ହେଡଲାଇନସ୍:

ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ର ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁଷମ ଖାଦ୍ୟ ସହ ସୁସ୍ଥ ଜୀବନଶୈଳୀ ଦ୍ୱାରା ହୃଦରୋଗ ନିୟନ୍ତ୍ରଣ ହୋଇପାରିବ- ଧର୍ମେନ୍ଦ୍ର ପ୍ରଧାନ

• ସମୟୋଚିତ ଚିକିତ୍ସା, ପ୍ରତିରୋଧ ଓ ସଚେତନତା ଦ୍ୱାରା ହୃଦ୍‌ରୋଗ କମାଯାଇପାରିବ
• ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରିବା, ମୋବାଇଲର କମ ବ୍ୟବହାର କରିବା, ଚାପମୁକ୍ତ ହୋଇ କାମ କରିବା ସହ ବଦ ଅଭ୍ୟାସକୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ଦେଲେ ପରାମର୍ଶ
• ମୋଦୀ ସରକାରରେ ସ୍କୁଲରେ ସୁଗାର ବୋର୍ଡ ସ୍ଥାପନା, ଫିଟ୍ ଇଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ସହ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ଉପରେ କହିଲେ
• ସମ୍ବଲପୁରକୁ ଏକ ସମୟ ଉପଯୋଗୀ ଆଧୁନିକ ସହର କରିବା ଆମ ସମସ୍ତଙ୍କ ଦାୟିତ୍ୱ
• ଆଗାମୀ ଦିନରେ ୬ଜି ଆସିଲେ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ ଭାବରେ ଲାଭବାନ ହେବ
• ସମ୍ବଲପୁରରେ ଏପରି ଅଧିବେଶନ ପାଇଁ ସିଏସଆଇ, ଓଡ଼ିଶା ଏବଂ ଏପିଆଇ, ସମ୍ବଲପୁରକୁ ଧନ୍ୟବାଦ

Imageସମ୍ବଲପୁର, ସେପ୍ଟେମ୍ବର ୧୩ – ଦ୍ରୁତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ସହ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ ହୃଦରୋଗ ଭଳି ଜଟିଳ ରୋଗର ବୃଦ୍ଧି ହେଉଛି । ଏହାର ନିବାରଣ ପାଇଁ ଆମକୁ ବିଶେଷ ଭାବରେ ଯୁବପିଢି ସୁଷମ ଖାଦ୍ୟ ଗ୍ରହଣ କରିବା ସହ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ଜରୁରି ବୋଲି ଶନିବାର ସମ୍ବଲପୁରରେ କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ(ସିଏସଆଇ)ର ଓଡ଼ିଶା ଶାଖାର ୩୦ତମ ବାର୍ଷିକ ସମ୍ମିଳନୀ-୨୦୨୫ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Imageସିଏସଆଇ, ଓଡ଼ିଶା ଏବଂ ଆସୋସିଏସନ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ(ଏପିଆଇ), ସମ୍ବଲପୁରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦ୍ରୁତ ଜୀବନଶୈଳୀ, ଚାକିରି ଚାପ ଏବଂ ଅସ୍ଥିର ସାମାଜିକ ପରିବେଶ ଅନେକ ରୋଗ ସୃଷ୍ଟି କରୁଛି । ପୂର୍ବରୁ ଅଧିକ ସଂକ୍ରମିତ ରୋଗ ବ୍ୟାପୁଥିବା ବେଳେ ଏବେ ଅଣ-ସଂକ୍ରମିତ ରୋଗ କମ ବୟସର ଯୁବପିଢିଙ୍କ ଠାରେ ଅଧିକ ଦେଖାଯାଇଛି । ହୃଦ୍‌ରୋଗ ବିଶ୍ୱ, ଭାରତ ଓ ଓଡ଼ିଶାରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବା ସତ୍ତ୍ୱେ, ସମୟୋଚିତ ଚିକିତ୍ସା, ପ୍ରତିରୋଧ ଓ ସଚେତନତା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ସୁସ୍ଥ ଖାଦ୍ୟ ଗ୍ରହଣ କରିବା ସହ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରିବା, ମୋବାଇଲର କମ ବ୍ୟବହାର କରିବା, ଚାପମୁକ୍ତ ହୋଇ କାମ କରିବା ସହ ବଦ ଅଭ୍ୟାସକୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଏହି ରୋଗର ନିରାକରଣ ପାଇଁ ମୋଦୀ ସରକାରରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ଚର୍ଚ୍ଚା କରିଥିଲେ । ସେ କହିଥିଲେ ସିବିଏସଇ ଏହାର ସମସ୍ତ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରି ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ଟାଇପ- ୨ ମଧୁମେହ, ମେଦବହୁଳତା, ଦାନ୍ତ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗର ସମାଧାନ କରିବା ପାଇଁ " ସୁଗାର ବୋର୍ଡ" ସ୍ଥାପନ କରିବାକୁ କହିଛି । ଦେଶରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ନେଇ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଜନଆନ୍ଦୋଳନର ରୂପ ନେଇଛି । ମିଲେଟକୁ ଶ୍ରୀଅନ୍ନର ପରିଚୟ ଦେଇ ଏହାକୁ ଖାଦ୍ୟ ପ୍ରକ୍ରିୟା ସାମିଲ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣ ବିଶେଷ ଭାବରେ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା ।

Imageହୃଦ୍‌ରୋଗ କ୍ଷେତ୍ରରେ ଗବେଷଣା, ଶିକ୍ଷା ଏବଂ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହିତ ଲକ୍ଷ୍ୟରେ ସମ୍ବଲପୁରରେ ଏପରି ଅଧିବେଶନର ଆୟୋଜନ ହେବା ପ୍ରଶଂସନୀୟ । ବର୍ତ୍ତମାନ ସମୟରେ ବିଶ୍ୱରେ ହୃଦ୍‌ରୋଗ ମାନବ ସମାଜ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି । ଏହି ସମ୍ମିଳନୀରେ ଆମକୁ ହୃଦ୍‌ରୋଗ ଉପରେ ଚିକିତ୍ସା ପଦ୍ଧତି, ବିକଶିତ ହେଉଥିବା ଅତ୍ୟାଧୁନିକ ଟେକ୍ନୋଲୋଜି, ଡାଟା ଅନାଲିସିସ ଏବଂ ଗବେଷଣା ଉପରେ ଆଲୋଚନା କରିବାର ସୁଯୋଗ ମିଳିବ। ସମ୍ବଲପୁର ଭଳି ସହରରେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଚିକିତ୍ସା ସମୁଦାୟ ପାଇଁ ଏକ ମହାନ ସୁଯୋଗ । ଏହା କେବଳ ଆମର ଡାକ୍ତରଙ୍କ ପାଇଁ ନୁହେଁ ବରଂ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ସମ୍ବଲପୁରକୁ ଏକ ସମୟ ଉପଯୋଗୀ ଆଧୁନିକ ସହର କରିବାର ଆବଶ୍ୟକତା ଥିବାବେଳେ ଅଞ୍ଚଳରେ ଚିକିତ୍ସାସେବାର ମାନକୁ ବଢାଇବା ଦିଗରେ ଯୋଜନା କରିବା ଉପରେ ସେ ଆଲୋଚନା କରିଥିଲେ ।

Imageସେ କହିଛନ୍ତି ବର୍ତ୍ତମାନ ସମୟରେ ଡାଇଗ୍ନୋସିସ ପରୀକ୍ଷା ପାଇଁ ପୂର୍ବରୁ ୬୦ ଭାଗ ମାନବର ପ୍ରତ୍ୟକ୍ଷ ଯୋଗଦାନ ରହୁଥିଲା, ମାତ୍ର ଏବେ ସମୟ ବଦଳିବା ସହ ମେସିନ ଦ୍ୱାରା ରୋଗ ନିରୁପଣ ଶୀଘ୍ର ଏବଂ ସଠିକ୍ ହେଉଛି । ଆଗାମୀ ଦିନରେ ୬ଜି ଆସିଲେ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ ଭାବରେ ଲାଭବାନ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରମାନେ ଥାଇ ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ନିର୍ଭୁଲ ଭାବରେ ଦେଖିପାରିବେ ଏବଂ ସେମାନଙ୍କ ଚିକିତ୍ସା ହୋଇପାରିବ । ଅପରପକ୍ଷରେ ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟର ରାଜଧାନୀ ବା ବଡ ବଡ ସହରରେ ଡାୟାଲିସିସ୍ ସେଣ୍ଟରର ବ୍ୟବସ୍ଥା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ସମଗ୍ର ଭାରତବର୍ଷରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ସେଣ୍ଟର ଖୋଲାଯିବା ସହ ମାଗଣାରେ ଏହି ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି । ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ହୋଇଛି । ସ୍ୱାସ୍ଥ୍ୟ ହେଉଛି ଆମର ସମ୍ପଦ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମାନବ ସମାଜ ନିଜର ସ୍ୱାସ୍ଥ୍ୟକୁ ସଠିକ୍ ରଖିବା ଜରୁରୀ । ସମ୍ବଲପୁରର ସ୍ୱାସ୍ଥ୍ୟ ଇନଡେକ୍ସକୁ ଠିକ୍ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault