ହେଡଲାଇନସ୍:

ଆଶାକର୍ମୀଙ୍କୁ ମାଡ଼ ଘଟଣା ପ୍ରତିବାଦରେ ପାଟଣାଗଡ଼ ଥାନା ଘେରାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଣ୍ଟା ମଧ୍ୟରେ ଗିରଫ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି) :- ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଆଶାକର୍ମୀଙ୍କୁ ମାଡ଼ ଘଟଣା ପ୍ରତିବାଦରେ ପାଟଣାଗଡ଼ ଥାନାକୁ ଘେରାଉ କରାଯାଇଥିଲା। ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେରବେଡା ପଞ୍ଚାୟତର ବାନଜୀଝାଲ ଗ୍ରାମରେ ଗତକାଲି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିଥିବାବେଳେ ହଟାତ୍ ଏକ ଯୁବକ ଆଶାକର୍ମୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହାସହ କାର୍ଯ୍ୟରତ ଆଶାକର୍ମୀ ଭବାନୀ ବରିହାଙ୍କୁ ଜୋରରେ ପାଞ୍ଚ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ପାଟଣାଗଡ଼ ଥାନାରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ ନ କରିବାରୁ ଆଶାକର୍ମୀମାନେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣା ସ୍ଥଳକୁ ମେଡିକାଲ ଅଫିସର ଡା. ମନୋଜ ଅଗ୍ରୱାଲ ଓ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ପହଞ୍ଚି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଧାରଣା ପ୍ରତ୍ୟାହାର କରାଯାଇଥିଲା। ଏହି ଧାରଣାର ନେତୃତ୍ୱ ଏଆଇଟିୟୁସିର ଜିଲ୍ଲା କର୍ମକର୍ତ୍ତା ଦିଲୀପ କୁମାର ଭୋଇ, ବ୍ଲକ ସଭାପତି ଲଳିତା ବାଗଙ୍କ ସହ ସଂଗୀତା ହରିପାଳ, ଆନନ୍ଦିନୀ ସାହୁ, କଳ୍ପନା ଭୋଇ ଓ ଶତାଧିକ ଆଶାକର୍ମୀ ନେଇଥିଲେ। ଅଭିଯୁକ୍ତ ଗିରଫ ନ ହେଲେ ପୁଣି ଧାରଣା ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ସତର୍କ କରାଯାଇଥିଲା।

0
0
0
s2sdefault