ହେଡଲାଇନସ୍:

ରହିତାଦେଶ ବଦଳାଇଲେ ହାଇକୋର୍ଟ, ଯନ୍ତ୍ରୀ ପଦୋନ୍ନତି ସମ୍ଭାବନା ଉଜ୍ୱଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨୬ା୪: ବିଭାଗୀୟ ପଦୋନ୍ନତି କମିଟିର ସୁପାରିସ ସତ୍ତେ୍ୱ ନିର୍ମାଣ ବିଭାଗର ପ୍ରାୟ ୩୦୦ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଦବୀକୁ ହୋଇପାରୁନଥିଲା । ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶ ଯୋଗୁ ପଦୋନ୍ନତି ନପାଇ ଇତିମଧ୍ୟରେ କେତେକ ଯନ୍ତ୍ରୀ ଅବସର ଗ୍ରହଣ କରିସାରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ଥାନ ସଂରକ୍ଷଣ ଓ ପଦୋନ୍ନତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ବିଭ୍ରାନ୍ତିକର ପଦକ୍ଷେପ ଯୋଗୁ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ପଦୋନ୍ନତି କମିଟି ବୈଠକରେ ଖାଲି ପଡିଥିବା ୩୦୫ଟି ଏଇଇ ପଦବୀ ଲାଗି ପଦୋନ୍ନତି ଦେବା ପାଇଁ ସୁପାରିସ କରାଯାଇଥିଲା । ତେବେ ଏହି ସୁପାରିସ ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଏହି ଡିପିସିକୁ ବାତିଲ କରି ଗତ ମାର୍ଚ୍ଚ ୬ ତାରିଖରେ ଅନ୍ୟ ଏକ ଡିପିସି କରିଥିଲେ । ତେବେ ନୂଆ ଡିପିସିର ସୁପାରିସ ଆଧାରରେ ପଦୋନ୍ନତି ଦିଆଯିବା ପୂର୍ବରୁ ଅଣ ସଂରକ୍ଷିତ ବର୍ଗର ୫ଜଣ ସହକାରୀ ଯନ୍ତ୍ରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଏବଂ ଏହି ମାମଲାରେ ମାର୍ଚ୍ଚ ୧୮ ତାରିଖରେ ହାଇକୋର୍ଟ ରହିତାଦେଶ ଜାରି କରିବା ଫଳରେ କାହାକୁ ପଦୋନ୍ନତି ଦିଆଯାଇପାରୁ ନଥିଲା । ଫଳରେ କେତେକ ସହକାରୀ ଯନ୍ତ୍ରୀ ଚାକିରିରୁ ଅବସର ଗ୍ରହଣ କରିଗଲେ ମଧ୍ୟ ପଦୋନ୍ନତି ପାଇ ପାରିନଥିଲେ ।
ଏହି ଘଟଣାରେ ପଦୋନ୍ନତି ସୁଯୋଗରୁ ବଞ୍ଚିତ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର କେତେକ ସହକାରୀ ଯନ୍ତ୍ରୀ ଅନ୍ତରୀଣ ଆଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାଛଡ଼ା ରାଜ୍ୟ ସରକାରଙ୍କ ପକ୍ଷରୁ ବି ଅନ୍ତରୀଣ ଆଦେଶ ହଟାଇବା ପାଇଁ ନିବେଦନ କରାଯାଇଥିଲା । ଅଣସଂରକ୍ଷିତ ଆସନ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ ଏବଂ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ପ୍ରଚଳିତ ଆଇନ୍‍, ସୁପ୍ରିମକୋର୍ଟଙ୍କ ବିଭିନ୍ନ ମାମଲାର ରାୟ, ଆଇନ୍‍ ବିଭାଗର ମତାମତ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଫେଇ ଆଦି ଆଧାରରେ ଅଣସଂରକ୍ଷିତ ଆସନ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତିରେ ବିଚାର କରାଯାଇପାରିବ ବୋଲି ବଞ୍ଚିତ ପ୍ରାର୍ଥୀମାନେ ଯୁକ୍ତି ବାଢ଼ିଥିବାବେଳେ ଅଣସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଛି ।
ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି କରି ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଆଦେଶକୁ ବଦଳାଇଛନ୍ତି । ଏଥିରେ କୁହାଯାଇଛି ଯେ ଆବେଦନକାରୀଙ୍କ ଠାରୁ ଯେଉଁମାନେ ନିଜ ଯୋଗ୍ୟତା ଆଧାରରେ ଚାକିରିରେ ବରିଷ୍ଠ ଓ ଯେଉଁମାନେ ଆସନ୍ତା ୩୦ ଜୁନ୍‍ ସୁଦ୍ଧା ଅବସର ଗ୍ରହଣ କରିବାକୁ ଯାଉଥିବେ ସେମାନଙ୍କୁ ନିଜ ନିଜ ସ୍ରୋତରେ ପଦୋନ୍ନତି ଦିଆଯାଇପାରିବ ।
ଅନ୍ତରୀଣ ଆଦେଶ ସଂଶୋଧିତ ହୋଇଥିବା ଘେନି ହାଇକୋର୍ଟଙ୍କ ଆଦେଶନାମା ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ପଦୋନ୍ନତି ପ୍ରତ୍ୟାଶୀମାନେ ପ୍ରଦାନ କରି ତୁରନ୍ତ ପଦୋନ୍ନତି ଦେବା ଲାଗି ଅନୁରୋଧ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁବୀର ପାଲିତ ଓ ବିଶ୍ୱବିହାରୀ ମହାନ୍ତି ମାମଲା ରୁଜୁ କରିଥିବା ବେଳେ ପଦୋନ୍ନତିରୁ ବଞ୍ଚିତ ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ବର୍ଗର ଯନ୍ତ୍ରୀମାନଙ୍କ ପକ୍ଷରୁ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି । କେବଳ ନିର୍ମାଣ ବିଭାଗର ନୁହେଁ, ଆଉ କେତେକ ବିଭାଗରେ ବି ପଦୋନ୍ନତି ଓ ସ୍ଥାନ ସଂରକ୍ଷଣ ସଂପର୍କରେ ସରକାରୀ କଳର ବିଭ୍ରାନ୍ତି ଯୋଗୁ ଏଭଳି ବିଭ୍ରାଟ ଉପୁଜିଛି । ଏ ପ୍ରସଂଗରେ ଇତିମଧ୍ୟରେ ଅନେକଗୁଡ଼ିଏ ମାମଲା ରୁଜୁ ହେବାରୁ ବିଭିନ୍ନ ବିଭାଗରେ ପଦୋନ୍ନତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ହାଇକୋର୍ଟଙ୍କ ପରିବର୍ତ୍ତିତ ଅନ୍ତରୀଣ ଆଦେଶ ପଦୋନ୍ନତି ପାଇଁ ଆଶା ସଂଚାର କରିଥିବାବେଳେ ମୂଳ ମାମଲାର ଅଦାଲତି ନିଷ୍ପତ୍ତିକୁ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବର୍ଗର କର୍ମଚାରୀମାନେ ଅପେକ୍ଷା କରିଛନ୍ତି ।

0
0
0
s2sdefault