ହେଡଲାଇନସ୍:

ଓଡ଼ଗାଁ ତହସିଲ ଓ ଏନଏସି ଅଂଚଳରେ ମୂଲ୍ୟବାନ ଜମି ହଡପ ଉଦ୍ୟମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୪।୧ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ ଜିଲା ଓଡ଼ଗାଁ ତହସିଲ ଓ ଏନ୍ଏସି ଅଞ୍ଚଳରେ ବହୁ ସରକାରୀ ମୂଲ୍ୟବାନ ଜମି ଜବରଦଖଲ କରି କବ୍ଜା କରିବାର ପ୍ରକ୍ରିୟା ଏବେ ଜୋର ଧରିଛି । ଶ୍ରୀରଘୁନାଥ ଜୀଉଙ୍କ ପୀଠର କ୍ରମ ବର୍ଦ୍ଧିଷ୍ଣୁ ସହରୀକରଣ ସହିତ ଓଡ଼ଗାଁକୁ ବିଜ୍ଞାପିତ ଅଂଚଳ ଘୋଷଣା କରାଯିବା ପରେ ସ୍ଥାନୀୟ ଅଂଚଳରେ ଘରବାଡି ଜାଗା ଦର ଆକାଶଛୁଆଁ ହୋଇଛି । ଫଳରେ ସହରୀକରଣ ପ୍ରଣାଳୀ ଆଧାରରେ ସ୍ଥାନୀୟ ଜାରିଙ୍ଗି ମୌଜାକୁ ବସ୍ତି ଅଂଚଳ ଘୋଷଣା କରି ସହର ବାସିନ୍ଦା ସହିତ ସଂଲଗ୍ନ ଗ୍ରାମ ଗୁଡ଼ିକରୁ ସହରରାଭିମୁଖି ଶତାଧିକ ଲୋକଙ୍କୁ ରାଜନୈତିକ ଉଦ୍ଦେଶ୍ୟ ସାଧନ ଆଶା ରଖି ଅନୈତିକ ଭାବେ ଘରବାରୀ ଓ ସହରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ତେବେ ଏଥି ମଧ୍ୟରୁ ଅନେକ ବ୍ୟକ୍ତି ଘରବାରୀ ଓ ଆବାସ ପାଇବାପାଇ ସେସବୁ ଭଡା ସୁତ୍ରରେ ଲଗାଇ ଦେଇ ନିଜ ନିଜ ଗାଁରେ ମଧ୍ୟ ରହୁଥିବା ଏକ ଆକଳନରୁ ଜଣାଯାଇଛି । ଏପରିସ୍ଥଳେ ସହର ଓ ସହର ଉପକଣ୍ଠରେ ଥିବା ରାଜସ୍ୱ, ବନ ବିଭାଗ ଓ ବିଜ୍ଞାପିତ ଅଂଚଳର ଦୈତ ପ୍ରଶାସନିକ ପରିଚାଳନାରେ କୋଟି କୋଟି ଟଙ୍କା ମୂଲ୍ୟର ଜାଗାକୁ ଜୋର ଜବରଦସ୍ତ ଅକ୍ତିଆର କରାଯାଇଛି । ଏବଂ ସେଥି ମଧ୍ୟରେ କେତେକ ଯାଗାରେ ଦୋକାନ ଘର ସବୁ ନିର୍ମାଣ କରି ଏହାକୁ ରୋଜଗାର ମାଧ୍ୟମ କରିଛନ୍ତି । ଏସବୁ ମଧ୍ୟରେ ସ୍ଥାନୀୟ କଲେଜ ସାମ୍ନା ଓ ଜଳ ସେଚନ ବିଭାଗୀୟ କାର୍ଯ୍ୟାଳୟ ସନ୍ନିକଟ ଅନେକ ସ୍ଥାନରେ ଜବରଦଖଲ ଦୋକାନ ଘର ସବୁ ଗଢି ଉଠିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କଲେଜ ସନ୍ନିକଟ ସରକାରୀ ଆମ୍ବ ବଗିଚା ସାମ୍ନାରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସରକାରୀ ଜାଗାକୁ ଏବେ ଜେସିବି ଲଗାଇ ସଫା କରି ସେଥିରେ ୬ ଟି ସିମେଣ୍ଟ ପିଲାର ପୋତି ଘର ନିର୍ମାଣ କରିବାକୁ ଉଦ୍ୟମ ଚାଲିଥିବା ରାଜସ୍ୱ ଓ ବନ ବି଼ଭାଗ ନିକଟରେ ଅଭିଯୋଗ ହୋଇଛି । ଜନୈକ ଜଣେ ସ୍ଥାନୀୟ ରାଜନେତା ଏହାକୁ ଜଣେ କବାଡିଆକୁ ଭଡା ସୁତ୍ରରେ ଦେଇଥିବା ବେଳେ ଦୁଇ ଦିନର ଛୁଟି ମଧ୍ୟରେ ଏହାକୁ ଦୋକାନ ଘର ନିର୍ମାଣ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏହା ସହିତ ସହର ଉପକଣ୍ଠ ତଥା ନନ୍ଦିଘୋର ପଂଚାୟତ ଅନ୍ତର୍ଗତ ଘଷାଦେଇପୁର ମୌଜାରେ ପ୍ରାୟ ୨ ଏକର ସରକାରୀ ଅଥବା ଜଙ୍ଗଲ କିଷମ ଜାଗାରୁ ଜଣେ ପ୍ରଭାବଶାଳୀ ମିଲ ମାଲିକ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ନିଜ ଗୋଦାମ ରାସ୍ତା ନିର୍ମାଣ କରିବାରେ ଲାଗି ପଡିଥିବା ନେଇ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ ଅଭିଯୋଗ କରିଛନ୍ତି । ଛୁଟି ଦିନ ଥିବାରୁ ଜିଲାପାଳ, ତହସିଲଦାର, ବନାଂଚଳ ଅଧିକାରୀ ଓ ସ୍ଥାନୀୟ ଖବରଦାତା ମାନଙ୍କୁ ହ୍ୱାଟସ୍‌ଅପ ମାଧ୍ୟମରେ ଫଟୋ ସହିତ ଅଭିଯୋଗ ପଠାଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଡ.ମାନଓ ରଂଜନ ଭୋଇ ଓ ବନାଂଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ମତାମତ ନିଆଯାଇଥିବା ବେଳେ ଉଭୟ ଅଧିକାରୀ ସେମାନଙ୍କ କ୍ଷେତ୍ର କର୍ମଚାରୀଙ୍କୁ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଏପରିକି ପ୍ରାରମ୍ଭିକ ଦଦନ୍ତ ଅନୁସାରେ ପିଲାର ଉଠା ଯାଇଥିବା ଜାଗା ସରକାରୀ ହୋଇଥିବା ବେଳେ ମାମଲା ହାଇ କୋଟରେ ବିଚାରଧିନ ଥିବା ତହସିଲଦାର ଡ.ଭୋଇ କହିଛନ୍ତି । ର୍ସର୍ବୋପରି ଜିଲାପାଳ ତଥା ରାଜସ୍ୱ ମନ୍ତ୍ରୀ ଏନେଇ ଯୁଦ୍ଧ କାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରିବା ସହିତ ସ୍ଥାନୀୟ ଅଂଚଳରେ ଜବରଦଖଲକାରୀଙ୍କ କବ୍ଜାରେ ଥିବା ଜମିକୁ ଉଚ୍ଛେଦ କରି ଜବର ଦଖଲକାରୀଙ୍କ କବ୍ଜାକୁ ଜାଉଥିବା ଜମିକୁ ଉଦ୍ଧାର କରିବା ସହିତ ବେଆଇନ ଭାବେ ସରକାରୀ ଜମି ଦଖଲ ଓ ବିନା ଅନୁମତିରେ ମାଟି ଖୋଳି ଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନଷ୍ଠାନ ଦାବି ହୋଇଛି ।

0
0
0
s2sdefault