-
ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି ।
-
ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ବିଷୟରେ ସରକାରଙ୍କଠାରୁ ଉତ୍ତର ମାଗିବ ବିଜେଡି ।
ତା-୨୬.୧୧.୨୦୨୫, ଭୁବନେଶ୍ୱର :ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଉଦ୍ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଛି । ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଠାରୁ ଆରମ୍ଭ କରି ଖୋର୍ଦ୍ଧା, ବାଘମାରୀ ଓ କଟକ SCB Medical College ରେ ନିକଟରେ ଘଟି ଯାଇଥିବା ନାରୀ ନିର୍ଯ୍ୟାତନା ଘଟଣା ଅତ୍ୟନ୍ତ ପୀଡା ଦାୟକ । ଏଭଳି ସମ୍ବେଦନଶୀଳ ଘଟଣା ସରକାରଙ୍କର ଅପାରଗତାକୁ ପଦାରେ ପକାଇଛି । ଏତେ ଘଟଣା ପରେ ଏ ସରକାରର ନିଦ କେବେ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।
ସେହିପରି ଶାନ୍ତି ଓ ସଦ୍ଭାବ ପାଇଁ ସୁନାମ ଥିବା ଓଡିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢି ଚାଲିଥିବା ବେଦନା ଦାୟକ । ଗତ ୧୮ ମାସ ଭିତରେ ରାଜ୍ୟରେ ସ୍ଥିତିରେ ଅବନତି ଘଟିଛି । ନିକଟରେ କଟକ ସହରରେ ଦୁର୍ଗାପୂଜା ସମୟରେ ଘଟି ଯାଇଥିବା ଦଙ୍ଗା ଓଡିଶାର ମୁଣ୍ଡ ତଳକୁ କରିଦେଇଛି ବୋଲି ଶ୍ରୀ ପଟ୍ଟନାୟକ ଖେଦୋକ୍ତି ପ୍ରକାଶ କରିଥିଲେ ।
ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ରାଜ୍ୟରେ ଚାଷୀ ଓ ମହିଳାମାନେ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି । ସରକାର ନା ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇ ପାରୁଛନ୍ତି, ନା ମିଶନ ଶକ୍ତି ମା’ ମାନଙ୍କୁ ଋଣ ସହାୟତା ଦେଇ ପାରୁଛନ୍ତି । ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ସରକାରଙ୍କର ଉଦାସୀନତାର ଦୃଢ ବିରୋଧ କରାଯିବ ବୋଲି ସେ କହିଥିଲେ ।
ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ ଚାଷୀ, ମହିଳା ଓ ଯୁବ ବର୍ଗର ବିରୋଧୀ ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ନିଯୁକ୍ତି ପରୀକ୍ଷା ତ୍ରୁଟି ଶୂନ୍ୟ ଭାବରେ ପରିଚାଳନା କରିପାରି ନାହାନ୍ତି । ଯାହାକି ଯୁବ ବର୍ଗ ମଧ୍ୟରେ ହତାଶା ସୃଷ୍ଟି କରିଛି ।
ତେଣୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡିଶାରେ ଧାନ ସଂଗ୍ରହ ନେଇ ଦେଖା ଦେଇଥିବା ସମସ୍ୟା ବିଷୟ ଉଠାଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ବିଭିନ୍ନ ଆଳରେ ଗରୀବ ଲୋକଙ୍କ ରାସନ କାର୍ଡ କାଟିବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳ ନେତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହରେ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିବା ସହିତ ଆସନ୍ତା କାଲି ମାନ୍ୟବର ରାଷ୍ଟ୍ରପତିଙ୍କ ବିଧାନସଭା କାର୍ଯ୍ୟକ୍ରମ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରିଥିଲେ ।











