ହେଡଲାଇନସ୍:

ନୂଆ କୋର୍ଟ କମ୍ପ୍ଲେକ୍ସକୁ ଜୋରଦାର ବିରୋଧ; ରାଜ ରାସ୍ତାରେ ଆଇନଜୀବୀଙ୍କ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ପ୍ରସ୍ତାବିତ ନୂଆ କୋର୍ଟ କମ୍ପ୍ଲେକ୍ସକୁ ଜୋରଦାର ବିରୋଧ । ଶନିବାର ଶତାଧିକ ଆଇନଜୀବୀ ପୂର୍ବାହ୍ନ ୧୧ ଘଟିକାରୁ ଦିନ ୨ଟା ଯାଏଁ ପୁରୀ ଅଠରନଳା ଠାରେ ପ୍ଲାକାର୍ଡ ଧରି ରାସ୍ତାରୋକ କରିଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ସେମାନେ ସରକାରଙ୍କୁ ପ୍ରସ୍ତାବିତ ସ୍ଥାନ ପରିବର୍ତ୍ତନ ପାଇଁ ଦାବୀ ଜଣାଇଛନ୍ତି।

ଆଇନଜୀବୀ ସଂଘ କହିଛି, ୧୬୨ ବର୍ଷ ପୁରୁଣା ପୁରୀ କୋର୍ଟ ଐତିହ୍ୟବାହୀ ଓ ଏଠାରେ ମଧୁ ବାବୁ, ଗୋପବନ୍ଧୁ ଦାସ, ସୁଭାଷଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କ ପିତାଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ଓକିଲାତି କରିଥିଲେ। ବର୍ତ୍ତମାନ କୋର୍ଟ ସହରର ପ୍ରମୁଖ ସ୍ଥାନରେ ଥିବାରୁ ସାଧାରଣ ଲୋକଙ୍କ ପାଇଁ ସହଜ ଓ ଉପଯୁକ୍ତ ବୋଲି ସଂଘ ମତ ପ୍ରକାଶ କରିଛି। ସଂଘ ଅଭିଯୋଗ କରିଛି ଯେ ପ୍ରସ୍ତାବିତ ନୂଆ କୋର୍ଟ କମ୍ପ୍ଲେକ୍ସ ସ୍ଥଳ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଅବସ୍ଥିତ ।ଏହା ମଧୁରଜଳ, ଇକୋ–ସେନ୍ସିଟିଭ ଏବଂ ସିଆରଜେଡ ଅଞ୍ଚଳ ଭିତରେ ପଡ଼ୁଛି। ଏହି ଅଞ୍ଚଳ ପୁରୀ ସହରର ଏକମାତ୍ର ଜଳସ୍ରୋତ ହୋଇଥିବାରୁ ଏଠାରେ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ଆଇନଗତ ଓ ପରିବେଶଗତ ଭାବେ ଅସଂଗତ ବୋଲି ସଂଘ ଦାବୀ କରିଛି।

ଆଇନଜୀବୀ ସଂଘ ପୂର୍ବରୁ ଉଚ୍ଚ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀ, ଆଇନ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଅନୁରୋଧ କରି ବର୍ତ୍ତମାନ ସ୍ଥାନରେ କୋର୍ଟ, ତହସିଲ, ଡିଆରଡିଏ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଜମିକୁ ଏକତ୍ର କରି ନୂଆ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ରଖିଥିଲେ । ନଅ ମାସ ଧରି କୌଣସି ସମାଧାନ ନ ମିଳିବାରୁ ଆଇନଜୀବୀ ସଂଘ ଉଦ୍ଦବେଗ ପ୍ରକାଶ କରି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଚେତାବନୀ ଦେଇଛି।
ଏହି ଆନ୍ଦୋଳନରେ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ବିଭୂତି ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅନିଲ ସାହୁ, ସମୀର ଘୋଷ, ଭାଗବତ ପଟ୍ଟନାୟକ, କର୍ମବୀର ମହାପାତ୍ର, ତାପସ ବଳିଆରସିଂହ, ମନୋରଞ୍ଜନ ସାହୁ, ଜ୍ୟୋତି ପ୍ରକାଶ ପାଇକରା, ରାଜେଶ ମହାନ୍ତିଙ୍କ ସହ ଅନେକ ଆଇନଜୀବୀ ନେତୃତ୍ୱ ନେଇଥିଲେ।

0
0
0
s2sdefault