ହେଡଲାଇନସ୍:

‘ବିକଶିତ ଭାରତର ଦାୟିତ୍ୱ ନେବେ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆସନ୍ତା ୧୧ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ସେ ଉପଲକ୍ଷେ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସ୍ଥିର କରାଯାଇସାରିଛି । ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇଥିôବ । ଆଉ ସେହି ବିକଶିତ ଭାରତର ଦାୟିତ୍ୱ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ ନେବେ ବୋଲି ବୁଧବାର ପ୍ରଥମ ମନୀଷ ସ୍ମାରକୀ ନିର୍ଭୟ ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମତ ଦେଇଥିଲେ ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନିର୍ଭୟର ଏହି ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଦୈନିକ ନିର୍ଭୟର ନିର୍ଭୀକ ସ୍ୱରକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଶାସନତନ୍ତ୍ର ଚାଲିବାକୁ ହେଲେ ସମାଲୋଚନାର ମଧ୍ୟ ଆବଶ୍ୟକତା ରହିଛି । ନିଜର ପାଖ ଲୋକମାନେ ହିଁ ଭୁଲ୍‍ଟିକୁ ବତାଇ ଦିଅନ୍ତି ଯେପରି ନିଜ ମା’ ଓ ସ୍କୁଲର ଶିକ୍ଷକ । ସେହିପରି ସମ୍ବାଦପତ୍ରମାନେ ମଧ୍ୟ ସମାଲୋଚନା କରିଥାନ୍ତି ଏଥିପ୍ରତି ସ୍ପର୍ଶକାତର ହେବା ଉଚିତ୍‍ ନୁହେଁ । ଯେଉଁମାନଙ୍କର ସମାଲୋଚନା ଶୁଣିବାର ଇଚ୍ଛା ନାହିଁ ସେମାନେ ରାଜନୀତିକୁ ଆସିବା ଉଚିତ ନୁହେଁ ବୋଲି କହିଥିଲେ ରାଜ୍ୟ ଆଇନ ମନ୍ତ୍ରୀ । ଆମ ସରକାର ଖବରକାଗଜ ସହ ବିଭିନ୍ନ ସ୍ରୋତରୁ ଆସୁଥିବା ଖବରକୁ ଆଧାର କରି କାମ କରୁଛି । ଆମେ ନିଜ ଲକ୍ଷ୍ୟରେ ବିଚୁ୍ୟତ ହେବୁ ନାହିଁ ବୋଲି ପ୍ରକାଶ କରିଥିଲେ । ପ୍ରଥମ ବର୍ଷ ମନୀଷ ସ୍ମାରକୀ ନିର୍ଭୟ ଯୁବ ପୁରସ୍କାର ହାସଲ କରିଥିବା ପରିବେଶବିତ୍‍ ସୌମ୍ୟରଂଜନ ବିଶ୍ୱାଳଙ୍କ ପ୍ରଶଂସା କରି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ତାଙ୍କର ଯେଉଁ ଆଶଙ୍କା ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳକୁ ନେଇ ଅଛି ସେହି ଭାବନାକୁ ଗ୍ରହଣ କରି ମୁଁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ, ଜଳବାୟୁ ପରିବର୍ତ୍ତନକୁ ଲକ୍ଷ୍ୟ କରି ଆମ ସରକାର ଉଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶାର ୫୭୨ କିଲୋମିଟର ବ୍ୟାପି ଥିବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ୩୨୪ କିଲୋମିଟର ବିକାଶ କରାଯିବ । ଯେଉଁଥିରେ ପର୍ଯ୍ୟଟକଙ୍କ ଲାଗି ରହିବ ସୁବିଧା । ଏହି ପ୍ରକଳ୍ପ ବେଳେ ଗୋଟିଏ ବି ଗଛ କଟା ହେବ ନାହିଁ ବରଂ ସ୍ୱତନ୍ତ୍ର ମେସିନ ମାଧ୍ୟମରେ ପୁନଃ ସ୍ଥାପିତ ହେବ । ହେନ୍ତାଳ ବଣ ସୃଷ୍ଟି ମଧ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏବଂ ୨୦୧୩ ମସିହା ଅକ୍ଷୟ ତୃତୀୟା ଅବସରରେ ନିର୍ଭୟର ପ୍ରଥମ ମୁଦ୍ରିତ କପି ବଜାରକୁ ଆସିଥିବାରୁ ‘ମନୀଷ ସ୍ମାରକୀ ନିର୍ଭୟ ଯୁବ ପୁରସ୍କାର’ ଏହି ଦିନରୁ ପ୍ରଦାନ କରାଯିବା ଆରମ୍ଭ ହୋଇଛି । ଭୁବନେଶ୍ୱର ମେ’ ଫେୟାର ହୋଟେଲ କନଭେନସନ ସେଣ୍ଟର ଠାରେ ନିର୍ଭୟ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ ପ୍ରଥମ ପୁରସ୍କାର ବିଜେତା ସୌମ୍ୟରଂଜନ ବିଶ୍ୱାଳଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ଓ ହେନ୍ତାଳ ବଣ ସୃଷ୍ଟି ଦିଗରେ ଦୀର୍ଘ ୧୪ ବର୍ଷ ହେବ କାର୍ଯ୍ୟ କରୁଥିବା ସୌମ୍ୟରଂଜନଙ୍କୁ ଉତ୍ତରୀୟ, ପ୍ରଶସ୍ତି ପତ୍ର, ବିଶେଷ ଟ୍ରଫି ଏବଂ ନଗଦ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ହିନ୍ଦି ସାହିତ୍ୟର ଅନ୍ୟତମ ସଫଳ ସ୍ରଷ୍ଟା ନୀରଜା ମାଧବ ପରଲୋକଗତ ପୁତ୍ରକୁ ପ୍ରେରଣାର ସ୍ରୋତ ବନାଇବା ପାଇଁ ନିର୍ଭୟ ସମ୍ପାଦକଙ୍କ ପ୍ରୟାସ କେବଳ ଉଚ୍ଚ ପ୍ରଶଂସା ଯୋଗ୍ୟ ନୁହେଁ ଉଦାହରଣ ସ୍ୱରୂପ ବୋଲି କହିଥିଲେ । ଭାରତର ଜନସଂଖ୍ୟାର ୬୫ ପ୍ରତିଶତ ଯୁବାବର୍ଗ ହୋଇଥିବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଏହି ଯୁବାବର୍ଗଙ୍କ ସବୁଠାରୁ ବଡ଼ ଯୋଗଦାନ ରହିବ । ତେବେ ସେ ସ୍ୱୀକାର କରିଥିଲେ ବେରୋଜଗାରୀ ଭାରତର ଯୁବାବର୍ଗଙ୍କ ଲାଗି ଆଜି ଏକ ଆହ୍ୱାନ ହୋଇଛି । ସେ ପ୍ରତିଭାଧାରୀମାନଙ୍କୁ ନିଷ୍ଠାର ସହ ନିଜ ନିଜ ପ୍ରତିଭା ନିଖାରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ପରିବେଶ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା କଥା ବତାଇବାବେଳେ କିପରି ଆମର ଧର୍ମଧାରା ପରିବେଶ ସହ ବନ୍ଦା ତାହାର ଦେଇଥିଲେ ଚମତ୍କାର ଉଦାହରଣ । ପ୍ରଭୁ ଶ୍ରୀରାମଚନ୍ଦ୍ର ଭୂମିର ପାଳନକର୍ତ୍ତାର ଦାୟିତ୍ୱ ନିର୍ବାହ କରିଥିଲେ । ପରିବେଶ ଓ ପ୍ରକୃତି ଉପରେ ଯେଉଁ ଚାପ ପଡିଥିବା ତାହାର ଉଦ୍ଧାରକର୍ତ୍ତା ସାଜିଥିଲେ ଶ୍ରୀରାମ । କୃଷ୍ଣା ଅବତାରରେ ପଶୁଧନଙ୍କ ବିକାଶ ବାର୍ତ୍ତା ଦିଆଯାଇଥିଲା ବୋଲି ସେ କହିବା ସାଙ୍ଗକୁ କାଳୀୟ ଦଳନକୁ ଆଜିର ବିଷାକ୍ତ ନଦୀ ସହ ତୁଳନା କରି ଏହାର ଉଦ୍ଧାରର ଆବଶ୍ୟକତା କଥା ବୁଝାଇଥିଲେ । ଭାରତୀୟ ମହିଳାମାନେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ନ ଆସିବା ପାଇଁ ମଧ୍ୟ ସେ ଦେଇଥିଲେ ଆହ୍ୱାନ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରସ୍କାର ସବୁବେଳେ ପ୍ରେରଣା ପ୍ରଦାନ କରେ ବୋଲି କହିବା ସହ ଏପରି ଏକ ଅଭିନବ ପୁରସ୍କାରର ଧାରା ଯୁବବର୍ଗଙ୍କ ଲାଗି ଆରମ୍ଭ କରାଯାଇଥିବାରୁ ନିର୍ଭୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ନିଜ ଜୀବନର ସଂଘର୍ଷପୂର୍ଣ୍ଣ ସମୟର କିଛି ରୋଚକ ଘଟଣା ଶୁଣାଇବା ସହ ଗତ ବ୍ରିr ଶିଖର ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦୀ କିପରି ତାଙ୍କୁ ଉତ୍ସାହିତ କରିଥିଲେ ତାହା ମଧ୍ୟ କହିଥିଲେ ନିଜ ଭାଷଣରେ । ପୁରସ୍କାର ବିଜେତା ସୌମ୍ୟରଂଜନ ଓଡ଼ିଶାର ସମୁଦ୍ର ତଟ ପ୍ରତିଥିବା ଆଶଙ୍କା କଥା ବତାଇବା ସାଙ୍ଗକୁ କିପରି ଅନେକ ଗାଁ ସମୁଦ୍ରରେ ଲୀନ ହେବାକୁ ଯାଉଛନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ । ନିଜ ପ୍ରାରମ୍ଭିକ ଭାଷଣରେ ସମ୍ପାଦକ ନବୀନ ଦାସ ଗତ ସରକାର ଅମଳରେ ନିର୍ଭୟକୁ କିପରି ଧାରାବାହିକ ଭାବେ ହଇରାଣ କରାଯାଇଥିଲା ତାହାକୁ ଉଜାଗର କରିଥିଲେ । ନିଜ ପୁତ୍ର ମନୀଷଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାର ଫାଷ୍ଟଟ୍ରାକ୍‍ ବିଚାର ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିପରି ତାହା ଏଯାଏଁ ପାଳନ କରାଯାଇନାହିଁ ତାହାର ମଧ୍ୟ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ସଂଯୋଜନା କରିଥିଲେ ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ର । ମୁଖ୍ୟ ସମାରୋହ ପୂର୍ବରୁ ସାମ୍ପ୍ରତିକ ସମୟ ଓ ଭାରତୀୟ ଯୁବା ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଧାୟକ ଅରବିନ୍ଦ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଶିଳ୍ପୋଦ୍ୟୋଗୀ ପ୍ରିୟଙ୍କା ମହାନ୍ତି ଏବଂ ଟେନିସ ତାରକା ଚିନ୍ମୟ ପ୍ରଧାନ ଯୋଗ ଦେଇ ସୁଚିନ୍ତିତ ମତ ଦେଇଥିଲେ । ରାଜ୍ୟର ବହୁ ପ୍ରମୁଖ ରାଜନେତା, ଶିଳ୍ପୋଦ୍ୟୋଗୀ, ସାମ୍ବାଦିକ, ଲେଖକ ତଥା ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ପୁରସ୍କାର ଉତ୍ସବରେ ଯୋଗ ଦେଇ ଏହାର ଗାରିମା ବଢାଇଥିଲେ ।

0
0
0
s2sdefault