ଓଡ଼ଗାଁ,୪।୭(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତି ମାସର ନିର୍ଦ୍ଧାରିତ ସମୟରେ ନିୟମିତ ଦରମା ପାଉନଥିବା ବେଳେ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ୍ ପେନସନ ତ ଦୂରର କଥା ପ୍ରୋଭିଜିନାଲ ପେନସନ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ଓଡ଼ଗାଁ ମଣ୍ଡଳ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁଙ୍କ ପଦୋନ୍ନତି ପାଇ ଯିବା ପର ଠାରୁ ସମସ୍ୟା ପ୍ରାୟ ଏପରି ଲାଗିରହିଛି । ଯାହାର ପରିଣାମ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭୋଗିବାକୁ ପଡ଼ୁଛି। ନିୟମିତ ପ୍ରତି ମାସର ୩୦ କିମ୍ବା ୧ ତାରିଖରେ ଦରମା ଏବଂ ଅବସର ଗ୍ରହଣ ଦିନ ଫୁଲ୍ ପେନସନ ମିଳୁଥିଲା। ହେଲେ ୨୦୨୫ ଅପ୍ରେଲ ମାସ ଠାରୁ ବ୍ଳକର ପ୍ରାୟ ୫୬୦ ଶିକ୍ଷକ ଶିକ୍ଷୟିତ୍ରୀ ୪ ରୁ ୭ ତାରିଖ ପରେ ଦରମା ପାଉଛନ୍ତି। ଜୁନ ମାସର ଦରମା ଶୁକ୍ରବାର ସୁଦ୍ଧା କେତେକ ଶିକ୍ଷକ ମାନେ ପାଇଥିବା ବେଳେ କନିଷ୍ଠ ଶିକ୍ଷକ ଓ କ୍ୟାଡର ଶିକ୍ଷକ ଗଣ ଦରମା ପାଇନାହାନ୍ତି । ଅବସର ଗ୍ରହଣର ୧୫ ଦିନ ପୂର୍ବରୁ ନଥିପତ୍ର ପ୍ରସ୍ତୁତ ହେଲେ ଅବସର ଗ୍ରହଣ ବେଳେ ଫୁଲ୍ ପେନସନ ମିଳିଥାଏ । ଗତ ଏପ୍ରିଲ ମାସରେ ୪ ଜଣ, ମେ ମାସରେ ୧୦ ଜଣ ଏବଂ ଜୁନ୍ ମାସରେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ବେଳେ ୧୫ ଦିନ ପୂର୍ବରୁ କଣ୍ଟ୍ରୋଲ ଅଫ୍ ଆକାଉଣ୍ଟାଣ୍ଟଙ୍କ ନିକଟରେ ନଥିପତ୍ର ପହଞ୍ଚି ନଥିବାରୁ ଉକ୍ତ ଶିକ୍ଷକଗଣ ଅବସର ବେଳେ ପୁରା ପେନସନ ପାଇବାରୁ ବଞ୍ଚିତ ହୋଇଥିଲେ । ଏହି ସାମାନ୍ୟ ଅବହେଳା ପାଇଁ ଅବସର ଗ୍ରହଣକାରୀ ୪୫ ଦିନ ବିଳମ୍ବରେ ପେନସନ ପାଇବେ । ରଣପୁର ମଣ୍ଡଳ ଶିକ୍ଷାଧିକାରୀ ଓଡ଼ଗାଁ ମଣ୍ଡଳ ଦାୟିତ୍ବରେ ଅଛନ୍ତି । ତେବେ ରଣପୁର ବ୍ଳକରେ ଅବସର ବେଳେ ଫୁଲ୍ ପେନସନ ଏବଂ ଶିକ୍ଷକ ମାନଙ୍କୁ ଯଥା ସମୟରେ ଦରମା ମିଳୁଥିବା ବେଳେ ସେହି ଶିକ୍ଷାଧିକାରୀ ଓଡ଼ଗାଁ ଦାୟିତ୍ୱରେ ଥାଇ ମଧ୍ୟ ଏଠାରେ କିପରି ଏଭଳି ସମସ୍ୟା ରହୁଛି । ଖୁବ୍ ଶିଘ୍ର ସ୍ଥାୟୀ ମଣ୍ଡଳ ଶିକ୍ଷାଧିକାରୀ ନିଯୁକ୍ତି ପାଇଁ ଶିକ୍ଷକ ସଙ୍ଘ ତରଫରୁ ଦାବି ହୋଇଛି।
ରାଜ୍ୟ
୪ ମାସ ହେଲାଣି ଖାଲି ପଡ଼ିଛି ମଣ୍ଡଳ ଶିକ୍ଷାଧିକାରୀଙ୍କ ପଦବୀ: ଦରମା ଓ ମିଳୁନି ଅବସରକାଳୀନ ପେନସନ
- Hits: 107