ଭୁବନେଶ୍ୱର, ୧୫/୧୨: ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ୧୯୦ ତମ ଜନ୍ମଜୟନ୍ତୀ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ବିଶିଷ୍ଟ ଜ୍ୟୋତିର୍ବଜ୍ଞାନୀ ଓ ଗଣିତଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ତଥା ଖଣ୍ଡପଡ଼ା ରାଜବଂଶର ସଦସ୍ୟ ପଠାଣି ସାମନ୍ତଙ୍କର ପ୍ରକୃତ ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯୋଗ ଦେଇ ପଠାଣିଙ୍କ ଜ୍ୟୋତିର୍ବିଜ୍ଞାନ ଓ ଗାଣିତ୍ୟିକ ଗବେଷଣା ଏବଂ ତାଙ୍କର ସଫଳତା ଯାହାକି ସାରା ବିଶ୍ୱକୁ ଅଭିଭୂତ କରିଥିଲା ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ମାତ୍ର ୧୪ ବର୍ଷ ବୟସରୁ ଆକାଶ ପର୍ଯ୍ୟବେକ୍ଷଣ କରି ଏହି ମହାନ ଜ୍ୟୋତିର୍ବିଜ୍ଞାନୀ ନିଜ ଦ୍ୱାରା ରଚିତ ‘ସିନ୍ଧାନ୍ତ ଦର୍ପଣ’ରେ ଅନେକ ତଥ୍ୟ ଲୋକଲୋଚନକୁ ଆଣିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଡକ୍ଟର ପଟ୍ଟନାୟକ ତିଥି, ବାର, ପଞ୍ଜିକା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଏହି ଯୋଗଜନ୍ମା ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀଙ୍କ ଜନ୍ମଜୟନ୍ତୀ ବିଭିନ୍ନ ତାରିଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଥିବା ବେଳେ ଏହା ଅନୁଚିତ ବୋଲି କହିବା ସହ ରାଜ୍ୟ ସରକାର ସାରା ରାଜ୍ୟରେ ତାଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୧୩ ତାରିଖରେ ପାଳନ କରିବାକୁ ଅନୁରୋଧ ଜଣାଇଥିଲେ ।
କାର୍ଯ୍ୟକ୍ରମକୁ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଦୁଇ ବର୍ଷ ତଳେ ବର୍ତମାନର ଖଣ୍ଡପଡ଼ାର ରାଜା ତଥା ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜଙ୍କ ଉଦ୍ୟମରେ ଏବଂ ସୋଆର ସହଭାଗିତାରେ ଖଣ୍ଡପଡ଼ାରେ ପଠାଣି ସାମନ୍ତଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ବୋଲି ସୂଚନା ଦେଇଥିଲେ ।
ରାଜବଂଶର ସଦସ୍ୟ ହୋଇ ମଧ୍ୟ ପଠାଣି ସାମନ୍ତ କିଭଳି ନମ୍ର ଥିଲେ ଏବଂ ସାରା ବିଶ୍ୱରେ ଓଡ଼ିଶାର ନାମକୁ ପ୍ରତିପାଦିତ କରିପାରିଥିଲେ ସେ ସମ୍ପର୍କରେ ସମସ୍ତେ ଅବଗତ ହେବା ଉଚିତ ଏବଂ ସୋଆ ଏଭଳି ମହତ କାର୍ଯ୍ୟ ହାତକୁ ନେଇଥିବାରୁ ବିଶ୍ୱବିଦ୍ୟାଳୟକୁ ଶ୍ରୀ ମର୍ଦ୍ଦାରଜ ଶୁଭେଚ୍ଛା ଜଣାଇଥିବା ପ୍ରଫେସର ଦାସ ସୂଚନା ଦେଇଥିଲେ ।
ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁୂଳା ଦାସ ପଠାଣିଙ୍କ ଜୀବନୀ ଆଲୋଚନା କରିବା ସହିତ କିଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟ ତାଙ୍କର ବାଟ ଓଗାଳି ପାରି ନଥିଲା ସେ ବିଷୟରେ କହିଥିଲେ । ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଯୁଗରେ ମଧ୍ୟ ଆମେ ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନକୁ ଅନୁସରଣ କରୁଛୁ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଆକାଶକୁ ନିରୀକ୍ଷଣ କରିବା ଦ୍ୱାରା କିଭଳି ଏକ ଭବିଷ୍ୟତର ଆକାଶ ବିଜ୍ଞାନୀର ମୂଳଦୁଆ ପଡ଼ିଥାଏ ସେ ବିଷୟରେ କହିଥିଲେ । ସେ ପିଲାଙ୍କୁ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ । କୁଳପତି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଉତ୍କୃଷ୍ଟ କାର୍ଯ୍ୟ ଦ୍ୱାରା ନିଜର ଓ ବିଶ୍ୱବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିବା ଆବଶ୍ୟକ ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ମଧ୍ୟ ପଠାଣି ସାମନ୍ତଙ୍କ ଜନ୍ମ ଓ କୃତି ବିଷୟରେ ତଥ୍ୟ ରଖିଥିଲେ ।
ଏହି ଅବସରରେ ସୋଆ ଇଣ୍ଡିଆନ୍ ନଲେଜ ସିଷ୍ଟମ (ଭାରତୀୟ ଜ୍ଞାନ ପରମ୍ପରା) କେନ୍ଦ୍ରର ମୁଖ୍ୟ ତଥା ସୋଆ ଆଉଟରିଚ ଓ ଆନ୍ତର୍ଜାତିକ ସମ୍ପର୍କର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଆଇକେଏସ୍ ପ୍ରକଳ୍ପ ଅନ୍ତର୍ଗତ ପଠାଣିଙ୍କ ଜ୍ୟୋତିର୍ଯନ୍ତ୍ରର କ୍ଷୁଦ୍ର ପ୍ରତିରୂପ କିଭଳି ଜାତୀୟ ସ୍ତରରେ ‘ଜ୍ୟୋତିର୍ଯନ୍ତ୍ର ନିର୍ମାଣ’ ପ୍ରତିଯୋଗିତାର ଆଧାର ପାଲଟିଛି ତାହା କହିଥିଲେ । ସେ ମାନଯନ୍ତ୍ର, ଧନୁର୍ଯନ୍ତ୍ର, ଭୂଲମ୍ବ ସୂର୍ଯ୍ୟଘଡ଼ି, ଭୂସମାନ୍ତର ସୂର୍ଯ୍ୟଘଡ଼ି, ଶଙ୍କୁ, ବିଷୁବୀୟ ସୂର୍ଯ୍ୟଘଡ଼ି, ଧ୍ରୁବୀୟ ସୂର୍ଯ୍ୟଘଡ଼ି, ଏନାଲମେଟିକ୍ ସୂର୍ଯ୍ୟଘଡ଼ିର ନିର୍ମାଣ ପ୍ରକ୍ରିୟା ଓ ସେଗୁଡ଼ିକ କିପରି କାମ କରିଥାନ୍ତି ତାହା ବୁଝାଇଥିଲେ ।
ଜ୍ୟାମିତ୍ୟିକ କମ୍ପାସ ବକ୍ସ ଯେପରି ଗଣିତ ଓ ଜ୍ୟାମିତି ଶିକ୍ଷା ପାଇଁ ସ୍କୁଲ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାରେ ଅପରିହାର୍ଯ୍ୟ ହୋଇପଡ଼ିଛି ଠିକ୍ ସେପରି ଜ୍ୟୋତିର୍ଯନ୍ତ୍ରର ଏହି କ୍ଷୁଦ୍ର ପ୍ରତିରୂପକୁ ଜ୍ୟୋତିର୍ବିଜ୍ଞାନ ଶିକ୍ଷା ପାଇଁ ସ୍କୁଲ ପିଲାଙ୍କ ପାଖରେ ପହଂଚାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।
ମାନଯନ୍ତ୍ର ବ୍ୟବହାର କରି ଦୂର ଜିନିଷର ଉଚ୍ଚତା ଓ ଦୂରତା ମାପିବା, ଧନୁର୍ଯନ୍ତ୍ର ବ୍ୟବହାର କରି ଦୁଇଟି ଆକାଶୀୟ ପିଣ୍ଡ ଭିତରେ ଥିବା କୌଣିକ ଦୂରତାକୁ ମାପିବା ଏବଂ ସୂର୍ଯ୍ୟଘଡ଼ି ଦ୍ୱାରା ସମୟ, ଦିଗ ନିର୍ଣ୍ଣୟ, କ୍ରାନ୍ତି ନିର୍ଣ୍ଣୟ, ସ୍ଥାନୀୟ ସମୟ ନିର୍ଣ୍ଣୟ, ଗୋଟିଏ ସ୍ଥାନର ଅକ୍ଷାଂଶ ନିର୍ଣ୍ଣୟ କରିବାର ମଜା ନିଆରା ବୋଲି ସେ ସମସ୍ତଙ୍କୁ ତିଆରି କରାଯାଇଥିବା ଯନ୍ତ୍ର ଜରିଆରେ ଦେଖାଇଥିଲେ ।
ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ସୋଆର କର୍ମରତ ଅନୁବାଦ ଓ ଗବେଷଣା ପ୍ରବନ୍ଧକ ଡ. ଦୀପକ କୁମାର ପଟ୍ଟନାୟକ । ବହୁ ସ୍କୁଲ କଲେଜରେ ଏଭଳି ଯନ୍ତ୍ର ତିଆରି କର୍ମଶାଳାମାନ ସୋଆ ପକ୍ଷରୁ ଆୟୋଜିତ ହେଉଛି । କିଛି ଦିନ ତଳେ ଏଭଳି ଏକ ଦୁଇ ଦିନିଆ ଶିକ୍ଷକ କର୍ମଶାଳା ଆଇଆଇଟି ଇନ୍ଦୋରର ପ୍ରଫେସର ଶର୍ମା ଆଇକେଏସ୍ ଡିଭିଜନ୍ର ମୁଖ୍ୟ ପ୍ରଫେସର ଗଂଟି ଏସ୍ ମୂର୍ତିଙ୍କ ଉପସ୍ଥିତିରେ ଆୟୋଜନ କରିଥିଲେ ବୋଲି ପ୍ରକାଶ କରିଥିଲେ ।
ରାଜ୍ୟ
ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ
- Hits: 5











