙ୍କର ଅହେତୁକ ନିରବତା କିମ୍ବା ପୁରୀ ବାର୍ ଆସୋସିଏସନର ଆଇନଜୀବୀ ମାନଙ୍କର୨୦୦ ଦିନରୁ ଉର୍ଦ୍ଧ୍ୱ ଧାରଣାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ଆମ ଭିତରେ ଥିବା ଅର୍ନ୍ତନିହିତ ଦୁର୍ବଳତା ଓ ବିଭକ୍ତି କରଣ ସଂପର୍କରେ ଆଲୋଚନା ପାଇଁ ମଧ୍ୟ ଆଇନଜୀବୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ବାର୍ ଆସୋସିଏସନ୍ ଓ ବାର କାଉନସିଲର ନିର୍ବାଚନ ପ୍ରକ୍ରିୟାଟିକୁ ବ୍ୟୟବହୁଳ କରିବା ଫଳରେ ଆଇନ ପେଷାରେ ଉତ୍କର୍ଷତା ଲାଭ କରୁଥିବା କୌଣସି ଆଇନଜୀବୀ ଏହାର ନେତୃତ୍ୱ ନେବାକୁ ଆଗଭର ହେଉନାହାଁନ୍ତି । ଫଳତଃ ଏହି ସଂଗଠନ ଗୁଡ଼ିକର ନେତୃତ୍ୱରେ ଦୁର୍ବଳତା ଆଇନଜୀବୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ।
ବିଗତ ବର୍ଷ ଗୁଡ଼ିକରେ ଆଇନ ତତ୍ତ୍ୱରେ ଯେଉଁ ମୌଳିକ ପରିବର୍ତ୍ତନ ହୋଇଛି ସେଗୁଡିକ ସଂପର୍କରେ ଆଇନଜୀବୀ ମାନେ ସମୀକ୍ଷା କରିବାର ଆବଶ୍ୟକତା ପଡୁଛି। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତ୍ୟେକ ମାସରେ ବିଚାରପତି ମାନଙ୍କୁ ନେଇ ଯେଭଳି ବୌଦ୍ଧିକ ବିତର୍କର ବାତାବରଣ ସୃଷ୍ଟି କରିଛି ସେଭଳି ଆଲୋଚନାଚକ୍ର ରାଜ୍ୟର ସବୁ ବାର୍ ଗୁଡ଼ିକରେ ହେବାର ଆବଶ୍ୟକତା ରହିଛି। କୋର୍ଟ ଗୁଡ଼ିକରେ ଭିତ୍ତିପ୍ରସ୍ତର ଓ ଆଇନଜୀବୀ ଏବଂ ବିଚାରପତିଙ୍କ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ପାଇଁ ଆଇନଜୀବୀ ସଂଘର ଗୁରୁଦାୟିତ୍ୱ ସଂପର୍କରେ ଆମେ ତତ୍ପର ହେବା ଉଚିତ ।
ଆଇନଜୀବୀ ମାନେ ନିଜ ସମସ୍ୟା ସଂପର୍କରେ ସଜାଗ ହେବା ସହିତ ନ୍ୟାୟପାଳିକାର ରାୟର ଗଠନ ମୂଳକ ତର୍ଜମା କରିବାର ତାତ୍ପର୍ଯ୍ୟତା ରହିଛି। ଆଇନଜୀବୀଙ୍କ ମଧ୍ୟରୁ ହିଁ ଅନେକ ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରପତି ଆସନ ଅଳଙ୍କୃତ କରିଥାନ୍ତି । ଜଣେ ଆଇନଜୀବୀର ଦିନଚର୍ଯ୍ୟା ଓ ଜୀବନବ୍ୟାପୀ ସାଧନା ସଂପର୍କରେ ସମସ୍ତେ ଅଭିହିତକିନ୍ତୁ ଆମ ଏକତା ସଂପର୍କରେ ଆତ୍ମ-ବିଶ୍ଲେଷଣ କରିବା, ନିଜର ଚିନ୍ତାଧାରା ଓ ଆଚରଣକୁ ସ୍ୱାଧିନଚେତା ଆଇନଜୀବୀ ଭାବେ ମାର୍ଜିତ କରିବା ପାଇଁ ୫୪ତମ ବାର୍ଷିକ ସମ୍ମିଳନୀ ଆହ୍ୱାନ ଦେଉଛି ।

ବରିଷ୍ଠ ଆଇନଜୀବୀ
କାର୍ଯ୍ୟକାରୀ ସଭାପତି, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ
ଦୂରଭାଷ-୯୪୩୭୦୧୨୪୬୦

0
0
0
s2sdefault