ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ସୁରକ୍ଷା ପରାମର୍ଶ ଜାରି କଲା ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

* ପାର୍ବଣ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ
* ପୂଜା ମଣ୍ଡପକୁ ଅସ୍ଥାୟୀ ସଂଯୋଗ
* ବେଆଇନ ଓ ଅସୁରକ୍ଷିତ ବିଜୁଳି ସଂଯୋଗଠାରୁ ଦୂରେଇ ରହିବାକୁ ପରାମର୍ଶ
* ଉପଯୁକ୍ତ ଆର୍ଥିଂ ଓ ଓ୍ୱାୟରିଂ ସୁନିଶ୍ଚିତ କରିବାକୁ ନିବେଦନ
 

ବ୍ରହ୍ମପୁର, ସେପ୍ଟେମ୍ୱର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ ଆସୁଥିବା ହେତୁ ବୈଦ୍ୟୁତିକ ନିରାପତ୍ତାକୁ ପ୍ରାଥମିକତା ଦେଇ ଦାୟିତ୍ୱପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ନିବେଦନ କରାଯାଇଛି । କମ୍ପାନୀ ଉତ୍ସବ ସମୟରେ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ନିୟମାବଳୀର ପାଳନ ନିମନ୍ତେ ଉପଭୋକ୍ତାଙ୍କୁ ସଚେତନ କରାଉଛି । ଏଥରର ଉତ୍ସବ ଯେପରି ଉଜ୍ଜ୍ୱଳମୟ ଓ ଦୁର୍ଘଟଣାମୁକ୍ତ ହେବ, ସେନେଇ ଜୋର ଦିଆଯାଉଛି ।
 ଟିପିଏସ୍ଓଡିଏଲ୍ ପକ୍ଷରୁ ମଣ୍ଡପ, ପୂଜା କମିଟି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଅସ୍ଥାୟୀ ବିଦ୍ୟୁତ ସଂଯୋଗ କରାଯାଉଛି । ପୂଜା କାର୍ଯ୍ୟକ୍ରମର ଆୟୋଜକମାନେ କମ୍ପାନୀର ବିଭିନ୍ନ ସେକ୍ସନ୍, ସବଡିଭିଜନ ଓ ଡିଭିଜନ ଅଫିସରେ ପହଞ୍ଚି ଅଫଲାଇନ ଆବେଦନ କରିପାରିବେ । ସେହିଭଳି ଶୀଘ୍ର ସହାୟତା ପାଇଁ ଟିପିଏସ୍ଓଡିଏଲ୍ ର ସେଲ୍ଫ-ସର୍ଭିସ୍ ନମ୍ୱର ବ୍ୟବହାର କରିପାରିବେ । ଉପଭୋକ୍ତାମାନେ ସୁରକ୍ଷିତ ବିଦ୍ୟୁତ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ଅନଧିକୃତ ତଥା ବେଆଇନ ବିଜୁଳି ସଂଯୋଗ ନନେବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି । ପୂଜା କମିଟି ଓ ଆୟୋଜକମାନେ ଲାଇସେନ୍ସ ପ୍ରାପ୍ତ ଇଲେକଟ୍ରିସିଆନ୍ସମାନଙ୍କୁ ବିଦ୍ୟୁତଜନିତ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି ।
 ପୂଜା କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ବିଦ୍ୟୁତ ସଂଯୋଗକୁ ଯାଞ୍ଚ କରିନିଅନ୍ତୁ । ଖୋଲା ତାରକୁ ବଦଳାନ୍ତୁ । ଉପଯୁକ୍ତ ଆର୍ଥିଂ ସୁନିଶ୍ଚିତ କରନ୍ତୁ । ସକେଟ୍ ଓଭରଲୋଡିଂ ଉପରେ ଧ୍ୟାନ ଦିଅନ୍ତୁ ଓ ନିମ୍ନମାନର ବିଜୁଳି ଉପକରଣ ବ୍ୟବହାର କରନ୍ତୁ ନାହିଁ । ବିଦ୍ୟୁତ ଲାଇନ ସଂସ୍ପର୍ଶରେ କୌଣସି ଉପକରଣକୁ ଆସିବାକୁ ଦିଅନ୍ତୁ ନାହିଁ । ମୂର୍ତ୍ତି ବିସର୍ଜନ ସମୟରେ ଖୁଣ୍ଟ, ଟ୍ରାନ୍ସଫର୍ମର ଓ ଜୀବନ୍ତ ତାରଠାରୁ ନିରାପଦ ଦୂରତା ରକ୍ଷା କରନ୍ତୁ । ବାଣ ଓ ଆତସବାଜି ଯେପରି ବିଦ୍ୟୁତ ଭିତ୍ତିଭୂମିଠାରୁ ଦୂରରେ ରହିବ ତାହା ସୁନିଶ୍ଚିତ କରନ୍ତୁ ।
ଜରୁରୀକାଳୀନ ସ୍ଥିତି ତଥା ବିଜୁଳିଜନିତ ସମସ୍ୟା ନିମନ୍ତେ ଟିପିଏସ୍ଓଡିଏଲର ୨୪ ଘଣ୍ଟିଆ ଗ୍ରାହକ ସେବା ଟୋଲ୍ ଫ୍ରି ନମ୍ୱର ୧୯୧୨ କିମ୍ବା ୧୮୦୦-୨୦୨୬ରେ କଲ୍ କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଉଛି । ପାର୍ବଣ ଋତୁରେ ଅଭିଯୋଗର ତୁରନ୍ତ ଶୁଣାଣି ନିମନ୍ତେ କମ୍ପାନୀ ଏକ ଉତ୍ସର୍ଗୀକୃତ ଗ୍ରାହକ ସେବା ଟିମ୍ ନିୟୋଜିତ କରିଛି ।
ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ଦୁର୍ଗା ପୂଜା ହେଉଛି ଶକ୍ତି, ଆଲୋକ ଏବଂ ଭକ୍ତିର ଉତ୍ସବ ଏବଂ ଟିପିଏସ୍ଓଡିଏଲର ସର୍ବୋଚ୍ଚ ଦାୟିତ୍ୱ ହେଉଛି ଏହାର ଗ୍ରାହକଙ୍କ ସୁରକ୍ଷା ଏବଂ କଲ୍ୟାଣ। ସମସ୍ତ ଆୟୋଜକ ଏବଂ ଉପଭୋକ୍ତାଙ୍କୁ ଅସ୍ଥାୟୀ ବିଜୁଳି ସଂଯୋଗ ନେବାକୁ, ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କୁ ନିୟୋଜିତ କରିବାକୁ ଏବଂ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ଶ୍ରୀ ଗର୍ଗ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ଉତ୍ସବକୁ ବିନା ଚିନ୍ତାରେ ଓ ସୁରକ୍ଷିତ ଭାବରେ ଉପଭୋଗ କରାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତୁ ମିଳିତ ଭାବରେ ଏହି ପାର୍ବଣ ଋତୁକୁ ପ୍ରତ୍ୟେକ ପରିବାର ପାଇଁ ଉଜ୍ୱଳ, ନିରାପଦ ଏବଂ ଆନନ୍ଦଦାୟକ ଉତ୍ସବରେ ପରିଣତ କରିବା ।
 ଏହି ସକ୍ରିୟ ପଦକ୍ଷେପ ସହିତ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଉତ୍ସବଗୁଡ଼ିକୁ ବିଶ୍ୱସନୀୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ଏକ ସୁରକ୍ଷିତ ଉତ୍ସବ ପରିବେଶ ସୃଷ୍ଟି କରୁଛି ।

0
0
0
s2sdefault