ହେଡଲାଇନସ୍:

ଘରୋଇ ପାଇପ କମ୍ପାନୀ ଦଖଲରୁ ମୁକ୍ତ ହେବ ଦଣ୍ଡୋର ଗୋଚର ଜମି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ବର୍ଷର ଜବର ଦଖଲ ପାଇଁ କମ୍ପାନୀ ଦେବ ଜାରିମନା



ଓଡଗାଁ,୩୦।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର କେତେକ ଗ୍ରାମକୁ ମହାନଦୀରୁ ପାନୀୟ ଜଳ ଯୋଗାଣ ନିମନ୍ତେ ବିଗତ ସରକାରଙ୍କ ସମୟରେ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟାରମ୍ଭ ହୋଇଥିଲା । ଏନେଇ ଏକ ଅଣ ଓଡିଶା ଠିକାଦାର ସଂସ୍ଥା ମାଧ୍ୟମରେ ଗାଁ ମାନଙ୍କରେ ପାଇପ ବିଛା କାର୍ଯ୍ୟାରମ୍ଭ ହୋଇଥିଲା । ତେବେ ମହାନଦୀ ପାଣି ଗାଁରେ ପହଂଚିବା ସାତସପନ ହୋଇ ଯାଇଛି । ସମ୍ପୃକ୍ତ ଠିକା ସଂସ୍ଥା ପ୍ରାୟ ୩ ବର୍ଷ ଧରି ଭୂତଳ ପାଇପ ଲାଇନ ବିଛାଇବା କାର୍ଯ୍ୟ ପାଇଁ ଗାଁ ଦାଣ୍ଡ ଖୋଳି ପକାଇଥିବା ବେଳେ ଏଥି ପାଇଁ ବ୍ୟବହୃତ ବହୁ ପରିମାଣର ପ୍ଲାଷ୍ଟିକ ପାଇପ କୁରାଳ ପଂଚାୟତ ଦାଣ୍ଡୋର ଗ୍ରାମର ପ୍ରାୟ ପାଞ୍ଚ ଏକର ଗୋଚର ଜମିକୁ ମନ ଇଚ୍ଛା ଗୋଦାମ ରୂପେ ବ୍ୟବହାର କରୁଥିବା ନେଇ ବହୁବାର ଅଭିଯୋଗ ହୋଇଥିଲା । ଠିକା ସଂସ୍ଥା ଏଥିପ୍ରତି ଭୃକ୍ଷେପ କରୁନଥିବାରୁ ଗାଁ ମୁଣ୍ଡର ଉକ୍ତ ସ୍ଥାନରେ ଗୃହ ପାଳିତ ପ୍ରାଣୀ ଚରାବୁଲା କରିବା ଏବଂ ଲୋକେ ଫସଲ ଅମଳ ଆଦି କାର୍ଯ୍ୟ ପାଇଁ ଅସୁବିଧା ଭୋଗ କରୁଥିଲେ । ଗ୍ରାମବାସୀ ଏଥିରେ ଉତକ୍ଷିପ୍ତ ହୋଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ତହସିଲଦାର କୁରାଳ ରାଜସ୍ୱ ନିରୀକ୍ଷକଙ୍କ ଦ୍ବାରା ସମ୍ପୃକ୍ତ ଜବର ଦଖଲ ଗୋଚର ଜାଗା ପରିଦର୍ଶନ କରିବା ସହିତ ୪.୮୮ ଏକର ଗୋଚର ଜାଗାରେ କେଇସି-ଏସଏମପିଏଲ ଯାନ୍ତ୍ରିକ ଘରୋଇ କମ୍ପାନୀ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ଜବରଦଖଲ କରି ରଖିଥିବା ରିପୋର୍ଟ ପାଇଥିଲେ । ହେଲେ ସରକାରୀ ସ୍ତରରେ ଜବର ଦଖଲ ଉଛେଦ ପାଇଁ ବିଳମ୍ବ ହେବାରୁ ଏବଂ ଧାନ ଅମଳ ସମୟ ହୋଇଥିବାରୁ କେତେକ ଗ୍ରାମବାସୀ ମିଳିତ ଭାବେ ପାଇପ ଗୋଦାମରେ ତାଲା ପକାଇଥିଲେ । ଫଳରେ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ପାଇପ ବିଛା କାର୍ଯ୍ୟ ଭଳି ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କାରେ ଗୁରୁବାର ଦାଣ୍ଡୋର ଗ୍ରାମବାସୀଙ୍କ ସମେତ ସମ୍ପୃକ୍ତ ଠିକା ସଂସ୍ଥାର ପ୍ରତିନିଧିଙ୍କୁ ନିଜ ଅଦାଲତରେ ହାଜିର କରି ଆଲୋଚନା କରିଥିଲେ । ଏବଂ ସମସ୍ତ କ୍ଷେତ୍ରକୁ ବିଚାର କରି ଠିକା ସଂସ୍ଥା ଉପରେ ଦୁଇ ବର୍ଷର ଜବର ଦଖଲ ନିମନ୍ତେ ଆବଶ୍ୟକ ଜୋରିମାନା ଧାର୍ଯ୍ୟ କରିବା ସହିତ ବର୍ତ୍ତମାନ ଠାରୁ ଉପଯୁକ୍ତ ରାଜସ୍ୱ ଜମା ଦେବାକୁ ନିଷ୍ପତି ନିଆଯାଇଥିଲା । ଏବଂ ଦେଢ଼ ଏକର ଜାଗାରେ ପାଇପ ଗୋଦାମ କରି ଅବଶିଷ୍ଟ ଜାଗାକୁ ଗ୍ରାମବାସୀଙ୍କ ବ୍ୟବହାର ନିମନ୍ତେ ୧୫ ଦିନ ମଧ୍ୟରେ ଖାଲି କରିବାକୁ ତହସିଲଦାର ନିର୍ଦେଶ ଦେଇଥିଲେ । କାହ୍ନୁଚରଣ ପରିଡା, ସନ୍ୟାସୀ ମିଶ୍ର, ଗୋପିଆ ଗୌଡ଼, ଗୋବିନ୍ଦ ଚୋଧୁରୀ, ମାଧବ ସାହୁଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ତହସିଲଦାରଙ୍କ କୋର୍ଟରେ ହାଜିର ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault