ହେଡଲାଇନସ୍:

୨୦୨୪-୨୫ ବର୍ଷରେ ଅଧାରୁ ସ୍କୁଲ ଛାଡ଼ିଛନ୍ତି ୯୬୪୧ ଛାତ୍ରଛାତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(୨୮/୦୩/୨୦୨୫): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ୨୦୨୪-୨୫ ମସିହାରେ ୯୬୪୧ ଛାତ୍ରଛାତ୍ରୀ ଅଧାରୁ ପାଠ(ଡ୍ରପଆଉଟ) ଛାଡ଼ିଛନ୍ତି । ସେଥିମଧ୍ୟରେ ପ୍ରାଥମିକ ସ୍କୁଲ ସ୍ତରରେ ୨୫୪ ଜଣ ଓ ମାଧ୍ୟମିକ ସ୍କୁଲ ସ୍ତରରେ ୯୩୮୭ ପିଲା ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୨୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୦୬୨ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୫୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ମୁଖ୍ୟତଃ ବିଭିନ୍ନ ପାରିବାରିକ ଓ ସାମାଜିକ କାରଣ ତଥା ପିତାମାତାଙ୍କର ବିଦ୍ୟାଳୟ ପଠାଇବା ପାଇଁ ଅନାଗ୍ରହରୁ ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି ।
ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ତଥ୍ୟ ଅନୁସାରେ ୨୦୨୪-୨୫ ବର୍ଷରେ ଭଦ୍ରକରେ ୨୬୧, ବଲାଙ୍ଗୀରରେ ୭୨୨, ବୌଦ୍ଦରେ ୧୯୧, କଟକରେ ୩୧୫, ଦେବଗଡ଼ରେ ୨୩୯, ଢ଼େଙ୍କାନାଳରେ ୨୮୫, ଗଜପତିରେ ୩୩୮, ଯାଜପୁରରେ ୪୦୪, ଝାରସୁଗୁଡ଼ାରେ ୯୧, କଳାହାଣ୍ଡିରେ ୧୦୮, କନ୍ଧମାଳରେ ୩୬୨, କେନ୍ଦୁଝରରେ ୪୧୯, ଖୋର୍ଦ୍ଧାରେ ୧୩୯, କୋରାପୁଟରେ ୫୮୮, ମାଲକାନଗିରିରେ ୬୨୦, ନୟାଗଡ଼ରେ ୪୮, ନୂଆପଡ଼ାରେ ୫୫୧, ପୁରୀରେ ୩୯୭, ରାୟଗଡ଼ାରେ ୯୪, ସମ୍ବଲପୁରରେ ୧, ସୋନପୁରରେ ୨ ଏବଂ ସୁନ୍ଦରଗଡ଼ରେ ୨୫ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ତେବେ ଅନୁଗୁଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଜିଲ୍ଲାରେ ଡ୍ରପଆଉଟ ପିଲା ନାହାନ୍ତି ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବିଗତ ୩ ବର୍ଷରେ ରାଜ୍ୟରେ ସମସ୍ତ ସ୍ତରରେ ଡ୍ରପଆଉଟ ହାର କମୁଛି । ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମ ।
ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ UDISE+ ରେ ନିୟମିତ ବିଦ୍ୟାଳୟମାନଙ୍କର ତଥ୍ୟ ସଂଗ୍ରହ କରାଯାଇଥାଏ । କିନ୍ତୁ ବିଭିନ୍ନ ବୈଷୟିକ, ଧନ୍ଦାମୂଳକ, ପଲିଟେକନିକ୍ ଓ ମୁକ୍ତ ଆକାଶ ଇତ୍ୟାଦି ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ UDISE+ ରେ ସଂଗ୍ରହ କରାଯାଏ ନାହିଁ । ତେଣୁ ରାଜ୍ୟର ଡ୍ରପଆଉଟ ହାର ସାମୟିକ ଭାବେ ଅଧିକ ପରିଲକ୍ଷିତ ହୋଇଥାଏ । UDISE+ ତଥ୍ୟ ଅନୁସାରେ ରାଜ୍ୟରେ ଡ୍ରପଆଉଟ ଛାତ୍ରଛାତ୍ରୀମାନେ ପ୍ରକୃତରେ ଡ୍ରପଆଉଟ ନୁହଁନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟତ୍ର ତଥା ବିଭିନ୍ନ ବୈଷୟିକ, ଧନ୍ଦାମୂଳକ, ପଲିଟେକନିକ୍ ଓ ମୁକ୍ତ ଆକାଶ ଇତ୍ୟାଦି ବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ ଥାନ୍ତି ।

0
0
0
s2sdefault