ଯୋଜନା ଏଠି ବାଟବଣା ପଡୁନି ବିକାଶର ଛାଇ : ୭୦ ବର୍ଷ ସ୍ୱାଧୀନତା ପରେ ବି ମୌଳିକ ସୁବିଧା ସୁଯୋଗ ନାହିଁ
ଏମିତି ଗୋଟେ ଗାଁ , ଯେଉଁଠି ଯୋଜନା ବାଟବଣା ହୋଇଯାଇଛି | ପ୍ରଶାସନ ଭୁଲି ଯାଇଛି ଏମିତି ଗୋଟେ ଗାଁ ଅଛି ବୋଲି | ବିକାଶର ଛାଇ ପଡୁନି ଏଇ ଗାଁରେ ସ୍ୱାଧୀନତାର ୭୦ ବର୍ଷ ପରେ | ସତେ ଯେମିତି ଏମାନେ ଓଡିଶା ପ୍ରଶାସନର ସାବତ ପୁଅ | ଯାହାବି ଚାଲିଛି ଧର୍ମକୁ ଆଖି ଠାର ପରି, କାଗଜ କଲମରେ | ଏ ସମ୍ପର୍କରେ ଆମ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀଙ୍କ ରିପୋର୍ଟ |
ଆଦିବାସୀ ଅଧ୍ୟୁଷିତ ପାହାଡିଆ ଜଙ୍ଗଲ ଭରା ଗ୍ରାମ ଏଙ୍ଗାରସିଂ । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଏଙ୍ଗାରସିଂ ଗ୍ରାମ ହେଉଛି, ପଞ୍ଚାୟତ ସଦର ମହକୁମା । ସ୍ୱାଧୀନତାର ୭୦ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଏହି ଏଙ୍ଗାରସିଂ ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏମିତିକି ପଞ୍ଚାୟତ ମାଧ୍ୟମରେ ସରକାରୀ ସ୍ତରରେ ମିଳୁଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ଏଠାରେ ସାତ ସପନ ହୋଇପଡିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ , ବିଜୁଳି ଆଲୁଅ ନାମକୁ ମାତ୍ର ରହିଅଛି । ଯାହାକି ନଥିବା ସଙ୍ଗେ ସମାନ । ବର୍ଷ ବର୍ଷ ଧରି ଏହି ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧା ଠିକ ଭାବେ ଅପହଞ୍ଚ ହୋଇପଡିଥିବା ବ୍ୟବସ୍ଥାରେ ରହି ଜୀବନ କାଟିଆସୁଥିବା ବେଳେ ଗତ ଅକ୍ଟୋବର ୧୦ରେ ହୋଇଥିବା ସାମୁଦ୍ରିକ ଝଡବାତ୍ୟା ତିତଲି ସେମାନଙ୍କ ସମସ୍ୟାକୁ ଆହୁରୀ ଦ୍ୱିଗୁଣିତ କରିଦେଇଛି । ଅତ୍ୟନ୍ତ ଦୟନୀୟ ଓ ଅଭିଶପ୍ତ ଜୀବନ ବିତାଇଆସୁଛନ୍ତି ଏହି ପାହାଡିଆ ଅଞ୍ଚଳରେ ଥିବା ଏଙ୍ଗାରସିଂଗ୍ରାମବାସୀ । ଏଙ୍ଗାରସିଂ ଗ୍ରାମ ଏହା ପଞ୍ଚାୟତ ସଦରମହକୁମା ହେଉଛି ଗତ ଏକ ବର୍ଷ ପୂର୍ବେ ଏହା ଲୋବା ପଞ୍ଚାୟତ ଅଧିନରେ ଥିଲା ଏଙ୍ଗାରସିଂ ଗ୍ରାମରେ ଚାରୋଟି ସାହି । ଏଙ୍ଗାରସିଂ-୧,ଏଙ୍ଗାରସିଂ-୨,ଗରୁଡା ସାହି ଓ ଗୁଡିସାହି । ଏହି ଚାରିଗୋଟି ସାହିରେ ପ୍ରାୟ ୧୮୦ଟି ପରିବାରର ୧୨୦୦ରୁ ଉର୍ଧ୍ଵ ଲୋକ । ଗତ ତିତଲି ବାତ୍ୟାରେ ଗ୍ରାମବାସୀଙ୍କ ଜୀବନଜିବିକା ଘରଦ୍ୱାର ସବୁ ଉଜୁଡିଯାଇଛି । ବାତ୍ୟାରେ ଜୀବନ ଜିବିକା ପାଇଁ ରହିଥିବା ଗାଈ, ଛେଳି,ମେଣ୍ଢା.କୁକୁଡା ସବୁ ମରିଯାଇଥିବା ବେଳେ ପାହାଡରେ ଥିବା ସେମାନଙ୍କ ଆମ୍ୱ,ପଣସ, ତେନ୍ତୁଳି, କାଜୁ, କଦଳି ,ମହୁଲ ପ୍ରଭୃତି ଗଛ ସବୁ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ପାହାଡ ଧସି ଧୋଇ ହୋଇଯିବା ଫଳରେ ସେମାନଙ୍କ ପଡୁଚାଷ ହେଉଥିବା ଜନା,କାଙ୍ଗୁ, ହଳଦୀ,ଅଦା ମାଣ୍ଡିଆ,କାନ୍ଦୁଲ ପ୍ରଭୃତି ଚାଷ ଆଉ କିଛି ବର୍ଷ ଧରି ହେବ ନାହିଁ । ବାତ୍ୟାରେ ଗ୍ରାମର ପ୍ରାୟ ୭୦ ଘର ଭାଙ୍ଗିଯାଇ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ରହିଛି । ବିପନ୍ନ ଲୋକ ଶୀତକାକରରେ ରହିବାକୁ ବାଧ୍ୟ ହେଉଛନ୍ତି ।ସରକାରୀ ସହାୟତା ଭାବେ ଗ୍ରାମକୁ କେବଳ ମିଳିଛି ୫୦ କେଜି ଚାଉଳ, ଏକ ହଜାର ଟଙ୍କା ଏବଂ ଘର ଘୋଡାଇବା ପାଇଁ କିଛିଟା ଟାର୍ପିଲିନ ବ୍ୟତୀତ ଆଉକିଛି ମିଳନି । ଘର ଭାଙ୍ଗିଯାଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ । କେବଳ ଥରେ ମାତ୍ର ସରକାରୀ କର୍ମଚାରୀ ତିତଲି ପରେ ପରେ ଆସି ଘରଭଙ୍ଗାଯାଇଥିବା ଦେଖି ଓ ଆକଳନ କରି ଚାଲିଯାଇଛନ୍ତି ହେଲେ ଆଜିକୁ ଦୁଇମାସ ବିତିଗଲାଣି ସିନା ଘରଭଙ୍ଗା ସହାୟତା ରାଶି ଏ ଯାବତ ମିଳିନାହଁ । ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀ ଓ ବ୍ଲକ ଓ ଜିଲ୍ଲାପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ - ଗୁହାରି ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଜଣାଇଛନ୍ତି । ଶିକ୍ଷା କ୍ଷେତ୍ରରେ ଏଠାରେ ବିଦ୍ୟାଳୟଟିଏ ଚାଲିଛି । ଶିକ୍ଷକ ଏଠାକୁ ନିୟମିତ ଆସୁନାହାନ୍ତି । ଗ୍ରାମବାସୀଙ୍କ ନିରୀହତା ଓ ଅପାଠୁଆ ହେବ ସାଙ୍ଗକୁ ସଚେତନର ଅଭାବକୁ ସୁଯୋଗନେଇ ଏଠାରେ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟୟ ଆଡକୁ ଠେଲିଦିଆଯାଉଅଛି । ସ୍ୱାସ୍ଥ୍ୟ ସେବା ଏଠାରେ ସମ୍ପୁର୍ଣ୍ଣ ଭାବେ ଅପହଞ୍ଚ ହୋଇପଡିଛି । ଏଙ୍ଗାରସିଂ ଗ୍ରାମକୁ ଆସିବା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ପିଚୁ ରାସ୍ତାଟିଏ ଥିଲେ ମଧ୍ୟ ପ୍ରାୟ ୧୨୦୦ ଫୁଟ ଲବଣରେ ଥିବା ଏବଂ ସମ୍ପୁର୍ଣ୍ଣ ପାହାଡିଆ ଘାଟି ରାସ୍ତା ହୋଇଥିବାର ସୁଯୋଗ ନେଇ ଏଠାକୁ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ପ୍ରାୟତଃ ଆସୁନାହିଁ । କାହାକୁ ଯଦି ରୋଗବ୍ୟାଧି ଦେଖାଦିଏ ତାହା ହେଲେ ଅନ୍ୟ ଉପାୟ ନପାଇ ୩୫ରୁ ୪୦ କିମି ଦୂରରେ ଥିବା ରାୟଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇ ଯିବା କଥା | ନଚେତ ଭଗବାନଙ୍କୁ ଡାକି ଘରେ ଲୋକଙ୍କ ସେବା ପାଇ ରହିବା କଥା । ପାନୀୟ ଜଳ ବ୍ୟବସ୍ଥା କହିଲେ ଏଠାରେ ୩ଟି ନଳକୁପ ଓ ତିନଟି ବଡପଥର କୁଅଁ ସାଙ୍ଗକୁ ଗ୍ରାମନିକଚସ୍ଥ ଖଣ୍ଡମହଲ ପାହାଡର ଝରଣାରୁ ପାଇପ ଯୋଗେ ପାଇପ ଯୋଗେ ବ୍ୟବସ୍ଥା କରାଯାଇଛି । ହେଲେ ତାହା କେବଳ ବର୍ଷା ଦିନରେ ହିଁ କାର୍ଯ୍ୟକ୍ଷମ ହୋଇଥାଏ । ଖରାଦିନ ମାସରେ ଗ୍ରାମବାସୀ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହୋଇ ପଡିଥାନ୍ତି । ଏହି ନଳକୁପ ଓ କୁଅର ପାଣି ଶୁଖିଯାଇଥାଏ । ସେହିଭଳି ଝରଣା ସ୍ରୋତ କମିଯିବା ପରେ ପାଇପଯୋଗେ ଆଉ ପାଣି ଆସିପାରେ ନାହିଁ । ପାନୀୟ ଜଳ ପିଇବା ବିକଳ୍ପରେ ଗ୍ରାମବାସୀ ପ୍ରାୟ ଦୁଇତିନି କିମି ଦୁରରେ ଥିବା ସେହି ଖଣ୍ଡମହଲ ପାହାଡ ଝରଣାର ନାଳକୁ ପାଣି ଆଣିବା ପାଇଁ ଯାଇଥାନ୍ତି । ସେହିଭଳି ଗ୍ରାମରେ ବିଜୁଳି ଆଲୁଅ ବ୍ୟବସ୍ଥା ରହିଛି ହେଲେ ତାହା ନଥିବା ସଙ୍ଗେ ସମାନ । ଟ୍ରାନ୍ସଫରମର ସ୍ଥାପନା ହୋଇଛି , ବିଦ୍ୟୁତ ପୋଲ ମାଳ ମାଳ ରହି ଘର ଗୁଡିକୁ ତାର ଟଣାଯାଇ ବିଦ୍ୟୁତ ଆଲୁଅ ବ୍ୟବସ୍ଥା କରାଯାଇଛି । ହେଲେ ତାହା ଦିନରେ କାହିଁକି ମାସରେ କେତେ ଦିନ କେତେ ସମୟ ରହୁଛି ଏହାର ଅଭାବରେ ଗ୍ରାମବାସୀ ଅନ୍ଧକାରରେ କିଭଳି ଜୀବନ କାଟୁଛନ୍ତି ଏଥିପ୍ରତି ବିଦ୍ୟୁତ ବିଭାଗକୁ ଗ୍ରାମବାସୀଙ୍କ ଅଭିଯୋଗ ସତ୍ୟେ କୌଣସି ପଦକ୍ଷେପ ନିଆଯାଉନାହିଁ । ଗ୍ରାମବାସୀଙ୍କୁ ମନେରଗା ଯୋଜନାରେ ଦୀର୍ଘ ମାସ ଧରି କାମ ମିଳିନି, କି ଜଙ୍ଗଲ ଜମି ପଟ୍ଟା ମିଳୁନି । କେତେ ଜଣଙ୍କୁ ଏ ପର୍ଯ୍ୟନ୍ତ ଭୋଟର କାର୍ଡ କି ଆଧାରକାର୍ଡ ବି ମିଳିନାହିଁ । ଅନେକ ବୁଢା ବୁଢ଼ୀ ଥିଲେ ମଧ୍ୟ ଭତ୍ତା ମିଳୁନଥିବା ଅଭିଯୋଗ ହେଉଛି । ରେସନ କାର୍ଡ ମଧ୍ୟ ମିଳିନାହିଁ । ମୁଖ୍ୟ ସମସ୍ୟା ମଧ୍ୟରେ ଏଙ୍ଗାରସିଂ ଗ୍ରାମପଂଚାୟତ ସଦର ମହକୁମା ଏଠାରେ ପଞ୍ଚାୟତ ପକ୍ଷରୁ ସରକାରୀ ସୁବିଧା କିଛି ଗ୍ରାମବାସୀଙ୍କୁ ମିଳୁନି । ଗ୍ରାମବାସୀ ତଥା ସମସ୍ତ ପଂଚାୟତ ବାସୀ ପୂର୍ବର ଥିବା ଲୋବା ପଞ୍ଚାୟତ କାର୍ଯ୍ୟାଳୟରୁ ବିଭିନ୍ନ ସରକାରୀ ବଣ୍ଟନର ସୁବିଧା ମିଳୁଛି । ଏଥିପାଇଁ ଯିଏ ଦୁଇତିନଟା ପାହାଡ ଡେଇଁ ଲୋବା କାର୍ଯ୍ୟାଳୟରେ ପହଞ୍ଚୁଛି ସିଏ ହିଁ ପାଉଛି ବିଭିନ୍ନ ସାମଗ୍ରୀ ନହେଲେ ସେଭଳି ରହିଥିବା କଥା | ତେଣୁ ଗ୍ରାମବାସୀଙ୍କ ମୁଖ୍ୟ ଦାବୀ ଯେ ସେମାନଙ୍କୁ ତୁରନ୍ତ ଏଙ୍ଗାରସିଂ ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ କରି ସେଠାର ପଞ୍ଚାୟତ ବାସୀଙ୍କୁ ସମସ୍ତ ବଣ୍ଟନ ବ୍ୟବସ୍ଥା ଦିଆଯାଉ ବୋଲି ଗ୍ରାମାବାସୀ ଦୃଢଦାବୀ ଜଣାଇଛନ୍ତି ।