ବଲାଙ୍ଗିର/ନୀରୋଜ ମିଶ୍ର : ରାଫେଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମୋଦୀ ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଆଣି ନିଜ ସ୍ୱରକୁ ଶାଣିତ କରିଥିବା ବେଳେ ଦେଶର ସ୍ୱନାମଧନ୍ୟ ତଥା ପ୍ରଚୁର ଅଭିଜ୍ଞତା ସମ୍ପନ୍ନ (ହାଲ୍) ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡକୁ ରାଫେଲ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନଥିବା ହାଲର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧୀକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ପକ୍ଷରୁ କରାଯାଇଥିବା ସୂଚନା ଅଧିକାର ଆବେଦନରେ ତଥ୍ୟ ଦେଇ ହାଲ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ରାଫେଲ ନିର୍ମାଣକୁ ନେଇ ହାଲ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ମଧ୍ୟ କଂଗ୍ରେସ ଉଠାଇ ଆସୁଛି । ଏହାକୁ ନେଇ ଶ୍ରୀ ପଣ୍ଡା ହାଲ୍ର ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ । ହାଲ୍ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ଏପର୍ଯ୍ୟନ୍ତ ହାଲ୍ରେ ୪୧୦୦ ରୁ ଊଦ୍ଧ୍ୱର୍ ବିମାନ ଓ ହେଲିକପ୍ଟର ତିଆରି କରାଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ଏଚ୍ଟି-୨, ପୁଷ୍ପକ, କ୍ରିଷକ, ମାରୁତ ଏମ୍କେ-୧/୧ଏ(ଏଚ୍ ଜେ ଟି ୧୬), ବସନ୍ତ, ଅଜିତ୍, କିରନ ଏମ୍କେ- ୨ (ଏଚ୍ ଜେ ଟି ୧୬), ଏଚପିଟି ୩୨. ଏଚ୍ଟିଟି ୩୪, ଏ ଏଲ୍ଏଚ୍, ଲକ୍ଷ୍ୟ (ପିଟିଏ), ଏଲ୍ସିଏ, ଆଇଜେଟ, ଏଚ୍ଟିଟି -୪୦, ଏଲ୍ସିଏଚ୍, ଏଲ୍ ୟୁଏଚ୍, ମାରୁତ ଟ୍ରେନର ଏବଂ ଅଜିତ ଟ୍ରେନର ନିର୍ମାଣ କରାଯାଇଥିବା ବେଳେ ବିଦେଶୀ ଜ୍ଞାନ କୈ÷ାଶଳରେ ପ୍ରେସ୍, ଭେମ୍ପାୟାର ଫାଇଟର୍, ଜିନାଟ, ଏଚ୍ଏସ୍-୭୪୮/ଏମ୍, ଚେତକ, ମିଗ୍-୨୧ଏଫ୍ଏଲ୍, ଚିତାହ, ମିଗ୍-୨୧ଏମ୍, ମିଗ୍-୨୧ବିଆଇଏସ୍, ଜାଗୁଆର, ମିଗ-୨୭ଏମ୍, ଡୋରନିଏର୍-୨୨୮, ଏସ୍ୟୁ-୩୦ଏମ୍କେଆଇ, ହକ୍, ଭେମ୍ପାୟାର ଟ୍ରେନର,ଚିତଲ ନାମକ ବିମାନ ଓ ହେଲିକପ୍ଟର ସିରିଜ ନିର୍ମାଣ କରାଯାଇଥିବା ବେଳେ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହାଲ୍ରେ ସମୂଦାୟ ୨୮ ହଜାର ୬ ଶହ ୧୬ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ରହିଥିବା ସୂଚନା ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହାସହ ଏସ୍ୟୁ-୩୦ ଏମ୍କେୟୁ, ଡିଓ-୨୨୮, ହକ୍, ଏଲ୍ସିଏ ବିମାନ ଏବଂ ଏ ଏଲ୍ଏଚ୍, ଚିତଲ,ଚେତକ,ଚିତା ହେଲିକପ୍ଟର ନିର୍ମାଣ ଚାଲିଥିବା ତଥ୍ୟ ପ୍ରଦାନ କରାଯାଇଛି । ଯୁଦ୍ଧ ବିମାନ ଓ ହେଲିକପ୍ଟର ନିର୍ମାଣ ପାଇଁ ଅଭିଜ୍ଞତାରେ ପରିପୂର୍ଣ୍ଣ ଦେଶର ଏହି ସଫଳ ତଥା ଭରସାଯୋଗ୍ୟ ସରକାରୀ ଅନୁଷ୍ଠାନ ହାଲ୍ କୁ ରାଫେଲ ନିର୍ମାଣ ପାଇଁ ବିଶ୍ୱାସକୁ ନିଆନଯାଇ ଡାସଲ୍ଟ ସହ ରିଲାଏନ୍ସ ଡିଫେନ୍ସ ଭଳି ଅଭିଜ୍ଞତା ନଥିବା ନୁଆ କମ୍ପାନୀକୁ ମୋଦୀ ସରକାର ବିଶ୍ୱାସକୁ ନେବା ଦ୍ୱାରା ମୋଦୀ ସରକାରଙ୍କ ସାଧୁତା ଉପରେ ପ୍ରଶ୍ନ ଚିହ୍ନ ଲାଗିବା ସ୍ୱଭାବିକ ବୋଲି ଶ୍ରୀ ପଣ୍ଡା କହିିଛନ୍ତି ।