ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି ; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ରେ ପାରଳାଖେମୁଣ୍ଡିସ୍ଥିତ ସଞ୍ଜୟ ଗାନ୍ଧୀ କଲୋନୀର ଅଭିଯୁକ୍ତ ବାମିଡ଼ି ବାଲୁ ଓରଫ ବାଲାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସେହିପରି କ୍ଷତାକ୍ତ କରିବା ପାଇଁ ଥିବା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ମାସ ସଶ୍ରମ କାରାଦଣ୍ଡର ସଜା ଶୁଣାଇଛନ୍ତି ଓ ଅପହରଣ ପାଇଁ ରହିଥିବା ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି।
ସେହିପରି ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆର. ଜନାର୍ଦ୍ଦନ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ତା ୨୬-୦୨-୨୦୨୪ରିଖ ଦିନ ଯେତେବେଳେ ସନ୍ଧ୍ୟାରେ ପିଡ଼ିତା ନିଜ ଟ୍ୟୁସନ ସାରିକି ଘରକୁ ଠିକ ସମୟରେ ଫେରି ନଥିଲେ , ସେତେବେଳେ ତାଙ୍କ ମାଆ ବ୍ୟତିବ୍ୟସ୍ତ ହୋଇ ଚାରିଆଡେ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ହତାଶ ହୋଇଥିଲେ। ପରେ ପିଡ଼ିତାଙ୍କ ବାପା ଜଣଙ୍କ ପାଖରୁ ଖବର ପାଇଲେ ଯେ, ତାଙ୍କ ଝିଅଙ୍କୁ କିଏ ଜଣେ ଚଳନ୍ତା କାରରୁ ଫୋପାଡ଼ି ଦେଇଛନ୍ତି ଓ ପଳେଇଛନ୍ତି। ପରେ ସେ ସେଠାରୁ ନିଜ ଝିଅକୁ ଉଦ୍ଧାର କରି ସବୁ ବିଷୟରେ ଜାଣିବାକୁ ପାଇଲେ ଯେ, ସ୍ଥାନୀୟ ସଞ୍ଜୟ ଗାନ୍ଧୀ କଲୋନୀର ଅଭିଯୁକ୍ତ ବି. ବାଲୁ ତାଙ୍କ ନାବାଳିକା ଝିଅକୁ ଜୋର ଜବରଦସ୍ତ କାରରେ ଅପହରଣ କରି ନେଇ ଦୁଷ୍କର୍ମ କରିଛନ୍ତି ଓ ପରେ ଜୀବନରେ ମାରିବାକୁ ଧମକ ଦେଇ ଚଳନ୍ତା କାରରୁ ତାଙ୍କୁ ଫୋପାଡ଼ି ଦେଇଛନ୍ତି ଓ ସେଥିପାଇଁ ତାଙ୍କ ଝିଅ ବି କ୍ଷତାକ୍ତ ହୋଇଛି। ଏ ସବୁ ଶୁଣିବା ପରେ ତଥା ଝିଅର ଭବିଷ୍ୟତ କଥା ଚିନ୍ତା କରି ତା ୨୭-୦୨-୨୦୨୪ରେ ପାରଳାଖେମୁଣ୍ଡି ଥାନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପିଡ଼ିତାଙ୍କ ବାପା ଏକ ସଙ୍ଗିନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୫୮ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର ପଞ୍ଚାନନ ବେହେରା ଥାନାଧିକାରୀ ପ୍ରଶାନ୍ତ ଭୂପତି ତଥା ଏସ୍ଡିପିଓ ମାଧବାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ସମସ୍ତ ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ମାନ୍ୟବର ନ୍ୟାୟାଧୀଶ ଦେଇଛନ୍ତି।











