ପୁରୀ ୨୧/୬ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ପୁରୀରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଦି ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀର ମିଳିତ ପ୍ରୟାସରେ "ଆମ ସ୍ୱାସ୍ଥ୍ୟ, ଆମ ସମ୍ପତି" ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏହି ଦିବସ ପାଳନ କରାଯାଇଛି।
ୟୁଥ ହଷ୍ଟେଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପତାଞ୍ଜଳି ଯୋଗ ପୀଠ, ହରିଦ୍ୱାରର ଯୋଗ ପ୍ରଶିକ୍ଷକା ମୋନାଲିସା ଦାସ ମୁଖ୍ୟ ଅତିଥି ଓ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ସେ କହିଥିଲେ, "ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟାମ ପ୍ରତିଦିନ ଅଭ୍ୟାସ କରିବା ଦୈନନ୍ଦିନ ଅତ୍ୟାବଶ୍ୟକ।"
ଏହି ଯୋଗ ଶିବିରରେ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ, ଶିଶୁ ସମାଚାର, ଦି ମିରର, କ୍ଷେତ୍ର ମୋହନ ଫାଉଣ୍ଡେସନ, ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟ, ଭାରତ ଯୋଗ କେନ୍ଦ୍ର, ସାମନ୍ତ ଚନ୍ଦ୍ର ଶେଖର ଶୋୟଂ ଶାସିତ ମହାବିଦ୍ୟାଳୟ ସହିତ ଏକ ଲବ୍ୟ ପାଠଶାଳାର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗ ଶିକ୍ଷା ନେଇଥିଲେ। ପୁରୀ ୟୁଥ୍ ହଷ୍ଟେଲର ୱାର୍ଡେନ ଭାସ୍କର ମହାରଣା ପ୍ରଶିକ୍ଷାର୍ଥୀମାନଙ୍କୁ ଯୋଗ ଦିବସ ସ୍ମୃତିଚିହ୍ନ ସ୍ୱରୂପ ଟି-ଶାର୍ଟ ପ୍ରଦାନ କରିଥିଲେ।
ଏହି ଶିବିରର ସଂଯୋଜନା ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କରିଥିଲେ। ଦି ବେଲସ ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବ୍ ସଦସ୍ୟମାନେ ଶିବିରର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ, ଯୋଗ ଓ ପ୍ରାଣାୟାମର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା।