ପ୍ରତି ରୁଫ୍ଟପ୍ ସିଷ୍ଟମ୍ ର ସ୍ଥାପନ ପାଇଁ ଗ୍ରାମ ପଞ୍ଚାୟତକୁ ୧୦୦୦ ଟଙ୍କାର ପ୍ରୋତ୍ସାହନ ରାଶି
ଭୁବନେଶ୍ୱର, ୨ ଡିସେମ୍ବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଆଜି ଏହାର ବ୍ୟବସାୟିକ ସହଯୋଗୀ (ବିଜନେସ୍ ଆସୋସିଏଟ୍ସ) ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍ଏ) ମଡେଲ୍ ଅଧୀନରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ବ୍ୟବସାୟିକ ସହଯୋଗୀମାନଙ୍କୁ ଅବଗତ କରାଇବା ଏବଂ ସେଣ୍ଟ୍ରାଲ ଓଡ଼ିଶାରେ ରୁଫ୍ଟପ୍ ସୋଲାର୍ ପ୍ରକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା।
ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଅରଭିନ୍ଦ ସିଂହ ଯୋଗଦେଇ ବ୍ୟବସାୟିକ ସହଯୋଗୀମାନଙ୍କୁ ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେ ପଞ୍ଜୀକରଣ ପ୍ରକ୍ରିୟା, ସ୍ଥାପନ ପ୍ରଣାଳୀ ଏବଂ କେନ୍ଦ୍ର ସରକାରଙ୍କ ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ସବସିଡି ସହାୟତା ବିଷୟରେ ଆଲୋକପାତ କରିଥିଲେ। ଉଭୟ ଉପଭୋକ୍ତା ଏବଂ ସିଷ୍ଟମ୍ ସଂସ୍ଥାପକ ଭାବରେ ଏଥିରେ ଅଂଶଗ୍ରହଣ କରିବା ପାଇଁ ସେ ବ୍ୟବସାୟିକ ସହଯୋଗୀମାନଙ୍କ ସହଯୋଗ ଲୋଡିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେ ନେଇ ମାର୍ଗଦର୍ଶନ କରିଥିଲେ।
ଟିପିସିଓଡିଏଲ୍ ସେବା ଯୋଗାଣ ଅଞ୍ଚଳ ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ଏହି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ବ୍ୟବସାୟିକ ସହଯୋଗୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଯୋଜନାର ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ନିଜ ଅଞ୍ଚଳରେ ସ୍ଥାପିତ ହେଉଥିବା ପ୍ରତି ରୁଫ୍ଟପ୍ ସିଷ୍ଟମ୍ ପାଇଁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବାକୁ ହକଦାର ହେବେ।
ଏହି ଅଧିବେଶନରେ ୟୁଏଲ୍ଏ ମଡେଲ୍ କିପରି ରୁଫ୍ଟପ୍ ସୋଲାର୍ ବ୍ୟବହାର ପ୍ରକ୍ରିୟାକୁ ସରଳ ଓ ସୁଗମ କରିଥାଏ ଏବଂ ଉପଭୋକ୍ତାମାନଙ୍କୁ ସହଜରେ ସ୍ୱଚ୍ଛ, ଶସ୍ତା ଓ ଭରସାଯୋଗ୍ୟ ଶକ୍ତି ଯୋଗାଇବାରେ ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଘରୋଇ ଉପଭୋକ୍ତାମାନଙ୍କୁ ଏଥିରେ ସାମିଲ କରିବା ନିମନ୍ତେ ବ୍ୟବସାୟିକ ସହଯୋଗୀମାନଙ୍କୁ ଏହି ଯୋଜନାର ଉଭୟ ଆର୍ଥିକ ଓ ପରିବେଶଗତ ଲାଭ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।
ଏହି ଅବସରରେ ଟିପିସିଓଡିଏଲ୍ ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ୟୁଏଲ୍ଏ ମଡେଲ୍ ଅଧୀନରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଘରେ ଘରେ ସୌର ଶକ୍ତି ପହଞ୍ଚାଇବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆମର ବ୍ୟବସାୟିକ ସହଯୋଗୀମାନଙ୍କୁ ସଠିକ୍ ଜ୍ଞାନ ପ୍ରଦାନ କରି ଆମେ ତୃଣମୂଳ ସ୍ତରରେ ସୌର ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ଓଡ଼ିଶାର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ସାକାର କରିବାକୁ ଲକ୍ଷ୍ୟ ରଖିଛୁ। ନିଜର ସେବା ଯୋଗାଣ ଅଞ୍ଚଳ ମଧ୍ୟରେ ଦୀର୍ଘସ୍ଥାୟୀ ଏବଂ ଗ୍ରାହକ-କୈନ୍ଦ୍ରିକ ସମାଧାନ ପ୍ରଦାନ କରିବାକୁ ଟିପିସିଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।”
ପିଏମ୍ ସୂର୍ଯ୍ୟ ଘର – ୟୁଏଲ୍ଏ ମଡେଲର ବିଶେଷତ୍ୱ ଓ ଫାଇଦା:
• ବିଦ୍ୟୁତ୍ ବିଲରେ ବ୍ୟାପକ ସଞ୍ଚୟ
• କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ସବସିଡି (୩୦,୦୦୦ + ୨୫,୦୦୦ ଟଙ୍କା)
• ଉପଭୋକ୍ତାଙ୍କୁ ମାତ୍ର ୫,୦୦୦ ଟଙ୍କା ଏବଂ ଜେନେରେସନ୍ ମିଟର ଚାର୍ଜ ଦେବାକୁ ପଡିବ
• ୨ କିଲୋୱାଟ ପର୍ଯ୍ୟନ୍ତ ମାଗଣା ନେଟ୍ ମିଟର ବ୍ୟବସ୍ଥା
• ୧ କିଲୋୱାଟରୁ ମାସିକ ପ୍ରାୟ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦନ କ୍ଷମତା
• ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ଏବଂ ପରିଚାଳନା ସହଜ
• ୨୫ ବର୍ଷର କାର୍ଯ୍ୟକାଳ; ସୋଲାର ପ୍ୟାନେଲଗୁଡ଼ିକ ଘଣ୍ଟା ପ୍ରତି ୧୮୦ କିମି ବେଗରେ ପବନ ସହିବାର କ୍ଷମତା ରଖେ
• ସର୍ବନିମ୍ନ ୧ କିଲୋୱାଟ ଲୋଡ୍ ଥିବା ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ
• ଏଥିପାଇଁ ଛାତ ଉପରେ ୧୦୦ ବର୍ଗ ଫୁଟର ଖୋଲା ଜାଗା (ଆରସିସି ରୁଫ) ଆବଶ୍ୟକ
ସେଣ୍ଟ୍ରାଲ ଓଡ଼ିଶାର ଉପଭୋକ୍ତାମାନେ ଯେପରି ଏହି ପରିବର୍ତ୍ତନକାରୀ ଯୋଜନାର ଲାଭ ଉଠାଇପାରିବେ, ସେଥିପାଇଁ ଟିପିସିଓଡିଏଲ୍ ଏହାର ସଚେତନତା ଅଭିଯାନ ଜାରି ରଖିବ।











