ଭୁବନେଶ୍ୱର : ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ), ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଏବଂ ଲଳିତ କଳା ଏକାଡେମୀ (ଏଲକେଏ) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା ଯାହା ଭାରତରେ ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟକୁ ପ୍ରୋତ୍ସାହିତ କରିବା ପ୍ରତି ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଏନଜିଏମଏର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଏବଂ ଭୁବନେଶ୍ୱରର ଲଳିତ କଳା ଏକାଡେମୀର ଆଂଚଳିକ ସମ୍ପାଦକ ଶ୍ରୀ ରାମକ୍ରିଷ୍ଣା ବେଡାଲା ଉପସ୍ଥିତ ଥିଲେ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭାରତ ସରକାରଙ୍କୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଏନଜିଏମଏର ଏକ ନୂତନ ଶାଖା ସ୍ଥାପନ କରିବା ପାଇଁ ଆବେଦନ କରିବା ସହ କହିଥିଲେ ଯେ, ଏଭଳି ଏକ ପଦକ୍ଷେପ ଓଡିଆ କଳାକାରମାନଙ୍କୁ ଏକ ସୁବର୍ଣ୍ଣ ମଂଚ ପ୍ରଦାନ କରିବ ଯାହା ରାଜ୍ୟର ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଆମର ସରକାର ପ୍ରତିଷ୍ଠା ହେବା ପରେ ମୁଁ କେନ୍ଦ୍ର କଳା ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଚୌହାନଙ୍କୁ ରାଜ୍ୟରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ଏକ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଅନୁରୋଧ କରି ଏକ ପତ୍ର ଲେଖିଥିଲି ଏବଂ ପରବର୍ତୀ ସମୟରେ ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲି । ଏଥିପାଇଁ ସେମାନଙ୍କ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ମିଳିଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଜମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପାଇଁ ଆବଶ୍ୟକ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ।
ଏନଜିଏମଏ, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡଃ ସଞ୍ଜୀବ କିଶୋର ଗୌତମ ଭାରତୀୟ ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିନବ ପଦକ୍ଷେପର ନେତୃତ୍ୱ ନେଇଥିଲେ। ଉତ୍କଳିକା କେବଳ ଏକ ପ୍ରଦର୍ଶନୀ ନୁହେଁ ବରଂ ଏହା ଭାରତର ସମୃଦ୍ଧ କଳାତ୍ମକ ବିରାସତର ଏକ ଉତ୍ସବ। ଏହା ସୃଜନଶୀଳତାକୁ ଅନୁପ୍ରାଣିତ କରିବା, ଶିକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଅତୀତ ଓ ବର୍ତମାନ ମଧ୍ୟରେ ଏକ ସଂଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି ଡଃ ଗୌତମ କହିଥିଲେ। ଏହି ଅବସରରେ କୋର୍ଡିନେଟର ଶ୍ରୀ କ୍ଷିତିଶ ଚନ୍ଦ୍ର ଦାସ ଓଡିଶାରେ ଏନଜିଏମଏ ଶାଖାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ଉତ୍କଳିକା- ଏ ଶୋ’ ଅଫ ମଡର୍ଣ୍ଣ ଆର୍ଟକୁ ଗତ ଜାନୁଆରୀ ୬ ତାରିଖ ୨୦୨୫ରେ ୧୮ତମ ଭାରତୀୟ ପ୍ରବାସୀ ଦିବସ ସହ ମିଳିତ ଭାବେ ଉଦଘାଟନ କରାଯାଇଥିଲା ଯାହା ଭୁବନେଶ୍ୱରରେ ଗତ ୮ରୁ ୧୦ ଜାନୁଆରୀ ୨୦୨୫ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀ ଲୋକଙ୍କ ପାଇଁ ଫେବୃଆରୀ ୨୮ ତାରିଖ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିଥିଲା, ଯାହା ଭାରତର ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟର ବିବର୍ତନ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ଥିବା କଳାପ୍ରେମୀ, ଛାତ୍ରଛାତ୍ରୀ ଓ ବିଦ୍ୱାନମାନଙ୍କୁ ଆକର୍ଷିତ କରିଥିଲା। ଏହି ପ୍ରଦର୍ଶନୀ ଏନଜିଏମଏର ମୁମ୍ବାଇ ଶାଖାର ମାଷ୍ଟରପିସଗୁଡିକର ଏକ ସ୍ୱତନ୍ତ୍ର କଲେକ୍ସନକୁ ପ୍ରଦର୍ଶିତ କରିଥିଲା ଯେଉଁଥିରେ ଭାରତର ଲୋକପ୍ରିୟ କଳାକାରମାନଙ୍କର କାର୍ଯ୍ୟ ସାମିଲ ଥିଲା। ଏହି ପ୍ରଦର୍ଶନୀ ପ୍ରୋଗ୍ରେସିଭ ଆର୍ଟିଷ୍ଟସ ଗ୍ରୁପର ସମୃଦ୍ଧ ବିରାସତ, କଂଟେମ୍ପରାରୀ ମାଷ୍ଟରଙ୍କ ଦୂରଦୃଷ୍ଟିସମ୍ପନ୍ନ ଅଭିବ୍ୟକ୍ତି ଏବଂ ୧୯ଶ ଶତାବ୍ଦୀର କଳାକାରଙ୍କ ପ୍ରମୁଖ କାରୁକାର୍ଯ୍ୟଗୁଡିକୁ ପ୍ରଦର୍ଶିତ କରିଥିଲା।
ପରିଦର୍ଶକମାନେ ନିଜର ଜିଓମେଟ୍ରିକ ଅବଷ୍ଟ୍ରାକ୍ସନ ପାଇଁ ସୁପରିଚିତ ଏସ.ଏଚ.ରାଜା, ଭାରତୀୟ ସଂସ୍କୃତିର ଜୀବନ୍ତତାକୁ ନିଜ କାନ୍ଭାସ ଦ୍ୱାରା ଚିତ୍ରଣ କରୁଥିବା ମହାନ ଚିତ୍ରକର ଏମ୍.ଏଫ.ହୁସୈନ ଏବଂ ନିଜର ନିର୍ଭୀକ କାର୍ଯ୍ୟ ମାଧ୍ୟମରେ କଳାର ବିଭିନ୍ନ ରୂପକୁ ପୁନଃବ୍ୟାଖ୍ୟା କରୁଥିବା ଏଫ.ଏନ. ସୌଜାଙ୍କ କାରୁକାର୍ଯ୍ୟ ଦ୍ୱାରା ମନ୍ତ୍ରମୁଗ୍ଧ ହୋଇଥିଲେ। ପ୍ରଦର୍ଶନୀରେ ସାମିଲ ହୋଇଥିବା ଅନ୍ୟ ବିଶିଷ୍ଟ କଳାକାରଙ୍କ ମଧ୍ୟରେ ତାୟବ ମେହତା, ଭି.ଏସ. ଗାଏତୋଣ୍ଡୋ, ରାମ କୁମାର ଓ ଅକବର ପଦମସୀ ପ୍ରମୁଖ ସାମିଲ ଥିଲେ ଯାହାଙ୍କର ଭାରତର କଳାତ୍ମକ ଐତିହ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ବିଚାର ସହ ସମାପନ ହୋଇଥିବା ବେଳେ କଳା ସମୁଦାୟର ହିତାଧିକାରୀମାନେ ଭୁବନେଶ୍ୱରରେ ଏକ ଏନଜିଏମଏର ଶାଖାର ସ୍ଥାପନା ପାଇଁ ଆଶା ବ୍ୟକ୍ତ କରିଥିଲେ, ଯାହା ଏହି ସହରକୁ ମଡର୍ଣ୍ଣ ଓ କଂଟେମ୍ପରାରୀ ଆର୍ଟ ପାଇଁ ଏକ ସମୃଦ୍ଧ କେନ୍ଦ୍ରରେ ପରିଣତ କରିପାରିବ।