ହେଡଲାଇନସ୍:

କେନ୍ଦୁଝର : ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭକ୍ତିଭାବପୁର୍ଣ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ


କେନ୍ଦୁଝର,ତା ୨୪/୫- କେନ୍ଦୁଝରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଦରବାର ହଲ୍‌ଠାରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂହ ଉଦ୍‌ବୋଧନ ଦେଇ ସମସ୍ତେ ଆଗାମୀ ରଥଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ରଥ ନିର୍ମାଣ ସହିତ ରଥଯାତ୍ରା ସହିତ ଜଡିତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସହଯୋଗ କାମନା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଙ୍କ ପବିତ୍ର ରଥଯାତ୍ରା ଜିଲ୍ଲାବାସୀଙ୍କର ଏକ ପ୍ରମୁଖ ପର୍ବ ବୋଲି କହିବା ସହିତ ଏହାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେଥିପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବିଶେଷ କରି ଭିଡ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଶୃଙ୍ଖଳିତ ଭାବେ ରଥଟଣା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ରାଉତ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ବୈଠକରେ ଉପସ୍ଥିତ ଥିଲେ । ତତ୍‌ପରେ ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ-ତଥା-ନିର୍ବାହୀ ଅଧିକାରୀ ଦେବୋତ୍ତର ଶ୍ରୀ ଉମାଶଙ୍କର ଦଳାଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ଆରମ୍ଭ କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ୧୧ ଜୁନରେ ଦେବସ୍ନାନ ପୂର୍ଣ୍ଣିମା, ୨୬ ଜୁନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥ ଆଜ୍ଞାମାଳ ବିଜେ, ୨୭ ଜୁନ ଶ୍ରୀଗୁଣ୍ଡିଚା ଯାତ୍ରା, ୨୮ ଜୁନ ଦିନ ଗୁଣ୍ଡିଚା ମନ୍ଦିରକୁ ରଥରୁ ଧାଡି ପହଣ୍ଡିରେ ବିଜେ, ୦୧ ଜୁଲାଇରେ ହେରା ପଂଚମୀ, ୦୪ ଜୁଲାଇରେ ନବମୀର ସନ୍ଧ୍ୟା ଦର୍ଶନ, ୦୫ ଜୁଲାଇରେ ବାହୁଡା ଯାତ୍ରା, ୦୬ ଜୁଲାଇରେ ଠାକୁରଙ୍କ ସୁନାବେଶ, ୦୭ ଜୁଲାଇରେ ଶ୍ରୀମନ୍ଦିର ବିଜେ ସଂପର୍କରେ ସୂଚନା ଦେବା ସହ ବିଭିନ୍ନ ଦିବସରେ ଶ୍ରୀଶ୍ରୀ ବଳଦେବଜୀଉଙ୍କର ବିଭିନ୍ନ ବେଶ ଆଦି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବିଭିନ୍ନ କମିଟି ଗଠନ, ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ପୂଜା ବ୍ୟବସ୍ଥା ଓ ପହଣ୍ଡି ସେବା, ଆଇନଶୃଙ୍ଖଳା, ସ୍ୱେଚ୍ଛାସେବୀ ନିୟୋଜନ, ସ୍ୱାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ, ଅବକାରୀ ପଦକ୍ଷେପ, ଅଗ୍ନିଶମ ବ୍ୟବସ୍ଥା, ଉଠାଦୋକାନ ଓ ସରକାରୀ ଷ୍ଟଲ୍ ନିମନ୍ତେ ଭୂମି ଚିହ୍ନଟ ଓ ଆବଂଟନ, ବଡଦାଣ୍ଡର ପରିଷ୍କାର ଓ ପରିଚ୍ଛନ୍ନତା, ସାଜ୍ଜସଜ୍ଜା ଓ ଆଲୋକ ବ୍ୟବସ୍ଥା, ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରୀମାନଙ୍କର ଗମନାଗମନ ବ୍ୟବସ୍ଥା, ପ୍ରସାଦ ବଂଟନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଓ ଉନ୍ନତିକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କର ରଥଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଅର୍ଥ କମିଟି, ରଥନିର୍ମାଣ ଓ ରଥ ସରଞ୍ଜାମ ତଦାରଖ କମିଟି, ସ୍ୱାସ୍ଥ୍ୟ ଓ ପରିମଳ କମିଟି, ପାନୀୟ ଜଳ ଯୋଗାଣ କମିଟି, ଆଇନଶୃଙ୍ଖଳା/ପାସ୍ ପ୍ରଦାନ କମିଟି, ପୂଜା ନୀତି ତଥା ପହଣ୍ଡିସେବା କମିଟି, ଆଲୋକ ଓ ସାଜ୍ଜସଜ୍ଜା କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ସୁନାବେଶ କମିଟି ଏବଂ ଶାନ୍ତିଶୃଙ୍ଖଳା କମିଟି ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା । ଶ୍ରୀଜୀଉମାନଙ୍କର ସୁନାବେଶ ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏତଦ୍‌ବ୍ୟତୀତ ରଥଯାତ୍ରା ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ, ପୁରୁଣା ସହର ପାରିପାର୍ଶ୍ଵର ଉନ୍ନତିକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

0
0
0
s2sdefault