ଭୁବନେଶ୍ୱର, ଜୁଲାଇ ୨୧: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫଡିପି)ରେ ବକ୍ତାମାନେ ମତ ରଖିଛନ୍ତି ।
ଉଦ୍ଭାବନର ଆବଶ୍ୟକତା ବେଶ ବ୍ୟାପକ ଥିବା ବେଳେ ଆମେ ଯଦି କିଛି ଉଦ୍ଭାବନ କରୁ ନାହୁଁ ତେବେ ଆମେ କୌଣସି କାର୍ଯ୍ୟ କରୁନାହୁଁ ବୋଲି କହିଛନ୍ତି ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ (ଟିପିସିଓଡିଏଲ୍)ର ସିଏସ୍ଆର ମୁଖ୍ୟ ଶ୍ରୀ ପ୍ରଦୀପ ଘୋଷାଲ । ‘ଊଦ୍ଭାବନ ଓ ଉଦ୍ୟୋଗୀକରଣ’ ଶୀର୍ଷକ ଏଫଡିପିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ଘୋଷାଲ ।
ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ), ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇନୋଭେସନ୍ ସେଲ୍ (ଏମ୍ଆଇସି) ଏବଂ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍)ର ମିଳିତ ଆନୁକୂଲ୍ୟରେ ଏହି ଏଫଡିପିର ଆୟୋଜନ କରାଯାଇଛି ।
ସାରା ବିଶ୍ୱରେ ଏକ ସମୟରେ କ୍ୟାମେରା ନିର୍ମାଣକୁ ନେଇ ନିଜର ସ୍ୱତନ୍ତ୍ର ସ୍ଥିତି ଜାହିର କରିଥିବା କୋଡାକ କମ୍ପାନୀର ଉଦାହରଣ ଦର୍ଶାଇ ଶ୍ରୀ ଘୋଷାଲ କହିଥିଲେ ଯେ ଯଦି କୋ÷ଣସି କମ୍ପାନୀ ଉଦ୍ଭାବନ ବନ୍ଦ କରିଦେବ ତେବେ ଏହା ସମ୍ପୂର୍ଣ୍ଣ ଉଭେଇ ଯିବ । ଉଦ୍ଭାବନ ପ୍ରତ୍ୟେକ ଦିନ ହେଉଛି ଏବଂ ଲୋକମାନେ ଏହାକୁ ଉଦ୍ୟୋଗରେ ପରିଣତ କରିବା ଉଚିତ୍ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଶିକ୍ଷାନୁଷ୍ଠାନର ଫ୍ୟାକଲ୍ଟିମାନେ ପୂର୍ବରୁ କେବଳ ଜ୍ଞାନ ପ୍ରଦାନର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବର୍ତମାନ ଆଗକୁ ଆସି ଅଭିନବ ଉପାୟ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାର ଅବକାଶ ଆସିଛି ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଉଦ୍ଭାବନର ଆବଶ୍ୟକତା ଏବଂ କ୍ଲାସ୍ରୁମରେ ଏହାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମର ସଂଚାଳକ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ ଯେ ସାରା ଓଡ଼ିଶାର ୨୮ଟି ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଏହି ଏଫଡିପିରେ ଯୋଗ ଦେଇଛନ୍ତି । ଆଇବିସିଏସର ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫଡିପି ଆୟୋଜିତ
- Hits: 91