-
- ତେଣ୍ଡାଗୁଡ଼ା, ଖାଟିଗୁଡ଼ା, କୋସଗୁମୁଡ଼ା ଓ ଝରିଗାଁ ସବଷ୍ଟେସନ ଉନ୍ନତିକରଣ
-
- ଜୋଡ଼ିଙ୍ଗା, ଧଡ଼ରା, ଡୁମୁରିମୁଣ୍ଡାରେ ନୂତନ ପ୍ରାଇମେରୀ ସବଷ୍ଟେସନ
-
- ଘରୋଇ ଉପଭୋକ୍ତାଙ୍କ ସାଙ୍ଗକୁ କୃଷିକ୍ଷେତ୍ର ଓ ଅନୁଷ୍ଠାନକୁ ଗୁଣାତ୍ମକ ବିଜୁଳି ଯୋଗାଣ
-
- ନୂଆ ୩୩ କେଭି ଲାଇନ ଓ ୧୧ କେଭି ଲାଇନ ସଂପ୍ରସାରଣ
-
- ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଜୋର ଦେଉଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର, ସେପ୍ଟେମ୍ୱର: ନବରଙ୍ଗପୁର ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ବିଜୁଳି ଯୋଗାଣର ମାନରେ ଉନ୍ନତି ଆଣିବା ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଅନେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଅନେକ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଏଗୁଡ଼ିକ ଘରୋଇ ଉପଭୋକ୍ତାଙ୍କ ସମେତ କୃଷକ, ଉଦ୍ୟୋଗ, ଶିଳ୍ପକ୍ଷେତ୍ର ତଥା ଅନ୍ୟ ଅନୁଷ୍ଠାନଗୁଡ଼ିକୁ ଗୁଣାତ୍ମକ ବିଜୁଳି ଯୋଗାଣ ହୋଇପାରୁଛି ।
ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ କୃଷି ସମ୍ଭାବନା ପାଇଁ ଜଣାଶୁଣା ନବରଙ୍ଗପୁର ଜିଲ୍ଲା ରାଜ୍ୟର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଜିଲ୍ଲା ମଧ୍ୟରୁ ଅନ୍ୟତମ । ଜିଲ୍ଲାରେ ସହରୀକରଣ ସାଙ୍ଗକୁ କୃଷି ଓ ଶିଳ୍ପ କ୍ଷେତ୍ର ଅଧିକ ପ୍ରଗତି କରୁଥିବା ହେତୁ ଗୁଣାତ୍ମକ ବିଜୁଳି ଚାହିଦା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ବିଦ୍ୟୁତ ଟ୍ରାନ୍ସଫର୍ମରଗୁଡ଼ିକର ଆଧୁନିକୀକରଣ କରିବା ସହ ବିଦ୍ୟୁତ ଲାଇନ ବିସ୍ତାର ଓ ଫିଡର ନବୀକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି । ଯାହାଫଳରେ ଜିଲ୍ଲାର ଉପଭୋକ୍ତାମାନେ ଭରସାଯୋଗ୍ୟ ବିଜୁଳି ସେବା ପାଇପାରୁଛନ୍ତି ।
ଗଲା ୧ ବର୍ଷ ଧରି ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି । ତେଣ୍ଡାଗୁଡ଼ାରେ ବିଦ୍ୟୁତ ଯୋଗାଣକୁ ମଜଭୁତ କରିବା ନିମନ୍ତେ ଅତିରିକ୍ତ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଖାଟିଗୁଡ଼ା ଓ କୋସଗୁମୁଡ଼ା ପ୍ରାଇମେରୀ ସବଷ୍ଟେସନର କ୍ଷମତା ୧.୬ ଏମଭିଏ ଟ୍ରାନ୍ସଫର୍ମରକୁ ୩.୧୫ ଏମଭିଏକୁ ବୃଦ୍ଧି କରାଯାଇଥିବା ବେଳେ ଝରିଗାଁରେ ୩.୧୫ ଏମଭିଏ କ୍ଷମତା ବିଶିଷ୍ଟ ସବଷ୍ଟେସନକୁ ୫ ଏମଭିଏରେ ପରିଣତ କରାଯାଇଛି । ସେହିଭଳି ନବରଙ୍ଗପୁର ସହର ମୁଖ୍ୟ ସବଷ୍ଟେସନକୁ ୫ ଏମଭିଏରୁ ୧୦ ଏମଭିଏରେ ପରିଣତ କରାଯାଇଛି । ଯାହା ଫଳରେ ଏହି ସମଗ୍ର ଅଞ୍ଚଳକୁ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ସମ୍ଭବପର ହୋଇପାରୁଛି ।
ଏହାବ୍ୟତୀତ ରାଇଘର ବ୍ଲକ ଅନ୍ତର୍ଗତ ଜୋଡ଼ିଙ୍ଗା ଗ୍ରାମ, ଝରିଗାଁ ବ୍ଲକର ଧଡ଼ରା ଓ ଉମରକୋଟ ଅନ୍ତର୍ଗତ ଡୁମୁରିମୁଣ୍ଡା ଗ୍ରାମରେ ଦୁଇଟି ଲେଖାଏଁ ୫ ଏମଭିଏ କ୍ଷମତା ବିଶିଷ୍ଟ ପ୍ରାଇମେରୀ ସବଷ୍ଟେସନ ପ୍ରତିଷ୍ଠା ହୋଇଛି । ସଂପୃକ୍ତ ଅଞ୍ଚଳଗୁଡ଼ିକରେ ଦୀର୍ଘଦିନ ଧରି ଲାଗି ରହିଥିବା ଲୋ-ଭୋଲଟେଜ ସମସ୍ୟାକୁ ଦୂର କରିବା ଦିଗରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ରବି ଋତୁରେ ଜଳ ସମସ୍ୟା କୃଷି କାର୍ଯ୍ୟକୁ ବାଧାପ୍ରାପ୍ତ କରିଆସୁଥିଲା । ଏହାର ସମାଧାନ ନିମନ୍ତେ କମ୍ପାନୀ ନୂତନ ଭିତ୍ତିଭୂମି ପ୍ରତିଷ୍ଠା କରି ଉନ୍ନତି ବିଜୁଳି ଯୋଗାଣ ସୁନିଶ୍ଚିତ କରିଛି । କୃଷକ ସଂପ୍ରଦାୟମାନଙ୍କର ବିଜୁଳିଜନିତ ସମସ୍ୟା ଦୂର ହେବା ଦ୍ୱାରା ନିରବଚ୍ଛିନ୍ନ ଭାବେ ଜଳସେଚନ ସୁବିଧା ମିଳିବା ସମ୍ଭବପର ହୋଇପାରିଛି ।
ସେହିଭଳି ନୂତନ ଲାଇନ ନିର୍ମାଣ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ନବରଙ୍ଗପୁର ଗ୍ରୀଡ୍ ସବଷ୍ଟେସନରୁ ପାପଡାହାଣ୍ଡି ଓ ଅନ୍ୟ ସ୍ଥାନକୁ ନୂତନ ୩୩ କେଭି ଲାଇନ ନିର୍ମାଣ ହୋଇଛି । ମେଧାବେଡ଼ାରୁ ଚିକଲପଦର ପର୍ଯ୍ୟନ୍ତ, ଝରିଗାଁରୁ ପୁପୁଗାଁ ପର୍ଯ୍ୟନ୍ତ, କୋସଗୁମୁଡ଼ାରୁ କୋଟପାଡ଼ ଓ ବେହେରାରୁ ରାଇଘର ମଧ୍ୟରେ ୩୩ କେଭି ଲାଇନ ନିର୍ମାଣ ହୋଇଛି । ଏସବୁ ନୂଆ ଲାଇନ ଜିଲ୍ଲାର ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିପାରିଛି ।
ଅନ୍ୟପକ୍ଷରେ ଚୁଟିଆଗୁଡ଼ା ପ୍ରାଇମେରୀ ସବଷ୍ଟେସନରୁ ନବରଙ୍ଗପୁର-୨, ଖାଟିଗୁଡ଼ାରୁ ଜଲିଆଗୁଡ଼ା, ମେଣ୍ଢାବେଡ଼ାରୁ ଭରଣ୍ଡି ପର୍ଯ୍ୟନ୍ତ ନୂତନ ୧୧ କେଭି ଲିଙ୍କ୍ ଲାଇନ ନିର୍ମାଣ କରାଯାଇଛି । ଯାହାଫଳରେ ଅନେକ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର ହେବା ସହ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରୁଛି । ନବରଙ୍ଗପୁର ସହର – ୧ ଓ ୨, ଭରଣ୍ଡି, ତୁରୁଡ଼ି, ଗୁରୁସିଂହା ଓ ଦେବଗାଁ ସମେତ ଅନେକ ଫିଡରକୁ ଆଧୁନିକ ମାନଦଣ୍ଡର ଆଧାରରେ ଉନ୍ନତ କରାଯାଉଛି । ଏସବୁ ଉଭୟ ସହରାଞ୍ଚଳ ଓ ଗ୍ରାମା଼ଞ୍ଚଳ ଉପଭୋକ୍ତା ଓ ବ୍ୟବସାୟିକ ଅନୁଷ୍ଠାନକୁ ସ୍ଥିର ବିଦ୍ୟୁତ ପ୍ରଦାନରେ ସହାୟକ ହୋଇପାରୁଛି ।
କୃଷି କ୍ଷେତ୍ରକୁ ଜଳସେଚନ ନିମନ୍ତେ ବିଜୁଳିର ଆବଶ୍ୟକତାକୁ ଅନୁଭବ କରି କମ୍ପାନୀ ଏଭଳି ବ୍ୟାପକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରଖିଛି । ସେହିଭଳି ଚିକିତ୍ସାଳୟ, ବିଭିନ୍ନ ସରକାରୀ ଅନୁଷ୍ଠାନ ତଥା ଉପଭୋକ୍ତା ସଂପ୍ରଦାୟଙ୍କ ଚାହିଦା ମେଣ୍ଟାଇବା ସହ ଅଞ୍ଚଳ ବ୍ୟାବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ କମ୍ପାନୀ ସଦା ପ୍ରତିବଦ୍ଧ ରହିଛି ।
ନବରଙ୍ଗପୁର ଜିଲ୍ଲାର ଏ ସମସ୍ତ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି: "ନବରଙ୍ଗପୁର ହେଉଛି ଏକ ଅପାର ସମ୍ଭାବନା ଥିବା ଜିଲ୍ଲା, ଯାହା କୃଷି, କ୍ରମବର୍ଦ୍ଧିଷ୍ଣୁ ସହର ଏବଂ ଏହାର ଲୋକଙ୍କ ଆକାଂକ୍ଷା ଦ୍ୱାରା ପରିଚାଳିତ। ସେହି ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ କେନ୍ଦ୍ରବିନ୍ଦୁ ଅଟେ | ଲାଇନର ସମ୍ପ୍ରସାରଣ, ଟ୍ରାନ୍ସଫର୍ମରର ବୃଦ୍ଧି ଏବଂ ଫିଡରଗୁଡିକର ଉନ୍ନତିକରଣ ଦ୍ୱାରା ଆମେ ନିଶ୍ଚିତ କରୁଛୁ ଯେ ବିଦ୍ୟୁତ ଶକ୍ତି ଗୁଣବତ୍ତା ଏବଂ ବିଶ୍ୱସନୀୟତା ସହିତ ପ୍ରତ୍ୟେକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚୁ। ଜୋଡିଙ୍ଗା, ଧଡ଼ରା ଏବଂ ଡୁମୁରିମୁଣ୍ଡାଠାରେ ନୂତନ ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଭୋଲଟେଜଜନିତ ସମସ୍ୟା ଦୂର ହେବା ଏବଂ ଗୁରୁତ୍ୱପୂର୍ଣ୍ଣ ରବି ଋତୁରେ କୃଷକମାନଙ୍କୁ ସେମାନଙ୍କ କ୍ଷେତକୁ ଜଳସେଚନ କରିବାରେ ସକ୍ଷମ କରିବା ଦିଗରେ କମ୍ପାନୀ ଏହି ସବୁ ପଦକ୍ଷେପ ନେଇଛି । ଏହି ପଦକ୍ଷେପ କେବଳ ଜିଲ୍ଲାର ଭିତ୍ତିଭୂମିକୁ ମଜବୁତ କରିବ ନାହିଁ ବରଂ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଉଦ୍ୟୋଗକୁ ମଧ୍ୟ ସମର୍ଥନ କରିବ । ଏହିପରି ଭାବରେ ଟିପିଏସ୍ଓଡିଏଲ୍ ଉପଭୋକ୍ତା ସମ୍ପ୍ରଦାୟକୁ ଶକ୍ତିଶାଳୀ କରିବା ସହ ଦକ୍ଷିଣ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ କାର୍ଯ୍ୟ କରୁଛି ।
ନବରଙ୍ଗପୁର ଜିଲ୍ଲାରେ ବିଦ୍ୟୁତ ନେଟଓ୍ୱର୍କକୁ ମଜଭୁତ କରିବା ଦିଗରେ ଏଭଳି ପଦକ୍ଷେପ କେବଳ ସ୍ଥାନୀୟ ପ୍ରଗତି ନୁହେଁ, ବରଂ ଶକ୍ତି ସୁରକ୍ଷା ଓ ସାମଗ୍ରିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାରେ ଦିଗରେ ଏକ ପ୍ରମୁଖ ପ୍ରକଳ୍ପ ଅଟେ । ଅନ୍ତର୍ଭୁକ୍ତ ବିଦ୍ୟୁତ ବିତରଣ ବ୍ୟବସ୍ଥା ଜିଲ୍ଲାର ପ୍ରଗତିରେ ସହାୟକ ହେବା ସହ ଟିପିଏସ୍ଓଡିଏଲର ବିଜୁଳି ଯୋଗାଣ କ୍ଷେତ୍ରକୁ ଥିବା ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।











