ଭୁବନେଶ୍ୱର, ତା ୦୨.୦୬.୨୦୨୫ – ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି ।
ମାଇ ସନ୍ ଭିଏତନାମର ସବୁଠାରୁ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥଳ ମଧ୍ୟରୁ ଅନ୍ୟତମ ଏବଂ ଏହାର କେତେକ ହିନ୍ଦୁ ମନ୍ଦିର ଚତୁର୍ଥ ଶତାଦ୍ଧୀର । ଏହି ପୁରୁଣା ମନ୍ଦିରଗୁଡ଼ିକ ଚମ୍ପା ରାଜ୍ୟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଦକ୍ଷିଣ ପୂର୍ବ ଏସିଆର ସହଭାଗୀ ସାଂସ୍କୃତିକ ଅତୀତର ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ ।
ରାଜ୍ୟପାଳ ଏହି ପରିଦର୍ଶନ ସମୟରେ ଭାରତର ସହାୟତାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ ଏବଂ ସଂପୃକ୍ତ ଅଧିକାରୀମାନେ ଏହି ସ୍ଥାନର ପ୍ରାଚୀନ ଢାଂଚାକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ସ୍ୱତନ୍ତ୍ର କୌଶଳ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ସେଠାରେ ମନ୍ଦିର ପରିସର ଏକ ମନୋରମ ଉପତ୍ୟକାରେ ଅବସ୍ଥିତ, ଯାହା ସୁନ୍ଦର ପର୍ବତମାଳା ଓ ପ୍ରବାହମାନ ଝରଣା ଦ୍ୱାରା ଘେରିହୋଇ ରହିଛି । ଏହା ସପ୍ତମରୁ ତ୍ରୟୋଦଶ ଶତାଦ୍ଧୀ ମଧ୍ୟରେ ଚମ୍ପା ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରଭାବରେ ବିଦିତ ଥିଲା ।
ବର୍ତ୍ତମାନ ପ୍ରାୟ ୭୦ଟି ମନ୍ଦିରର ସ୍ଥିତି ମାଇ ସନ୍ ଠାରେ ରହିଛି । ମନ୍ଦିରଗୁଡ଼ିକର ଅନନ୍ୟ ନିର୍ମାଣ ଶୈଳୀ ଖୋଲ ରେଖାକୁ ଲୁଚାଇ ରଖିଛି ଏବଂ ମନ୍ଦିରଗୁଡ଼ିକ ଶତାଦ୍ଧୀ ଶତାଦ୍ଧୀ ଧରି ଦୃଢ ରହି ଐତିହାସିକ ଏବଂ ସ୍ଥପତିମାନଙ୍କର ଆକର୍ଷଣ ସାଜିଛି । ଏହି ସ୍ଥାନଟି ଚମ୍ପା ରାଜ୍ୟ ଏବଂ ଭାରତ ଓ ଚୀନ ଭଳି ମହାନ ସଭ୍ୟତା ମଧ୍ୟରେ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି । ଓଡିଶାର ରାଜ୍ୟପାଳଙ୍କ ଏହି ଗସ୍ତ ଭାରତ ଏବଂ ଭିଏତନାମ ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ଏବଂ ସହଭାଗୀ ଐତିହ୍ୟକୁ ସୁରକ୍ଷା ଦେବାରେ ଭାରତର ଭୂମିକାକୁ ସୂଚାଉଛି ।
ରାଜ୍ୟ
ଭିଏତନାମରେ ଐତିହାସିକ ମାଇ ସନ୍ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ ।
- Hits: 34