ହେଡଲାଇନସ୍:

ଟିପିସିଓଡିଏଲ ପକ୍ଷରୁ ଦଶହରା ପାଇଁ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପେଣ୍ଡାଲ ଓ ଦୋକାନ ପାଇଁ ସାମୟିକ ଆଇନଗତ ବିଦ୍ୟୁତ ସଂଯୋଗକୁ ଉତ୍ସାହିତ କରାଯାଉଛି

  • ଏକ ନିରାପଦ ଉତ୍ସବ ପାଳନ ପାଇଁ ସୁରକ୍ଷା ମାନକ ପାଳନ କରନ୍ତୁ

 

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଦଶହରା ସମୟରେ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବିଶେଷ ସୁରକ୍ଷା ଉପାୟ ଘୋଷଣା କରାଯାଇଛି। ଟିପିସିଓଡିଏଲ୍ ସେବା ଯୋଗଉଥିବା ଅଞ୍ଚଳରେ ହଜାର ହଜାର ପୂଜା ପେଣ୍ଡାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ସବ ଷ୍ଟଲ୍ ଆୟୋଜିତ ହେବାକୁ ଥିବାରୁ ଟିପିସିଓଡିଏଲ ସାର୍ବଜନୀନ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି ଏବଂ ଆୟୋଜକ, ବିକ୍ରେତା ଓ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ କଡା଼କଡି ଭାବେ ଅନୁସରଣ କରିବାକୁ ଅନୁରୋଧ କରିଛି।
ପୂଜା କମିଟି ଏବଂ ଦୋକାନ ମାଲିକମାନେ ଟିପିସିଓଡିଏଲର ସେକ୍ସନ, ସବଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇପାରିବେ। ବେଆଇନ ହୁକ ପକାଇବାକୁ କମ୍ପାନି ଦୃଢ଼ ଭାବେ ନିରୁତ୍ସାହିତ କରୁଛି, କାରଣ ଏହାଦ୍ୱାରା ଟ୍ରାନ୍ସଫର୍ମର ଉପରେ ଅତ୍ୟଧିକ ଭାର ପଡ଼ିବା, ସର୍ଟ ସର୍କିଟ, ଅଗ୍ନିକାଣ୍ଡର ଆଶଙ୍କା ଏବଂ ଉତ୍ସବ ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହେବା ଭଳି ଅନେକ ଗୁରୁତର ସୁରକ୍ଷା ବିପଦ ସୃଷ୍ଟି ହୋଇଥାଏ।
ଲାଇସେନ୍ସପ୍ରାପ୍ତ ଟେକ୍ନିସିଆନ ମୂତୟନ କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ତାରକୁ ନ ଯୋଡ଼ି ଉପଯୁକ୍ତ ଓୟାରିଂ ନିଶ୍ଚିତ କରିବା, ବିଦ୍ୟୁତ ବ୍ୟବସ୍ତା ଗୁଡ଼ିକର ଉପଯୁକ୍ତ ଆର୍ôଥଂ କରିବା ଏବଂ ବିଦ୍ୟୁତ ଝଟକାରୁ ସୁରକ୍ଷା ପାଇଁ ୩୦ ଏମଏ କଟଅଫ ରେଟିଂର ଆରସିସିବି ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି। ଏଲଇଡି ଲାଇଟ୍ ବ୍ୟବହାର କରିବା, ସକେଟ ଗୁଡିକ ଉପରେ ଅତ୍ୟଧିକ ଭାର ଦେବାରୁ ଦୂରେଇ ରହିବା, ନିମ୍ନ ମାନର ସାମଗ୍ରୀ ବ୍ୟବହାର ନିଷେଧ କରିବାକୁ ଏବଂ ପେଣ୍ଡାଲଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖିବାକୁ ପୂଜା କମିଟିଗୁଡ଼ିକୁ ଉତ୍ସାହିତ କରାଯାଉଛି।
ନାଗରିକମାନଙ୍କୁ ତାର ଖୁଂଟ, ଟ୍ରାନ୍ସଫର୍ମର୍ ଏବଂ ଓଭରହେଡ୍ ଲାଇନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ସାଜସଜ୍ଜା ଏବଂ ପତାକା ଆଦିକୁ ବିଦ୍ୟୁତ ତାରଠାରୁ ଦୂରରେ ରଖିବା ଉଚିତ୍ ଏବଂ ପତାକା ପାଇଁ ଧାତବ ବାଡ଼ି ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କୁହାଯାଇଛି। ବିଶେଷକରି ଶୋଭାଯାତ୍ରା ଏବଂ ମୂର୍ତ୍ତି ବିସର୍ଜନ ସମୟରେ ବିଦ୍ୟୁତ୍ ବ୍ୟବସ୍ଥା ନିକଟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହା ବ୍ୟତୀତ ଦୁର୍ଘଟଣା ରୋକିବା ପାଇଁ ଟ୍ରାନ୍ସଫର୍ମର୍ କିମ୍ବା ସବଷ୍ଟେସନ୍ ନିକଟରେ ବାଣ ଫୁଟାଇବା କଦାପି ଉଚିତ ନୁହେଁ।
ସଂଯୋଗଗୁଡିକର ନିୟମିତ ପରିଦର୍ଶନ ଏବଂ କ୍ଷତିଗ୍ରସ୍ତ ତାରଗୁଡିକୁ ତତ୍କାଳ ବଦଳାଇବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ ସରବରାହ ବ୍ୟାଘାତ କିମ୍ବା ଜରୁରୀକାଳୀନ ସ୍ଥିତିରେ ଶୀଘ୍ର ସହାୟତା ପାଇଁ ଟିପିସିଓଡିଏଲ ନିଜର ୨୪ ଘଣ୍ଟିଆ କଲ୍ ସେଂଟର (୧୯୧୨ / ୧୮୦୦-୩୪୫-୭୧୨୨) କୁ ସଶକ୍ତ କରିଛି ।
ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ, ‘ସୁରକ୍ଷା ହେଉଛି ଆମର ପ୍ରାଥମିକତା। ଆମେ ସାଧାରଣ ନାଗରିକ ଏବଂ ଆୟୋଜକମାନଙ୍କୁ ବିଧିବଦ୍ଧ ସଂଯୋଗ ଚୟନ କରିବା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରୁଛୁ ଯାହା ଦ୍ୱାରା ସମସ୍ତେ ଆନନ୍ଦ ଏବଂ ସୁରକ୍ଷା ସହିତ ଏହି ପର୍ବ ପାଳନ କରିପାରିବେ।’’
ଟିପିସିଡିଏଲ ସମସ୍ତଙ୍କୁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଦଶହରାର ଶୁଭେଚ୍ଛା ଜଣାଉଛି।

0
0
0
s2sdefault