ହେଡଲାଇନସ୍:

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ୨ପ୍ଳାଟୁନ୍ ଫୋର୍ସ ଓ ୧୫ ଅଫିସର ମୁତୟନ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସନ୍ଧ୍ୟାରେ ନବଯୈାବନ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡଗାଁ,୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମନବମୀ ଯାତ୍ରା ଚଳିତ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଶ୍ରୀରାମ ଜନ୍ମ କର୍ମାଙ୍ଗ ଏବଂ ଜନ୍ମ ନାରାୟଣ ଠାରୁ ନବଦିନର ସନ୍ଧ୍ୟାବେଶ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଦ୍ବାରା ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଗତ ବର୍ଷର କେତେକ ଲୁଟପାଟ୍ ଘଟଣା ପାଇଁ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ପୋଲିସ ପ୍ରଶାସନ ଦ୍ବାରା ଉକ୍ତ ଘଟଣାର କୌଣସି ଅଳଙ୍କାର ଉଦ୍ଧାର କରିବାରେ ସଫଳ ହୋଇନଥିଲେ । ଏଣୁ ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ସ୍ୱର୍ଣ୍ଣକଳଶ କ୍ଷେତ୍ରରେ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଯାତ୍ରାକୁ ସରସ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ଚଳିତ ବର୍ଷ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଥିବା ବେଳେ ମାଜିଷ୍ଟ୍ରେଟ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ସହିତ ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ତତ୍ବାବଧାନରେ ପରିଚାଳନା ଭାର ରଖାଯାଇଛି । ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ନେତୃତ୍ବରେ ୨ପ୍ଳାଟୁନ୍ ପୋଲିସ୍ ଫୋର୍ସ ସହିତ ୧୫ ଜଣ ପୋଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ୩ ଜଣ ଇନ୍ସପେକ୍ଟର, ୨ଜଣ ସବଇନସ୍ପେକ୍ଟର ଏବଂ ୮ଜଣ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ମୃତୟନ ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମତାପରୁ ସୁରକ୍ଷା ପ୍ରଦାନ ପାଇଁ ମାନସିକଧାରୀ ଉପାସକ ମାନଙ୍କ ସମାଗମକୁ ଲକ୍ଷକରି ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଭାବରେ ଚାନ୍ଦୁଆ ଛାଉଣୀ କରାଯାଇଛି। ପାଦ ନତାତିବା ପାଇଁ ମନ୍ଦିର ବେଢ଼ାରେ ଧଳା ରଙ୍ଗର ପ୍ରଲେପ ଲଗାଯାଇଛି ।ସକାଳ ୫ ଘଟିକା ସମୟରେ ମଙ୍ଗଳ ଆଳତି ୭ଟାରେ ବଲ୍ଲ୍‌ଭ ଭୋଗ, ୮.୩୦ରେ ସକାଳ ଧୁପ ପରେ ୧୦.୩୦ ମିନିଟ ଠାରୁ ରାମ ଜନ୍ମ କର୍ମାଙ୍ଗ ଆରମ୍ଭ ହୋଇ ଅନ୍ୟାନ୍ୟ ନିତି କାର୍ଯ୍ୟ ସମ୍ପାଦନ କରାଯାଇ ଅପରାହ୍ନ ୩ଟା ବେଳେ ମନ୍ଦିର ବନ୍ଦ ରହିବ ୬ ତାରିଖ ପ୍ରଥମ ସନ୍ଧ୍ୟାରେ ଜନ୍ମନାରାୟଣ, ୦୭-ତାଡକାବଦ୍ଧ, ୦୮-ଅହଲ୍ୟା ଉଦ୍ଧାରଣ, ୦୯- ଗଙ୍ଗାପାର, ୧୦ ତାରିଖ ଗୁରୁବାର ସାଧାରଣ ବେଶ ଦର୍ଶନ ହେବ । ସେହିପରି ୧୧ ତାରିଖ ସନ୍ଧ୍ୟାରେ-ସୀତାବିବାହ, ୧୨- ବନବାସ, ୧୩- ଚିତ୍ରକୁଟ, ୧୪-ଅଷ୍ଟାବଧାନ, ୧୫- ଯୁଦ୍ଧଯାତ୍ରା, ୧୬- ଅଭିଷେକ ସନ୍ଧ୍ୟାବେଶରେ ପ୍ରଭୁଙ୍କ ଦର୍ଶନ ମିଳିବା ସହିତ ୧୭-ତରିଖରେ ପାଣିଖେଳ ପର୍ବ ପାଳିତ ହେବ। ସୀତା ବିବାହ ସନ୍ଧ୍ୟା ୬ଟା ଠାରୁ ରାତି ୨ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ଦିନ ମାନଙ୍କରେ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଠାକୁରଙ୍କୁ ଦର୍ଶନ କରିବେ। ଜନ ଗହଳି ଓ ଟ୍ରାଫିକ ନିୟନ୍ତ୍ରଣ କରିବା ସହିତ ଶୃଙ୍ଖଳା ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।ମନ୍ଦିର ରୋଡ ସ୍କୁଲ, ପରିବା ମାର୍କେଟ, ବିଦ୍ୟୂତ କାର୍ଯ୍ୟାଳୟ ଠାରୁ ଯାନବାହାନ ବନ୍ଦ ରହିବ।ନୂଆ ବସଷ୍ଟାଣ୍ଡ ସାଗର ପୋଖରୀ ହୁଡ଼ାରେ ଗାଡ଼ି ପାର୍କିଂ ରହିବ। ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଚାଳନା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଅପରପକ୍ଷରେ ୯ ଦିନ ଧରି ଚାଲିଥିବା ଗୁପ୍ତ ସେବା ବନକଲାଗି ନୀତି ସରିବା ପରେ ଶନିବାର ଚୈତ୍ର ଶୁକ୍ଳପକ୍ଷ ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ନବଯୌବନ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ଏବଂ ମାନସିକଧାରି ଉପାସକମାନେ ପରମ ସୈାଭାଗ୍ୟ ଅର୍ଜନ କରିଥିଲେ ।

0
0
0
s2sdefault