ସରିଯିବ କି କୋଡ଼ିଙ୍ଗାମାଳିର ବକ୍ସାଇଟ !
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ପ୍ରାୟ ୨୨୦୦ ଏକର ଜମିରେ ଗଢ଼ି ଉଠିବାକୁ ଯାଉଥିବା କାରଖାନା ଅନିଶ୍ଚିତତା ଘେରକୁ ଚାଲିଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏଥିପାଇଁ ଅଞ୍ଚଳବାସୀ ସେମାନଙ୍କ ଜମି କମ୍ପାନୀକୁ ପ୍ରଦାନ କରିଥିବାବେଳେ କାରଖାନା ହେଲେ ଅଞ୍ଚଳର ଉନ୍ନତି ହେବାସହିତ କର୍ମନିଯୁକ୍ତି ମିଲିବାନେଇ ଆଶା ବାନ୍ଧି ବସିଛନ୍ତି। ଏଥିପାଇଁ ୮ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଦୁଇମାସ ହେଲା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ କାରଖାନା ନିର୍ମାଣ ପାଇଁ ତିନିବର୍ଷ ସମୟ ଲାଗିବାକୁ ଥିବାବେଳେ କୋଡ଼ିଙ୍ଗାମାଲିରୁ ୩ ମିଲିୟନ ଟନ ବକ୍ସାଇଟ ଖନନ ପାଇଁ ସରକାରୀ ସ୍ଵୀକୃତି ମିଳିଛି। ଆଗକୁ ତାହା ବୃଦ୍ଧି କରାଯାଇଛି ୪.୨ ମିଲିୟନ ଟନ କରିବା ଏବଂ ତାହା ସ୍ଥାନାନ୍ତର କରିବାକୁ ସ୍ଵୀକୃତି ପ୍ରଦାନ ପାଇଁ ଆବେଦନ କରାଯାଇଛି । କୋଡ଼ିଙ୍ଗାମାଳିରେ ମୋଟ ୮୧ ମିଲିୟନ ଟନ ବକ୍ସାଇଟ ଗଚ୍ଛିତ ଥିଲା। ଆଜିକୁ ପ୍ରାୟ ୭ ବର୍ଷ ହେଲା ବାର୍ଷିକ ୩ ମିଲିୟନ ଟନ୍ ଖନନ କରାଯାଇ ସ୍ଥାନାନ୍ତର ହୋଇଆସୁଛି। ଏବେ ତାହା ପୁଣି ବର୍ଷକୁ ୪.୨ ମିଲିୟନ ଟନ୍ ଖନନ ନିମନ୍ତେ ସ୍ଵୀକୃତି ମିଳିବାକୁ ଆବେଦନ କରାଯାଇଛି। ଯାହାଫଳରେ କୋଡ଼ିଙ୍ଗାମାଲିର ବକ୍ସାଇଟ ଆଉ କିଛି ବର୍ଷ ପରେ ଶେଷ ହୋଇଯିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି। କୋଡିଙ୍ଗାମାଲିରୁ ୧୫ ବର୍ଷ ପର୍ଯ୍ୟନ୍ତ ବକ୍ସାଇଟ ଯୋଗାଇ ଦେବାକୁ ଓଏମସି କଂଶାରିଗୁଡାରେ କାରଖାନା ନିର୍ମାଣ କରୁଥିବା ସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଅନୁପାତରେ ବକ୍ସାଇଟ ଖନନ ହେଲେ କାରଖାନା ସ୍ଥାପନ ପୂର୍ବରୁ କୋଡିଙ୍ଗାମାଲିର ବକ୍ସାଇଟ ସରିଯିବା ଆଶଙ୍କା ପ୍ରକାଶ ପାଉଛି। ଯାହାଦ୍ବାରା କାରଖାନା ସ୍ଥାପନ ଓ କାର୍ଯ୍ୟକ୍ଷମ ହେବା ଅସମ୍ଭବ ହୋଇପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏ ବିଷୟ ଜାଣିବା ପରେ ଅଞ୍ଚଳ ବାସୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ମନରେ ଛନକା ପଶିଛି। ଏପରି ଯଦି ହୁଏ ତେବେ ଅଞ୍ଚଳବାସୀ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବବୋଲି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି ।