ବଡବିଲ (ଶାସକ ପ୍ରଶାସକ) : ୫୨୦ ନମ୍ବର ଜାତୀୟ ରାଜପଥ ନିକଟରୁ ଡକାୟତି ଉଦ୍ୟମ ବିଫଳ ହୋଇଛି। ବଡବିଲ ସହର ଉପକଣ୍ଠ ଦାମୁ ହଟିଂ ବସ୍ତି ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଦୁର୍ବୁତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଓ ଅସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି।
ଆଜି ବଡବିଲ ଏସ.ଡି.ପି.ଓ ଦେବେନ୍ଦ୍ର ପିଙ୍ଗୁଆ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାତି ପେଟ୍ରୋଲିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ଡକାୟତି ପାଇଁ ଯୋଜନା କରୁଥିବା ନେଇ ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ପୁଲିସ ସଦଳବଳେ ଦାମୁ ହଟିଂ ବସ୍ତି କ୍ଲବ ଘର ନିକଟରେ ଅତର୍କିତ ଚଢ଼ାଉ କରିଥିଲା। ଏହି ସମଯରେ ଅନ୍ଧକାରର ସୁଯୋଗ ନେଇ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପୋଲିସ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ଆଜି ଗିରଫ କରାଯାଇ ଅଦାଲତ ଚାଲାଣ ଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅନୀଲ ପାତ୍ର, ଅନୀଲ ପଣ୍ଡା, ସାୱାନ ଶୁକ୍ଳା ଓ ଦେବାଶିଷ ପଣ୍ଡା। ଏମାନକ ନାମରେ ପୁର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାଯାଇଛି। ଗିରଫ ଅପରାଧୀଙ୍କ ନିକଟରୁ ଖେଳନା ବନ୍ଧୁକ, ସୂତୁଲି ବମ, ଖଣ୍ଡା, ଭୂଜାଲି, ଛୁରୀ, ଲଙ୍କା ଗୁଣ୍ଡ, ଗୁଣ୍ଡ, ଦିଆସିଲି, ବିୟର ବୋତଲ ଆଦି ଜବତ ହୋଇଥିବା ଏସ.ଡି.ପି.ଓ ଦେବେନ୍ଦ୍ର ପିଙ୍ଗୁଆ ସୂଚନା ଦେଇଛନ୍ତି।